ପିସିସି ସଭାପତିଙ୍କୁ ଦିଲ୍ଲୀ ଡକରା

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସର ସଙ୍ଗଠନକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତ ହେଉଛି ନକ୍ସା। ଏ ସମ୍ପର୍କରେ ଆଲୋଚନା ନିମନ୍ତେ ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀଗସ୍ତ କରିଛନ୍ତି। ଏଆଇସିସିର ଡକରା ପାଇ ସେ ଦିଲ୍ଲୀ ଯାଇଛନ୍ତି। ଦଳୀୟ ସଙ୍ଗଠନ ସହ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ସମ୍ପର୍କରେ ସେ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

prayash

ଦଳୀୟ ସୁତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଦୟପୁର ନବ ସଂକଳ୍ପ ଶିବିରରେ ନିଆଯାଇଥିବା ନିଷ୍ପତ୍ତିକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରାଇବେ। ଏଥିସହିତ ନୂଆ ଟିମ ଗଠନ ନେଇ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। କେନ୍ଦ୍ରୀୟ ନେତାମାନଙ୍କ ସହ ରାଜ୍ୟ ସଙ୍ଗଠନ ସମ୍ପର୍କରେ ବିଚାରବିମର୍ଶ କରିବେ। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନୂଆ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ପୂର୍ଣ୍ଣ ସମର୍ଥନ କରି ତାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ସୁଦୃଢ଼ ହେବ ବୋଲି କହିଛନ୍ତି। ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତ୍ତି ଅନୁସାରେ ନୂଆ ପିସିସି କମିଟିରେ ଅଧିକ ଯୁବକ ଯୁବତୀଙ୍କୁ ସାମିଲ କରାଯିବାର ଯୋଜନା ରହିଛି। ଶ୍ରୀ ପଟ୍ଟନାୟକ ପୂର୍ବରୁ ପିସିସି ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିବାରୁ ପୂର୍ବ ଅଭିଜ୍ଞତା ଆଧାରରେ ତୃଣମୂଳସ୍ତରରୁ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେବେ ବୋଲି ଦଳରେ ଆଲୋଚନା ହେଉଛି।

ନିକଟରେ ଆୟୋଜିତ ନବ ସଂକଳ୍ପ ଶିବିରରେ ଦଳର ବରିଷ୍ଠ ନେତା, ଦଳର ବିଧାୟକ, ସାଂସଦ ଓ ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହିତ ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା ହୋଇଥିଲା। ଏଥିସହିତ ପିସିସି ସଭାପତି ସବୁ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ଓ ଜିଲା ସଭାପତିଙ୍କ ସହ ସଙ୍ଗଠନ ସମ୍ପର୍କରେ ବିଚାରବିମର୍ଶ ଚଳାଇଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଦଳୀୟ ସଙ୍ଗଠନ କିପରି ମଜଭୁତ କରାଯିବ ସେ ସମ୍ପର୍କରେ ଆଲୋଚନା କରିବାକୁ ଦିଲ୍ଲୀ ଆସିଛି। ରାହୁଲ ଗାନ୍ଧୀ ପଞ୍ଜାବ ଗସ୍ତରେ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା ହୋଇଛି। ତେଣୁ ହାଇକମାଣ୍ଡରଙ୍କୁ ଭେଟିବାର ସମ୍ଭାବନା ନାହିଁ। ପ୍ରଭାରୀ ଏ. ଚେଲ୍ଲା କୁମାର ଏବଂ ଅନ୍ୟାନ୍ୟ ଦଳୀୟ ନେତାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

kalyan agarbati

Comments are closed.