ଫ୍ରେଜର-ମ୍ୟାକ୍‌ଗର୍କଙ୍କ ପ୍ରହାର; ମୁମ୍ବଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଶନିବାର ଚଳିତ ଆଇପିଏଲ୍‌ରେ ପୁଣି ଏକ ଅଧିକ ସ୍କୋର୍‌ର ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଏଥିରେ ମୁମ୍ବଇ ଇଣ୍ଡିଆନ୍‌ସକୁ ମାତ୍ର ୧୦ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ପରାସ୍ତ କରିଛି। ଜେକ୍ ଫ୍ରେଜର-ମ୍ୟାକ୍‌ଗର୍କଙ୍କ ବିସ୍ଫୋରକ ୮୪ ରନ୍‌ ସହ ସୈ ହୋପ୍ ଓ ଟ୍ରିଷ୍ଟାନ୍‌ ଷ୍ଟବ୍‌ସଙ୍କ ବିଧ୍ବଂସୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୪ ୱିକେଟ୍‌ରେ ୨୫୭ ରନ୍‌ କରିଥିଲା। ପରେ ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା ଓ ଟିମ୍ ଡେଭିଡ୍‌ଙ୍କ ଆକ୍ରମଣାତ୍ମକ ଇନିଂସ ସତ୍ତ୍ବେ ମୁମ୍ବଇ ଇଣ୍ଡିଆନ୍‌ସ ୯ ୱିକେଟରେ ୨୪୭ ରନ୍‌ କରି ପାରିଥିଲା। ୧୦ମ ମ୍ୟାଚ୍‌ରେ ୫ମ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ୯ମ ମ୍ୟାଚ୍‌ରୁ ମୁମ୍ବଇ ୬ଷ୍ଠ ପରାଜୟ ପରାଜୟ ପରେ ଚିନ୍ତାରେ ପଡ଼ିଯାଇଛି।

୨୫୮ ରନ୍‌ ବିଜୟଲକ୍ଷ୍ୟରେ ମୁମ୍ବଇ ଇଣ୍ଡିଆନ୍‌ସ ଓପ୍‌ନିଂ ଯୋଡ଼ିରେ ୩୫ ରନ୍‌ କରିବା ପରେ ରୋହିତ ଶର୍ମା ୮ ରନ୍‌କରି ବିଦାୟ ନେଇଥିଲେ। ୧୪ ବଲ୍‌ରୁ ୪ଟି ଚୌକା ସହ ୨୦ ରନ୍‌କରି ଈଶାନ୍ କିଷନ୍ ପରବର୍ତ୍ତୀ ଓଭରରେ ବିଦାୟ ନେଇଥିଲେ। ୬ ଓଭରରେ ୬୫ ରନ୍‌ ହୋଇଥିଲେ ହେଁ ମୁମ୍ବଇ ୩ୟ ୱିକେଟ୍‌ ହରାଇ ସାରିଥିଲା। ଦଳର ମ୍ୟାଚ୍‌ ବି​‌େ​‌ଜତା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୩ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୨୬ ରନ୍‌କରି ବିଦାୟ ନେଇଥିଲେ। ପରେ ତିଳକ ବର୍ମା ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଚମତ୍କାର ଭାଗୀଦାରି କରିଥିଲେ। ଦୁହେଁ ନିୟମିତ ବାଉଣ୍ଡରୀ ମାରି ୩୯ ବଲ୍‌ରୁ ୭୧ ରନ୍‌ ଯୋଗକରି ମୁମ୍ବଇକୁ ବିଜୟପକ୍ଷରେ ଅଗ୍ରସର କରାଇଥିଲେ।

