ବେଗୁନିଆ: ଚଳିତ ବର୍ଷ ବେଗୁନିଆ ବ୍ଲକରେ ଜଳ।ଭାବ, ଅଦିନିଆ ବର୍ଷା ଏବଂ ରୋଗ ପୋକ ଯୋଗୁଁ ଫସଲ କ୍ଷତି ହୋଇଥିଲେ ମଧ୍ୟ ବୀମା କମ୍ପାନୀ ତଥା ବିଭାଗୀୟ ପଦାଧିକାରୀଙ୍କର ଅବହେଳା କାରଣରୁ ଚାଷୀମାନେ ବିମାଜନିତ କ୍ଷୟକ୍ଷତି ପାଇ ପାରୁନାହାନ୍ତି। ଚାଷୀମାନଙ୍କର ସମସ୍ୟା ସମାଧାନ ଦିଗରେ ପ୍ରଶାସନର ନୀରବତା ନୈରାଶ୍ୟଭାବ ସୃଷ୍ଟି କରିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ବାତ୍ୟା ଜୱାଦ ଯୋଗୁଁ ଧାନ ଫସଲ କ୍ଷତି ନେଇ ଚାଷୀମାନେ ବୀମା ଜନିତ କ୍ଷତି ପୂରଣ ପାଇବା ପାଇଁ ଦାବି କରି ଆସୁଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଚାଷୀମାନଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ ନକରିବା ପରିତାପର ବିଷୟ। ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କ ତରଫରୁ ୩ ଦଫା ସମ୍ବଳିତ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ଦାବି ପୂରଣ ନହେଲେ ଆସନ୍ତା ୧୨ ତାରିଖ ଦିନ ରାସ୍ତା ରୋକ କରାଯିବ ବୋଲି ଚାଷମାନଙ୍କ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଥିଲା।
ଇତି ମଧ୍ୟରେ ଗତକାଲି ଚାଷୀ ପ୍ରତିନିଧିମାନେ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ଏ ସଂକ୍ରାନ୍ତରେ ଦେଖା କରି ଆଲୋଚନା କରିଥିଲେ। ଆଜି ଏହି ମର୍ମରେ ବିଧାୟକଙ୍କ ଉପସ୍ଥିତିରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ରଥ, ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀଙ୍କ ସହିତ ଚାଷୀ ପ୍ରତିନିଧି ସୌରୀ ସାହୁ, ଭିକାରୀ ସାହୁ, ଶିବପ୍ରସାଦ ଦାସ, ସୁରେନ୍ଦ୍ର ବେହେରା, କାଶୀନାଥ ମହାପାତ୍ର, ଶୁସାନ୍ତ ଦେବର୍ତା ଏବଂ ମମତା ବେଉରା ପ୍ରମୁଖ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଆସନ୍ତା ୧୨ ତାରିଖରେ ହେବାକୁ ଥିବା ରାସ୍ତାରୋକକୁ ସ୍ଥଗିତ ରଖାଯାଇଥିଲା। ପୁନଶ୍ଚ ୧୪ ତାରିଖ ଦିନ ବିଧାୟକଙ୍କ ଉପସ୍ଥିତିରେ ବୀମା କମ୍ପାନୀର କର୍ମଚାରୀମାନଙ୍କୁ ଡାକି ସମ୍ପୃକ୍ତ ଅଧିକାରୀ ଏବଂ ଚାଷୀପ୍ରତିନିଧିମାନଙ୍କ ଉପସ୍ଥିତିରେ ଘଟଣାର ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।



