କେଶରୀ ମଲ୍‌ରେ ନିଆଁ; ବ୍ୟବସାୟୀ ଛାନିଆଁ

ଭୁବନେଶ୍ୱର: କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର ପ୍ରାୟ ସାଢ଼େ ୩ଘଣ୍ଟା ପର‌୍ୟ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ଧୂଆଁ ହୋଇଥିଲା । ନିଆଁ ପ୍ରାୟ ୧୨ଟା ୪୦ରେ ନିୟନ୍ତ୍ରଣକୁ ଆସିଥିବାବେଳେ ପ୍ରାୟ ୨ଟା ବେଳେ ଧୂଆଁ କମିଥିଲା। ଅଗ୍ନିଶମ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ନିଆଁ ନିୟନ୍ତ୍ରଣକ କରାଯାଇଥିଲା । ମଲ୍‌ରେ ଥିବା ଅଜୟ ଗାର୍ମେଣ୍ଟ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଦୋକାନ ମାଲିକ ଅଜୟ ସାହା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିକାଣ୍ଡରେ ତାଙ୍କର ପାଖାପାଖି ୩୫ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି।

ନିଆଁ ଲିଭାଇବାରେ ବାଧକ ଧୂଆଁ

ନିଆଁ ଲିଭାଇବାରେ ବାଧକ ସାଜିଥିଲା ଅତ୍ୟଧିକ ଧୂଆଁ । ନିୟୋଜିତ ଅଗ୍ନିଶମ କର୍ମଚାରୀ ଅତ୍ୟଧିକ ଧୂଆଁ ହେବାରୁ କଷ୍ଟ ଅନୁଭବ କରିଥିଲେ। ସେମାନେ  ଅକ୍ସି‌ଜେନ ସଂଯୋଗ କରି ଦୋକାନ ଭିତରେ ପ୍ରବେଶ କରିଥିଲେ। ସିଲିଂ ଭାଙ୍ଗି ନିଆଁ ଲିଭାଇଥିଲେ ଅଗ୍ନିଶମ କର୍ମଚାରୀ ।

ଅନ୍ଧାର ଯୋଗୁଁ ଅପରେସନ୍ ବିଳମ୍ବ

ସର୍ଟ ସର୍କିଟ୍ ଯୋଗୁଁ କେଶରୀ ମଲ୍‌ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏଥିଯୋଗୁଁ ସମ୍ପୂର୍ଣ୍ଣ ମଲ୍‌କୁ ବିଦ୍ୟୁତ୍ ସରବରାହ ବନ୍ଦ କରାଯାଇଥିଲା । ଅନ୍ଧାର ଯୋଗୁଁ ନିଆଁ ଲିଭାଇବା କଷ୍ଟକର ବ୍ୟାପାର ହୋଇଥିଲା । ମୁଖ୍ୟତଃ ଫାଇବର ଓ ପ୍ଲାଷ୍ଟିକ ତାର ସଂଯୋଗ ଥିବାରୁ ନିଆଁ ଓ ଧୂଆଁ ବ୍ୟାପିଥିଲା । ଅନ୍ଧାରକୁ ଏଡ଼ାଇବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀ ହାଇଡ୍ରା ଲାଇଟ୍ ଲଗାଇଥିଲେ ।

ଅବ୍ୟବସ୍ଥାକୁ ଦାୟୀ କଲେ ବ୍ୟବସାୟୀ

ମଲ୍‌ରେ ଅଗ୍ନି ନିର୍ବାପକ ପାଇଁ ଠିକ୍ ଭାବେ ବ୍ୟବସ୍ଥା ନାହିଁ ।  ସୁରକ୍ଷାରେ ଅବହେଳା ଯୋଗୁଁ ଆଜି ଏଭଳି ଅଘଟଣ ହେଲା ବୋଲି ବ୍ୟବସାୟୀ କହିଛନ୍ତି । ଏପରିକି ସୁରକ୍ଷାକର୍ମୀ ପୁଲିସକୁ ଖବର ଦେଇ ନଥିଲେ । ମାସକୁ ପ୍ରାୟ ୩୦ହଜାର ଟଙ୍କା ଦେଉଥିଲେ ମଧ୍ୟ କିଛି ସୁବିଧା ମିଳୁନି ବୋଲି ଅଧିକାଂଶ ବ୍ୟବସାୟୀ ଅଭିଯୋଗ କରିଛନ୍ତି ।

