ଭାଗଲପୁର ହିଂସା; ବିଚାର ବିଭାଗୀୟ ଜେଲକୁ ଗଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ

0

ଭାଗଲପୁର : ଭାଗଲପୁର ନାଥନଗର ହିଂସାକାଣ୍ଡ ମାମଲାରେ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ପୁଅ ଅର୍ଜିତ ଶନିବାର ବିଳମ୍ବିତ ରାତିରେ ପାଟନାଠାରେ ଏଏସ୍‌ପି ଏବଂ ସ୍ୱତନ୍ତ୍ର କ୍ରାଇମବ୍ରାଞ୍ଚ ଦଳ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ରବିବାର ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା । ଅଦାଲତ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତଙ୍କୁ ପଠାଇ ଦେଇଛି ।
ସୂଚନା ଅନୁସାରେ ରାତି ପ୍ରାୟ ୧୨ଟା ସମୟରେ ଅର୍ଜିତ ନିଜ ସମର୍ଥକଙ୍କ ସହ ପାଟନା ଜଙ୍କସନସ୍ଥିତ ହନୁମାନ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ସେଠାରେ ସେମାନେ ଜୟ ଶ୍ରୀରାମ ଏବଂ ଭାରତ ମାତା କି ଜୟ ସ୍ଲୋଗାନ ଦେଇଥିଲେ । ସେଠାରେ ଅର୍ଜିତ କହିଥିଲେ ଯେ ମୁଁ ଫେରାର ହୋଇନଥିଲି । ଭାରତ ମାତା କି ଜୟ କହିବା କୌଣସି ଅପରାଧ ନୁହେଁ । ମୁଁ କୌଣସି ଅପରାଧ କରିନାହିଁ । ଏହାପରେ ସେ ଯାଇ ଆତ୍ମସର୍ମପଣ କରିଥିଲେ । ପ୍ରକାଶ ଯେ ଶନିବାର ଭାଗଲପୁର ଜିଲାକୋର୍ଟ ଅର୍ଜିତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଅର୍ଜିତଙ୍କ ସମେତ ଅନ୍ୟ ଅଭିଯୁକ୍ତ ଅଭୟ କୁମାର ଘୋଷ, ପ୍ରମୋଦ ବର୍ଭା, ଦେବ କୁମାର ପାଣ୍ଡ୍ୟା, ସୁରେନ୍ଦ୍ର ପାଠକ, ଅନୁପ ଲାଲ ଶାହ, ସଂଜୟ ଭଟ୍ଟ, ପ୍ରଣବ ଦାସଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ । ଏହାପରେ ରାତିରେ ଅର୍ଜିତ ଆତ୍ମସମର୍ପଣ କରିଥିଲେ । ପ୍ରକାଶ ଯେ ୧୭ ମାର୍ଚ୍ଚରେ ହିନ୍ଦୁ ନବବର୍ଷ ଉପଲକ୍ଷେ ଭାଗଲପୁର ନାଥନଗରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା । ନାଥନଗର ମଦନିନଗର ଛକ ନିକଟରେ ଅନ୍ୟ ଏକ ସମ୍ପ୍ରଦାୟର ଲୋକେ ଏହି ଶୋଭାଯାତ୍ରାକୁ ଅଟକାଇବା ସହ ବିରୋଧ କରିଥିଲେ । ଏହାପରେ ଦୁଇ ପକ୍ଷ ମଧ୍ୟରେ ମାରପିଟ, ପଥର ମାଡ଼, ପୋଡ଼ାଜଳା ଓ ଭଙ୍ଗାରୁଜା ଭଳି ହିଂସାକାଣ୍ଡ ଘଟିଥିଲା । ନାଥନଗର ପୁଲିସ୍‌ ଏନେଇ କେସ୍‌ ନଂ ୧୭୬/୦୧୮ରେ ଏକ ମାମଲା ଦାୟର କରିଥିଲା । ଏହି ମାମଲାରେ ଅର୍ଜିତଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା ।

Leave A Reply