ଚର୍ଚ୍ଚାରେ କଳାହାଣ୍ଡିର ଗୋଟ ବ୍ୟାଙ୍କ୍, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭବାନୀପାଟଣା: ପ୍ରଧାନମନ୍ତ୍ରୀ ମୋଦୀ ଜିଙ୍କ ମନ କି ବାତରେ କଳାହାଣ୍ଡିର ଗୋଟ ବ୍ୟାଙ୍କ୍ ପ୍ରତିଷ୍ଠାତା ଦମ୍ପତ୍ତି ବୀରେନ ଏବଂ ଜୟନ୍ତୀ। ଆଜି ଦିନ ତମାମ ଚର୍ଚ୍ଚାରେ ଏହି ମେନେଜମେଣ୍ଟ ଦମ୍ପତ୍ତି। ସଦର ବ୍ଲକ୍ ସଲେଭଟା ଗାଁର ବୀରେନ ସାହୁ ଏବଂ ପତ୍ନୀ ଜୟନ୍ତୀ ମହାପାତ୍ର। ବ୍ୟବସାୟ ପରିଚାଳନା ଶିକ୍ଷା କରି ବିଭିନ୍ନ ଫାର୍ମରେ କାମ କରୁଥିବା ଏହି ଦମ୍ପତ୍ତି ନିଜସ୍ଵ ଉଦ୍ୟମ ଏବଂ ଗାଁରେ ଭିନ୍ନ କିଛି କରିବାର ପ୍ରଚେଷ୍ଟା ଯୋଗୁଁ ଆଜି ଦେଶର ପ୍ରଧାନମନ୍ତ୍ରୀ ନିଜ ମୁହଁରେ ଉଭୟଙ୍କ ପ୍ରଶଂସା କରିଛନ୍ତି।
ସମ୍ପ୍ରତି ପୁନେରେ କାର୍ଯ୍ୟରତ ବୀରେନ ଏବଂ ଭୁବନେଶ୍ବରରେ କାମ କରୁଥିବା ଜୟନ୍ତୀ ଗାଁ ପାଇଁ ଭିନ୍ନ କିଛି କରିବାର ପ୍ରୟାସ କରିଥିଲେ। ତେବେ ବ୍ୟବସାୟ ପରିଚାଳନା ବୃତ୍ତିରୁ ଛେଳି ଚାଷକୁ କିଭଳି ଗ୍ରହଣ କଲେ ସେନେଇ ବୀରେନ ଉତ୍ତର ରଖି କହିଛନ୍ତି ଯେ ଗାଁ ଗହଳ ର ପାରମ୍ପାରିକ ‘ସାଏଜି’ ବା ଭାଗ ଚାଷକୁ ବୃତ୍ତିଗତ ବା ପ୍ରଫେସନାଲରେ ରୂପାନ୍ତରିତ ହିଁ ଗୋଟ ବ୍ୟାଙ୍କ ବୋଲି କୁହନ୍ତି ବୀରେନ ।
ପାରମ୍ପରିକ ଭାବେ ଛେଳି ଚାଷ କରୁଥିବା ଲୋକଙ୍କୁ କିଛି ଛେଳି ଦେଇ ସେମାନଙ୍କୁ ଏହାଳ ଲାଳନ ପାଳନ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ବିଭିନ୍ନ ପ୍ରକାର ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କରାଗଲା। ଫଳରେ ଆମ କାମ ଖୁବ୍ ସହଜ ହେଇଗଲା ବୋଲି ବୀରେନକୁ କହିଛନ୍ତି।
ଏକଦା ଗାଁର ଜଣେ ବୃଦ୍ଧ ଦୁଇଟି ଛେଳି କୁ ପାରମ୍ପରିକ ଭାବେ ଲାଳନ ପାଳନ କରି ବାର୍ଷିକ ଭଲ ଆୟ କରୁଥିବା ଦେଖିଲୁ। ପୁଣି ମହାରାଷ୍ଟ୍ର ନିମକର ଇନଷ୍ଟିଚ୍ୟୁଟକୁ ପରିଦର୍ଶନ ଯାଇ ସେଠାରୁ ପ୍ରେରଣା ପାଇଲୁ। ସେଥିରୁ ଚିନ୍ତାକଲୁ ଆମେ କାହିଁକି କରିପାରିବୁନି। ପ୍ରାୟ ୨୦୧୫ ମସିହାରେ ଗାଁରେ ଗୋଟ ମଣିକସ୍ତୁ ଗୋଟ ଫାର୍ମ ବା ବ୍ୟାଙ୍କର ଭିତ୍ତି ଭୂମି ଆରମ୍ଭ କଲୁ।
