ବୌଦ୍ଧ : ବୌଦ୍ଧଜିଲାକୁ ମିଳିଛି ସମ୍ମାନଜନକ ଭୂମି ସମ୍ମାନ। ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ୬୮ଗୋଟି ଜିଲାକୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାର୧୯ ଜିଲା ଏହି ସମ୍ମାନ ପାଇବାରେ ସଫଳ ହୋଇଛନ୍ତି । କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ଲୋକମାନଙ୍କୁ ଡିଜିଟାଲ ସେବା ଯୋଗାଇ ଦେବାକୁ ଗୁରୁତ୍ୱ ଦେଇଛନ୍ତି। ଭୂମି ସମ୍ମାନ ପାଇଁ ଗ୍ରହଣ କରାଯାଇଥିବା ୬ ଗୋଟି ମାନଦଣ୍ଡରେ ବୌଦ୍ଧ ଜିଲା କୃତକାର୍ଯ୍ୟ ହେବା ସହିତ ଏହି ସମ୍ମାନଜନକ ଟ୍ରଫି ହାସଲ କରିବାରେ ସଫଳ ହୋଇଥିଲା । ବୌଦ୍ଧ ଜିଲାର ସମସ୍ତ ତହସିଲଗୁଡିକରେ ରେକର୍ଡପତ୍ର କମ୍ପ୍ୟୁଟରୀକରଣ କରାଯିବା ସହିତ, ଡିଜିଟାଲ ମ୍ୟାପ ପ୍ରସ୍ତୁତି, ଭୂ-ନକ୍ସା ପ୍ରସ୍ତୁତି, ଇ-ରେଜିଷ୍ଟ୍ରେସନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଡିଜିଟାଲ ସର୍ଭେ ସହିତ ଆଧୁନିକ ରେକର୍ଡରୁମ,ତାଲିମ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ପ୍ରୋଜେକ୍ଟ ମେନେଜମେଣ୍ଟ୍, ଆଧାର ଲିଙ୍କ, କୋର୍ଟ କେସ ଗୁଡିକର କମ୍ପ୍ୟୁଟରୀକରଣ ଆଦି କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ବୌଦ୍ଧଜିଲାକୁ ଏହି ସମ୍ମାନ ମିଳିଥିବା ଜଣାଯାଇଛି। ଉପଜିଲାପାଳ ରବିନ୍ଦ୍ର ନାଥ କହଁରଙ୍କ ନେତୃତ୍ୱରେ ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ର, ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ତିନିଜଣିଆଁ ପ୍ରତିନିଧି ବୌଦ୍ଧ ଜିଲାକୁ ପ୍ରତିନିଧିତ୍ୱ କରି ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।
ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ଏହି ଭୂମି ସମ୍ମାନ ଟ୍ରଫି ଓ ମାନପତ୍ରକୁ ଜିଲାପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର ଏହି ଟ୍ରଫି ଓ ମାନପତ୍ରକୁ ଗ୍ରହଣ କରି ଏହି ଟ୍ରଫି ହାସଲ ଦ୍ୱାରା ବୌଦ୍ଧଜିଲା ଗୌରବାନ୍ୱିତ ହେବାସହିତ ରାଜସ୍ୱ କର୍ମଚାରୀମାନଙ୍କୁ ସେବା ଯୋଗାଇବାରେ ପ୍ରୋତ୍ସାହିତ କରିବ ବୋଲି ପ୍ରକାଶ କରିଥିଲେ। ଉପଜିଲାପାଳ ଶ୍ରୀକହଁର ଦିଲ୍ଲୀଠାରେ ଟ୍ରଫି ଗ୍ରହଣ କରିବାର ଅନୁଭୁତି ପ୍ରକାଶ କରି କହିଥିଲେ ଯେ, ଜିଲାପ୍ରଶାସନର ପ୍ରତିନିଧି ଭାବରେ ରାଷ୍ଟ୍ରପତିଙ୍କ ଠାରୁ ଏହି ଟ୍ରଫି ଓ ମାନପତ୍ର ଗ୍ରହଣ କରିବା ତାଙ୍କପାଇଁ ସୌଭାଗ୍ୟର ବିଷୟ ଏବଂ ଏହା ଜିଲାର ସମସ୍ତ ଅଧିବାସୀ ଓ ଜିଲା ପ୍ରଶାସନର କର୍ମଚାରୀମାନଙ୍କ ମିଳିତ ଉଦ୍ୟମର ସଫଳତା । ସେହିପରି ଅତିରିକ୍ତ ତହସିଲଦାର ଭୂମି ସମ୍ମାନ ଟ୍ରଫି ହାସଲ ପାଇଁ ରାଜସ୍ୱ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ, କ୍ଷେତ୍ର କର୍ମଚାରୀ, ଅମିନ, ଆରଆଇମାନଙ୍କର ପ୍ରମୁଖ ଭୂମିକା ରହିଥିବା ପ୍ରକାଶ କରିଥିଲେ। ଭୂମି ସମ୍ମାନ ହାସଲ ପାଇଁ ଗଣମାଧ୍ୟମର ମଧ୍ୟ ପ୍ରମୁଖ ଭୂମିକା ରହିଥିବାବେଳେ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ରହୁଥିବା ତୃଟି ବିଚ୍ୟୁତିକୁ ଦର୍ଶାଇ ସେସବୁ ସୁଧାରିବାରେ ସହାୟକ ହୋଇଥିବାରୁ ବୈଠକରେ କୃତଜ୍ଞତା ପ୍ରକାଶ କରାଯାଇଥିଲା। ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ, ରାଜସ୍ୱ କର୍ମଚାରୀ, ସେକ୍ସନ ଅଫିସରଙ୍କ ସମେତ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।