ହାର୍ଦିକ ବିସ୍ଫୋରକ ଇନିଂସ ଖେଳି ମାତ୍ର ୨୪ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୪୬ ରନ୍‌କରି ଆଉଟ୍‌ ହେବା ମୁମ୍ବଇ ପାଇଁ ଶକ୍ତ ଧକ୍ତା ଥିଲା। ନିହାଲ ୱଧେରା ୪ ରନ୍‌ କରିଥିଲେ। ୩ ଓଭରରୁ ୬୪ ରନ୍‌ ଆବଶ୍ୟକ ଥିବା ବେଳେ ଟିମ୍ ଡେଭିଡ୍ ଆକ୍ରମଣ କରିଥିଲେ। ୧୮ଶ ଓଭରର ପ୍ରଥମ ୩ଟି ବଲ୍‌ରୁ ୬, ୪, ୬ ମାରିବା ପରେ ୪ର୍ଥ ବଲ୍‌ରେ ଡେଭିଡ୍‌ ଆଉଟ୍‌ ହୋଇଥିଲେ। ଟିମ୍ ଡେଭିଡ୍‌ ୧୭ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୭ ରନ୍‌ କରିଥିଲେ। ମହମ୍ମଦ ନବି ୭ ରନ୍‌କରି ବିଦାୟ ନେଇଥିଲେ। ଶେଷ ଓଭରରୁ ୨୫ ରନ୍‌ ଆବଶ୍ୟକ ଥିବା ବେ​‌େ​‌ଳ ପ୍ରଥମ ବଲ୍‌ରେ ତିଳକ ବର୍ମା ରନ୍‌ଆଉଟ୍‌ ହୋଇଥିଲେ। ବାମହାତି ତିଳକ ୩୨ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୩ ରନ୍‌ କରିଥିଲେ। ପୀୟୂଷ ଚାୱଲା ୪ ବଲ୍‌ରୁ ୧୦ ରନ୍‌ କରିଥିବା ବେଳେ ଲ୍ୟୁକ୍‌ ଉଡ୍‌ ୯ ରନ୍‌କରି ଅପରାଜିତ ଥିଲେ। ମୁକେଶ କୁମାର ଓ ରସିଖ୍ ସଲାମ୍ ୩ଟି ଲେଖାଏଁ ଏବଂ ଖଲିଲ ଅହମ୍ମଦ ୨ଟି ୱିକେଟ୍ ନେଇଥିଲେ।
ମୁମ୍ବଇ ଇଣ୍ଡିଆନ୍‌ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ପ୍ରଥମ ବଲ୍‌ରୁ ହିଁ ଜେକ୍ ଫ୍ରେଜର-ମ୍ୟାକ୍‌ଗର୍କ ବାଉଣ୍ଡରୀ ବର୍ଷା ଆରମ୍ଭ କରିଥିଲେ।

ପ୍ରଥମ ୫ ଓଭରରୁ ଫ୍ରେଜର-ମ୍ୟାକ୍‌ଗର୍କ ଓ ଅଭିଷେକ ପୋରେଲ ୧୯, ୧୮, ୧୮, ୧୪ ଓ ୨୦ ରନ୍‌ ମାରିଥିଲେ। ଯଶପ୍ରୀତ ବୁମ୍‌ରା ତାଙ୍କ ପ୍ରଥମ ଓଭରରୁ ୧୮ ରନ୍‌ ଦେଇଥିଲେ। ମାତ୍ର ୧୫ ବଲ୍‌ରୁ ଅଷ୍ଟ୍ରେଲିଆର ଫ୍ରେଜର-ମ୍ୟାକ୍‌ଗର୍କ ଅର୍ଦ୍ଧଶତକ ପୂରଣ କରିଥିଲେ। ୭ ଓଭରରେ ଦିଲ୍ଲୀ ୧୧୩ ରନ୍‌ରେ ପହଞ୍ଚି ଯାଇଥିଲା। ଫ୍ରେଜର-ମ୍ୟାକ୍‌ଗର୍କ ୮ମ ଓଭରରେ ମାତ୍ର ୨୭ ବଲ୍‌ରୁ ୬ଟି ଛକା ଓ ୧୧ଟି ଚୌକା ସହ ୮୪ ରନ୍‌କରି ଆଉଟ୍‌ ହୋଇଥିଲେ। ୮୪ ରନ୍‌ରୁ ଫ୍ରେଜର-ମ୍ୟାକ୍‌ଗର୍କ ୮୦ ରନ୍‌ ବାଉଣ୍ଡରୀରୁ ସ୍କୋର୍‌ କରିଥିଲେ। ଅଭିଷେକ ପୋରେଲ ୨୭ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୬ ରନ୍‌କରି ବିଦାୟ ନେଇଥିଲେ। ୱେଷ୍ଟଇଣ୍ଡିଜ୍‌ର ସୈ ହୋପ୍‌ ଛକା ବର୍ଷା କରିଥିଲେ। ହୋପ୍ ମାତ୍ର ୧୭ ବଲ୍‌ରୁ ୫ଟି ଛକା ସହ ୪୧ ରନ୍‌ କରିଥିଲେ। ଅଧିନାୟକ ଋଷଭ ପନ୍ତ୍ ଭଲ ବ୍ୟାଟିଂ କରିଥିଲେ ହେଁ ଶେଷଆଡ଼କୁ ବିଧ୍ବଂସୀ ବ୍ୟାଟିଂ କରିଥିଲେ ଟ୍ରିଷ୍ଟାନ୍ ଷ୍ଟବ୍‌ସ। ୧୮ଶ ଓଭରରେ ଷ୍ଟବ୍‌ସ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ହେଁ ଏଥିରୁ ୫ଟି ବାଉଣ୍ଡରୀ ସେ ସ୍କୁପ୍‌ ସଟ୍‌ରୁ ମାରିଥିଲେ। ଋଷଭ ପନ୍ତ୍ ୧୯ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୯ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକାର ଟ୍ରିଷ୍ଟାନ୍ ଷ୍ଟବ୍‌ସ ୨୫ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୪୮ ରନ୍‌କରି ଅପରାଜିତ ଥିଲେ। ଜେକ୍‌ ଫ୍ରେଜର-ମ୍ୟାକ୍‌ଗର୍କ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.