ପ୍ରାୟ ୨୦୧୮ ମସିହା ରେ ବୃତ୍ତିଗତ ଏବଂ ବ୍ୟବସାୟିକ ଭାବେ ଆମେ ଗାଁ ଅଞ୍ଚଳ ଲୋକଙ୍କୁ ଛେଳି ଦେଲୁ। ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେଇଥିବା ଏହି ବ୍ୟାଙ୍କ୍ ଏବେ ଆଖପାଖ ପ୍ରାୟ ୫୦ ଖଣ୍ଡ ଗାଁ ଲୋକଙ୍କ ଜୀବନ ଧାରଣର ମାନ ବଦଳାଇ ଦେଇଛି ବୋଲି କୁହନ୍ତି ବୀରେନ। ଏବେ ତାଙ୍କ ଫାର୍ମରେ ପ୍ରାୟ ୧୫୦ଟି ବିଭିନ୍ନ ପ୍ରଜାତିର ଛେଳି ରହିଛି। ସେହିଭଳି ପ୍ରାୟ ୫୦ ଗାଁ ଲୋକଙ୍କୁ ୧୫୦୦ ରୁ ଅଧିକ ଛେଳି ଦିଆଯାଇଛି। ସେମାନଙ୍କ ଠାରୁ ଜନ୍ମିତ ଛେଳି ଏବଂ ନିଜ ଫାର୍ମର ଶହ ଶହ ଛେଳି ବିକ୍ରି ପାଇଁ ହାଇଦ୍ରାବାଦ ସମେତ ବିଭିନ୍ନ ସହରକୁ ପଠାଯାଏ ବୋଲି ସେ କୁହନ୍ତି। ଏଥିସହିତ ଛେଳି ଖତ ତିଆରି କରାଯାଏ । ଏଠାରୁ ମାସକୁ ପ୍ରାୟ ୫୦ ଟନ ଛେଳି ଖତ ମହାରାଷ୍ଟ୍ରକୁ ପଠାଯାଉଥିବା ଜଣା ପଡ଼ିଛି। ଏଥିସହିତ ଛେଳି ଖାଦ୍ୟ ପ୍ରସ୍ତୁତ, ଘାସ ଚାଷ ଏବଂ ଅନ୍ୟାନ୍ୟ ଉତ୍ପାଦ ପ୍ରସ୍ତୁତ ହୁଏ।
ଗୋଟ ବ୍ୟାଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ବୃତ୍ତିଭିତ୍ତିକ ଟିମ୍ ରହିଛି। ବୀରେନ ସାହୁ ପୁନେରେ , ଜୟନ୍ତୀ ମହାପାତ୍ର ଭୁବନେଶ୍ଵର, ବୀରେନଙ୍କ କକା ସନାତନ ସାହୁ ଏବଂ ଭାଇ ମନୋଜ ସାହୁ ଗାଁରେ ରହି ବ୍ୟାଙ୍କ ଦେଖରେଖା କରୁଛନ୍ତି। ଏଥିସହିତ ଛେଳି ବିକ୍ରି , ଗୋଟ ମେନୁଏର ବିକ୍ରି, ଅନ୍ୟାନ୍ୟ କାମ ଦେଖାଶୁଣା ପାଇଁ ବିଭିନ୍ନ ସହରରେ କିଛି କିଛି ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଏହି ଗୋଟ ବ୍ୟାଙ୍କ ପାଇଁ ରାଜ୍ୟ ସରକାର, ପ୍ରାଣିଧନ ବିଭାଗର ସହାୟତା ମଧ୍ୟ ମିଳୁଥିବା ବୀରେନ ସ୍ବୀକାର କରନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁ ରେ ତାଙ୍କ ପ୍ରଚେଷ୍ଟା ର ପ୍ରଶଂସା ଅଧିକ ଉତ୍ସାହିତ କରିଛି ବୋଲି କହିଛନ୍ତି ବୀରେନ।
Comments are closed.