ଆଇଜର୍‌ ଛାତ୍ରଙ୍କ ଗଳିତ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଏମକେସିଜି ମେଡିକାଲ ପରିସରରେ ଥିବା ଏକ ନିର୍ମାଣାଧୀନ କୋଠା ଭିତରୁ ଜଣେ ଆଇଜର୍‌(ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଣୋ ପ୍ରତିଷ୍ଠାନ)ର ଛାତ୍ରଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ କୋରାପୁଟ ଜିଲା ବୋରିଗୁମ୍ମାର ଏମ. ସତ୍ୟନାରାୟଣ ଆଚାରୀଙ୍କ ପୁଅ ଏମ. ଅଭିନାଶ ଆଚାରୀ(୨୩)। ଅଭିନାଶ ବ୍ରହ୍ମପୁର ନିକଟ ଲଉଡିଗାଁ ଠାରେ ଥିବା ଆଇଜର୍‌ ଅନୁଷ୍ଠାନର ଶେଷବର୍ଷ ବିଦ୍ୟାର୍ଥୀ ଥିଲେ। ତାଙ୍କ ଶରୀର ପଚିସଢି ଯାଇଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଏମକେସିଜି ମେଡିକାଲ ପିଜି ପୁରୁଷ ହଷ୍ଟେଲ ନିକଟରେ ନିର୍ମାଣ ଚାଲିଥିବା ଏକ ବହୁତଳ କୋଠା ଭିତରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ପଡିଥିବା ନେଇ ମେଡିକାଲ ଫାଣ୍ଡି ପୁଲିସକୁ ଖବର ମିଳିଥିଲା।ମୃତଦେହଟି ଆଜକୁ ୭ ଦିନରୁ ଅଧିକ ସମୟ ସେଠାରେ ପଡି ରହିଥିବାରୁ ତାକୁ ଚିହ୍ନିବା କଷ୍ଟକର ହୋଇପଡିଥିଲା। ମୃତଦେହଟି ମୁହଁମାଡି ତଳେ ପଡିଥିବା ବେଳେ ହାତଗୋଡ ନଷ୍ଟ ହୋଇସାରିଥିଲା।

prayash

ପୁଲିସ ମୃତଦେହ ନିକଟରେ ପଡିଥିବା ଏକ ମୋବାଇଲ ପାଇଥିଲା। ସେହି ମୋବାଇଲରୁ ସିମ ବାହାର କରି ଅନ୍ୟ ଏକ ମୋବାଇଲରେ ପକାଇବା ପରେ ଅଭିନାଶଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ହୋଇ ପାରିଥିଲା। ସେହିପରି ଅଭିନାଶ ନିଜ ହାତରେ ପିନ୍ଧିଥିବା ବ୍ରେସଲେଟ ଓ ବେକରେ ପିନ୍ଧିଥିବା ମାଳିରୁ ସେ ହିଁ ଅଭିନାଶ ବୋଲି ପରିବାର ଲୋକେ ସ୍ପଷ୍ଟ କରିଥିଲେ। କେଉଁ ପରିସ୍ଥିତିରେ ଅଭିନାଶଙ୍କ ମୃତଦେହ ଏହି କୋଠାକୁ ଆସିଲା ? ସେ ଏଠାକୁ ଆସି ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମେଧାବୀ ଛାତ୍ର ଅଭିନାଶ ପୂର୍ବରୁ ଆଇଜର ହଷ୍ଟେଲରେ ରହୁଥିଲେ। ହେଲେ ସେଠାରେ ଭଲ ନଲାଗିବାରୁ ବ୍ରହ୍ମପୁର ଶାନ୍ତିନଗର ସ୍ଥିତ ରାଧାକୃଷ୍ଣ ହଷ୍ଟେଲ ନାମକ ଏକ ଘରୋଇ ହଷ୍ଟେଲରେ ରହିଆସୁଥିଲେ। ଗତ ୧୧ ତାରିଖରେ ସେ ନିଜ ଗାଁରୁ ରାଧାକୃଷ୍ଣ ହଷ୍ଟେଲକୁ ଫେରିଥିଲେ। ହେଲେ ୧୨ ତାରିଖ ଠାରୁ ହଷ୍ଟେଲରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରୁଥିଲେ ମଧ୍ୟ ସେ ଗ୍ରହଣ କରିନଥିଲେ।

ଅନ୍ୟପକ୍ଷରେ ଶେଷ ବର୍ଷର ପାଠପଢା ଓ ପ୍ରୋଜେକ୍ଟକୁ ନେଇ ଅଭିନାଶ ଚିନ୍ତିତ ଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। କରୋନା ମହାମାରୀ ପରଠାରୁ ଅଭିନାଶଙ୍କ ଠାରେ ମାନସିକ ଅସ୍ଥିରତା ଦେଖାଦେବାରୁ ପରିବାର ଲୋକେ ତାଙ୍କର କାଉନସେଲିଂ ମଧ୍ୟ କରାଇଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା(କେସ ନଂ ୯୨/୨୪)ରୁଜୁ ହୋଇଛିା ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବାବାଶଙ୍କର ସରାଫ କହିଛନ୍ତି।

Comments are closed.