ବିଳମ୍ବ ଯୋଗୁଁ ବ୍ୟାପିଲା ନିଆଁ

ନିଆଁ ଲାଗିବା ପରେ ଦମକଳ କେନ୍ଦ୍ରକୁ ଫୋନ୍ କରିଥିଲେ ମଧ୍ୟ ବିଳମ୍ବରେ  କର୍ମଚାରୀ ଆସିଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି। ପ୍ରାୟ ୨୦ମିନିଟ୍ ବିଳମ୍ବରେ ଆସିଥିବା ସେମାନେ କହିଛନ୍ତି। ବିଳମ୍ବ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ଦୋକାନ ଜଳି ପାଉଁଶ ହୋଇଗଲା । ଠିକ୍ ସମୟରେ ଅଗ୍ନିଶମ କର୍ମଚାରୀ ଆସିଥିଲେ ନିଆଁକୁ ଆୟତ୍ତ କରାଯାଇ ପାରିଥାନ୍ତା ବୋଲି ବ୍ୟବସାୟୀ କହିଛନ୍ତି।

ଘଟଣାସ୍ଥଳରେ ବିଧାୟକ, ମେୟର

ଅଗ୍ନିକାଣ୍ଡସ୍ଥଳରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମସି ମେୟର ସୁଲୋଚନା ଦାସ, କର୍ପୋରେଟର ଅମରେଶ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। କ୍ଷତିଗ୍ରସ୍ତ ଦୋକାନୀଙ୍କ ସହ ଏନେଇ ଆଲୋଚନା କରିବା ସହ ପୁଲିସ ଓ ଅଗ୍ନିଶମ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

ନିଆଁ ଲିଭାଇବା କାମରେ ୬ ଟିମ୍

ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୬ଟି ଅଗ୍ନିଶମ ଦଳ ନିୟୋଜିତ ଥିଲେ । ସଚିବାଳୟ ଓ କଳ୍ପନା ଅଗ୍ନିଶମ ଡମକଳ କେନ୍ଦ୍ରର କର୍ମଚାରୀ ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ। କ୍ୟାପିଟାଲ, ଲିଙ୍ଗରାଜ ଓ ଖାରବେଳ ଥାନର ପୁଲିସ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ କାର‌୍ୟ୍ୟରେ ନିୟୋଜିତ ହୋଇଥିଲେ ।

ପୁଲିସକୁ ଘାରିଲା ଚୋରି ଓ ଅଘଟଣ ଭୟ

ନିଆଁ ଲାଗିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ସମୟ ବଢିଥିବା ସହ ମଲ୍‌ ଭିତର ଓ ବାହାରେ ଲୋକ ରୁଣ୍ଡ ହୋଇଥିଲେ । ମଲ୍‌ରେ ବିଦ୍ୟୁତ୍ ନଥିବାରୁ ଚୋରି ହେବାର ଭୟ ବଢିଥିଲା । ଏହାକୁ ନେଇ ଜନତାଙ୍କୁ ଘଉଡ଼ାଇବାକୁ ଲାଗିଥିଲା ଧୁଆଁ ନିର୍ଗତ ହେଉଥିବାରୁ ଲୋକ ଅଘଟଣରେ ପଡ଼ିବା ଆଶଙ୍କା ଥିବାରୁ ସେମାନଙ୍କୁ ପୁଲିସ ଘଉଡ଼ାଇଥିଲା।

ଫାଟିଲା କାଚ ଓ ଆସବାବପତ୍ର

ନିଆଁ ଲାଗିବା ଯୋଗୁଁ ଦୋକନାରେ ଥିବା କାଚ ଫାଟିଥିଲା। ଦୋକାନର ସାଜସଜ୍ୟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ଅଗ୍ନିଶମ କର୍ମଚାରୀ। କର୍ମଚାରୀଙ୍କ ସହ ସ୍ଥାନୀୟ ବ୍ୟବସାୟୀ ନିଆଁ ଲିଭାରେ ସହଯୋଗ କରିଥିଲେ। ସିଲିଙ୍ଗ ବାଟେ ନିଆଁ ବ୍ୟାପୁଥିବାରୁ ସିଲିଙ୍ଗୁ ବାଡେଇ ଭଙ୍ଗାଯାଇଥିଲା।

Comments are closed.