ବିଧାନପରିଷଦ ଗଠନ ପ୍ରସଙ୍ଗରେ ବାଚସ୍ପତିଙ୍କ ସୂଚନା- କେନ୍ଦ୍ର ମାଗିଛି ତଥ୍ୟ, ଶୀଘ୍ର ଦିଆଯିବ ଉତ୍ତର
ଭୁବନେଶ୍ବର : ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ପ୍ରାୟ ଏକ ମାସ ଧରି କେନ୍ଦ୍ର ଆଇନ ମନ୍ତ୍ରାଳୟ ଓ ବିଧାନସଭା ବାଚସ୍ପତିଙ୍କ ମଧ୍ୟରେ ପତ୍ରାଳାପ ଯୁଦ୍ଧ ଲାଗି ରହିଛି। ସଂସଦରେ ଏହି ପ୍ରସଙ୍ଗ ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ ଉଠାଇବା ପରେ କେନ୍ଦ୍ର ଓ ରାଜ୍ୟ ଏକପ୍ରକାର ମୁହାଁମୁହିଁ ପରିସ୍ଥିତିରେ ପହଞ୍ଚିଛନ୍ତି। ଫେବୃଆରୀ ୧୫ରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ଟିକିନିଖି ଅବଗତ କରାଇବା ପରେ ପୁନର୍ବାର ମନ୍ତ୍ରାଳୟ ପକ୍ଷରୁ ବାଚସ୍ପତିଙ୍କୁ ସ୍ପଷ୍ଟୀକରଣ ଲୋଡାଯାଇଛି। ତେବେ ଏନେଇ ଖୁବଶୀଘ୍ର ଉତ୍ତର ଦିଆଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ସ୍ପଷ୍ଟୀକରଣ ମାଗିଛି। ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ଯେଉଁ ଚିଠି ଗତମାସରେ ପଠାଯାଇଥିଲା ତାହା ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଚିଠି ଆସିଛିି, ଯେଉଁଥିରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗରୁ କେତେକ ସ୍ପଷ୍ଟୀକରଣ ଚାହିଁଛନ୍ତି। ବିଧାନସଭା ପକ୍ଷରୁ ଏହି ଚିଠିକୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି। କେନ୍ଦ୍ର ଆଇନ ମନ୍ତ୍ରାଳୟ ଯାହା ଜାଣିବାକୁ ଚାହୁଁଛନ୍ତି ତା’ର ଉତ୍ତର ସଂସଦୀୟ ବ୍ୟାପାର ବିଭାଗ ଦେବ। ଏହାସହିତ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ପାରିତ ସଂକଳ୍ପକୁ କେନ୍ଦ୍ର ସରକାର ପାଇଥିବା ମଧ୍ୟ ସ୍ପଷ୍ଟ ହୋଇଛି। କାରଣ କେନ୍ଦ୍ର ସରକାର ଏହି ସଂକଳ୍ପ ପାଇଥିବାରୁ ହିଁ ପରିଷଦ ଗଠନକୁ ନେଇ ଆଉ କେତେକ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ସଂକଳ୍ପ ପାରିତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିନାହିଁ ବୋଲି ଫେବୃଆରୀ ୧୨ରେ ରାଜ୍ୟସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜ୍ଜୁ ବିଜେଡି ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବାଚସ୍ପତି ଶ୍ରୀ ପାତ୍ର ଫେବୃଆରୀ ୧୫ରେ ବିସ୍ତୃତ ଦସ୍ତାବିଜ ସହ ୨ଟି ଚିଠି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରିଜ୍ଜୁଙ୍କୁ ଲେଖି ସମଗ୍ର ଘଟଣାକ୍ରମର ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ବାଚସ୍ପତି କହିଥିଲେ ଯେ ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭାରେ ୨୦୧୮ ସେପ୍ଟେମ୍ବର ୬ତାରିଖରେ ଏକ ସଂକଳ୍ପ ପାରିତ ହୋଇଥିଲା। ଏହି ସଂକଳ୍ପକୁ ସେପ୍ଟେମ୍ବର ୧୮ରେ ଓଡ଼ିଶା ବିଧାନସଭା ପକ୍ଷରୁ ଲୋକସଭା ଓ ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ, ଆଇନ ମନ୍ତ୍ରାଳୟ, ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଥିଲା। ଏହାସତ୍ତ୍ବେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ଲିଖିତ ଉତ୍ତରକୁ ନେଇ ପତ୍ର ଲେଖାଯାଇଥିଲା ବୋଲି ଶ୍ରୀ ପାତ୍ର କହିଛନ୍ତି।
Comments are closed.