ବିହାରର ବହୁ ଚର୍ଚ୍ଚିତ ଧନଞ୍ଜୟ ସିଂ ହତ୍ୟାକାଣ୍ଡର ପର୍ଦ୍ଦାଫାସ
ଝାରସୁଗୁଡ଼ା : ବିହାର ଜମୁଇର ବହୁ ଚର୍ଚ୍ଚିତ ଧନଞ୍ଜୟ ସିଂ ହତ୍ୟାକାଣ୍ଡର ସୋମବାର ପର୍ଦ୍ଦାଫାସ ହୋଇଛି। ବିହାରରେ ହୋଇଥିବା ଏହି ହତ୍ୟାକାଣ୍ଡ ପାଇଁ ଝାରସୁଗୁଡ଼ାରୁ ଯୋଜନା କରାଯାଇଥିବା ଜଣାପଡ଼ିଛି । ଏହି ମାମଲାରେ ବିହାର ପୁଲିସ ଝାରସୁଗୁଡ଼ାର ବ୍ୟବସାୟୀ ତଥା ବ୍ଲାକ ଡ଼ାଇମଣ୍ଡ ଗୃପ ଅଫ ଏଜୁକେଶନର ଅଧ୍ୟକ୍ଷ ଅନିଲ ସିଂଙ୍କୁ ଖୋଜୁଥିବା ଜଣାପଡ଼ିଛି । ବିହାରର ଜମୁଇ ପୁଲିସର ଏକ ସ୍ୱତନ୍ତ୍ର ଦଳ ଝାରସୁଗୁଡ଼ାରେ ଆସି ବବନ୍ ୟାଦବ ଓରଫ୍ ବବନ୍ ସିଂ ନାମକ ଏକ ଅପରାଧିକୁ ଗତ ବିଳମ୍ବିତ ରାତିରେ ସହରର ଚୈାକିପଡା ଅଞ୍ଚଳରୁ ଉଠାଇନେବା ପରେ ଏହି ଘଟଣା ପଦାକୁ ଆସିଛି । ଗତ ୨ ଡିସେମ୍ବର ଦିନ ଜମୁଇ ଜିଲ୍ଲାର ଗୋଦି କଟୌନା ଠାରେ ପୁର୍ବତନ ଗ୍ରାମ ପଞ୍ଚାୟତର ମୁଖିଆ ଧନଞ୍ଜୟ ସିଂ ଓରଫ ବବୁଆକୁ ସଂନ୍ଧ୍ୟା ୬ ଟା ସମୟରେ ଦୁର୍ବୃତ୍ତ ଦୁଇ ବାଇକ୍ ରେ ଆସି ଗୁଳିକରି ହତ୍ୟା କରିଥିଲେ । ମୃତକ ଧନଞ୍ଜୟର ଭାଇ ଦିବାକର ସିଂ ମଳୟପୁର ଥାନାରେ ଦେଇଥିବା ଏତଲାରେ ସେ ଝାରସୁଗୁଡ଼ାର ଜଣେ ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ବ୍ଲାକ ଡାଇମଣ୍ଡ ଅଫ୍ ଏଜୁକେଶନ ଗୃପର ଅଧ୍ୟକ୍ଷ ଅନିଲ ସିଂ ,ନୁନଦେବ ସିଂ, ସୁରୋ ସିଂ ଏବଂ ଅନ୍ୟ ଦୁଇଜଣ ଅଜ୍ଞାତ ଲୋକଙ୍କ ନାମରେ ହତ୍ୟା କରିଥିବାର ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲା । ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସୁପାରୀ କିଲର ଲଲନ ସିଂକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବିହାର ପୁଲିସ କହିଛି । ଏହା ସହିତ ଏହି ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ବାଇକକୁ ମଧ୍ୟ ବିହାର ପୁଲିସ ଜବତ କରିଥିବାବେଳେ ସୁପାରୀ କିଲର ଲଲନ ସିଂ ମଧ୍ୟ ତାର ଦୋଷ ବିହାର ପୁଲିସ ଆଗରେ ସ୍ୱିକାର କରିଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅନିଲ ସିଂକୁ ଧରିବାକୁ ବିହାର ପୁଲିସର ୩ଟି ଦଳ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି । ବିହାର ପୁଲିସ ଝାରସୁଗୁଡ଼ା ଆସି ବବନ ୟାଦବକୁ ଧରିବା ସହିତ ଅନିଲ ସିଂ ଏବଂ ତାଙ୍କ ଡ୍ରାଇଭର ଓମ୍ ସିଂ କୁ ଧରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲା । ଉଭୟଙ୍କୁ ଝାରସୁଗୁଡ଼ାରୁ ନପାଇ ବିହାର ପୁଲିସ ଫେରିଯାଇଥିଲା । ବିହାର ପୁଲିସ ଶାର୍ପ ସୁଟର ଲଲନ ସିଂକୁ ବିହାର ଗଣମାଧ୍ୟମ ସାମ୍ନାକୁ ଆଣିଲାବେଲେ ଜମୁଇ ଏସ୍ ପି କହିଛନ୍ତି ଜେ ଅନ୍ୟ ଅଭିଯୁକ୍ତ ଅନିଲ ସିଂ ଓ ଓମ୍ ସିଂ କୁ ଶିଘ୍ର ଧରାଯିବ । ପ୍ରକାଶ ଥାଉକି ବିହାର ଜମୁଇର ଅନିଲ ସିଂ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଥିବା ବ୍ଲାକ ଡ଼ାଇମଣ୍ଡ ଗୃପ ଅଫ ଏଜୁକେଶନର ପ୍ରତିଷ୍ଠା କରିଥିଲେ । ଏହା ପୂର୍ବରୁ ଅନିଲ ସିଂ ବ୍ରଜରାଜନଗର ସ୍ଥିତ ମଣ୍ଡଳିଆରେ ରହି ଏମସିଏଲର କୋଇଲା ଖଣି କାର୍ଯ୍ୟ କରୁଥିଲା । ପରେ ବ୍ଲାକ ଡ଼ାଇମଣ୍ଡ ଗୃପ ଅଫ ଏଜୁକେଶନର ପ୍ରତିଷ୍ଠା କରି କୋଟି କୋଟି ଟଙ୍କା ଅର୍ଜନ କରିଥିଲେ । ପରେ ଜମୁଇ ବିଧାନସଭା ଆସନରୁ ନିର୍ଦଲିୟ ଭାବେ ନିର୍ବାଚନ ମଧ୍ୟ ଲଢି ପରାଜୟ ହୋଇଥିଲା । ଓଡ଼ିଶାର ପ୍ରଚୂର ଅର୍ଥ ଉପାର୍ଜନ କରି ଅନିଲ ସିଂ ବିହାରରେ ପତିଆରା ସ୍ଥାପନ କରିବାକୁ ଚାହୁଥିଲେ । ଏହି ହତ୍ୟାକାଣ୍ଡ ପଛରେ ଜମି ବିବାଦ ମୁଖ୍ୟ କାରଣ ବୋଲି ହତ୍ୟାର ଶିକାର ହୋଇଥିବା ଧନଞ୍ଜୟ ସିଂଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ । ବିହାର ପୁଲିସ ଗୁପ୍ତଭାବରେ ଏହି କାର୍ଯ୍ୟ କରିଥିବା ଝାରସୁଗୁଡ଼ା ପୁଲିସ କହିଛି ।