ଭଦ୍ରକ ହେବ ଦ୍ବିତୀୟ ସୁରତ, ୧୨୦୦କୋଟି ନିବେଶ

0

ଭୁବନେଶ୍ୱର : ଓଡ଼ିଶାରେ ରହିଛି ସୁଦୀର୍ଘ ଉପକୂଳ, ପ୍ରଚୁର ଖଣିଜ ସମ୍ପଦ। ଓଡ଼ିଶାର ଜନସାଧାରଣଙ୍କ ଧୀମତ୍ତା ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ଓ ପ୍ରାକୃତିକ ପୋତାଶ୍ରୟ ଓଡ଼ିଶାକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଓଡ଼ିଶାର କୌଣସି ପ୍ରତିବେଶୀ ବା ଦେଶର ଅନ୍ୟ କୌଣସି ରାଜ୍ୟକୁ ପ୍ରକୃତି ଏପରି ବରଦାନ ଦେଇ ନାହିଁ। ଏହାର ବାସ୍ତବ ଉପଯୋଗ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ଓ ଆଗାମୀ ୨ ଦଶନ୍ଧିରେ ଓଡ଼ିଶା ବିଶ୍ୱର ସମୃଦ୍ଧ ଅଞ୍ଚଳ ଭାବରେ ପରିଗଣିତ ହେବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଗୁରୁବାର କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକଙ୍କ ଭାବବିନିମୟ କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପୂର୍ବ ଭାରତର ବିକାଶର ଦ୍ୱାର କରିବାର ଲକ୍ଷ୍ୟ ରଖିଛନ୍ତି
। ଓଡ଼ିଶାରେ ବିକାଶର ମୂଳଦୁଆ ଇତିମଧ୍ୟରେ ପଡ଼ି ସାରିଛି। ଉପକୂଳ ରାଜପଥ, ଭୁବନେଶ୍ୱରରେ ଦ୍ୱିତୀୟ ବିମାନବନ୍ଦର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ କଟକ, ଖୋର୍ଦ୍ଧା, ଢ଼େଙ୍କାନାଳ, ଯାଜପୁର, ଜଗତ୍‍ସିଂହପୁର ଆଦି ୫ଟି ଜିଲାର ବର୍ହିଭାଗରେ ୪୨୫ କିଲୋମିଟର ରିଙ୍ଗରୋଡ଼ ନିର୍ମାଣ ଯୋଜନା ଏହାର ଅଂଶ ବିଶେଷ। ଏହି ରିଙ୍ଗରୋଡ଼ ପାଇଁ ଆନୁମାନିକ ୪୦ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ଭଦ୍ରକକୁ ଦ୍ୱିତୀୟ ସୁରତ୍‍ ରୂପେ ପରିଣତ କରିବା ପାଇଁ ୧୨୦୦ କୋଟି ଟଙ୍କା ନିବେଶ ହେବ ଏବଂ ଏଠାରେ ସିନ୍ଥେଟିକ୍‍ ସୂତା ପ୍ରସ୍ତୁତ ହେବ। ପାରାଦ୍ୱୀପରେ ଆଇଓସିଏଲ୍‍ ପ୍ଲାଷ୍ଟିକ୍‍ ପାର୍କ ସ୍ଥାପନ କରିବ ଏବଂ ଏହା ଓଡ଼ିଶାକୁ ବିକାଶ ଦିଗରେ ଅଗ୍ରସର କରାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏଥିପାଇଁ ଗତ ୪ବର୍ଷ ମଧ୍ୟରେ ଚତୁର୍ଦଶ ଅର୍ଥକମିଶନରେ ଓଡ଼ିଶାକୁ ୧.୯୬ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ଯାହାକି ୟୁପିଏ ସରକାରଙ୍କ ୧୦ବର୍ଷ ଶାସନର ଅନୁଦାନର ଅଢ଼େଇଗୁଣରୁ ଅଧିକ ହେବ। ୟୁପିଏ ସରକାରଙ୍କ ୧୦ବର୍ଷର ଶାସନ ସହିତ ଯଦି ମୋଦି ସରକାରଙ୍କ ୪ବର୍ଷର ଶାସନ ଓ ଅନୁଦାନକୁ ତୁଳନା କରାଯାଏ ତେବେ ଢ଼େରଗୁଣରେ ଏନ୍‍ଡିଏ ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ଲାଭାଂଶ ଦେଇଛନ୍ତି। ପୂର୍ବ ଭାରତର ପ୍ରୟୋଗଶାଳା ଭାବେ ଓଡ଼ିଶାକୁ ନିର୍ମାଣ କରିବାପାଇଁ ମୋଦି ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପାରାଦ୍ୱୀପ ଭଳି ଅନ୍ୟାନ୍ୟ ସହରକୁ ଆକାଶପଥ, ଜଳପଥ ଓ ରାଜପଥ ସହ ଯୋଡି ବିକାଶକୁ ତ୍ୱରାନ୍ୱିତ କରାଯିବ। ଏହି ପ୍ରକ୍ରିୟାରେ ରଥଯାତ୍ରା ଅବସରରେ ଗୋପାଳପୁରରୁ ଦିଘା ପର୍ଯ୍ୟନ୍ତ ପ୍ରାୟ ୪୫୦ କିମି କୋଷ୍ଟାଲ ହାଇୱେ(ଉପକୂଳ ରାଜପଥ)ରାଜପଥ ନିର୍ମାଣ କରାଯିବ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାର ମାନ ବଢ଼ିବା ସହିତ ରାଜ୍ୟର ଆର୍ଥିକ ପ୍ରଗତି ହେବ।
ସେ କହିଛନ୍ତି ଯେ ଆକାଂକ୍ଷୀ ଜିଲା ତାଲିକାରେ ବିଳମ୍ବରେ ହେଲେ ମଧ୍ୟ ଓଡିଶାର ଦଶଟି ଜିଲାକୁ ସାମିଲ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ ନିଜେ ଏହାର ତଦାରଖ କରୁଛନ୍ତି। ଆଗାମୀ ଦିନରେ ଏହି ଆକାଂକ୍ଷୀ ଜିଲାର ଲୋକେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବେଶ ଲାଭାନ୍ୱିତ ହେବେ ଏବଂ ବିକାଶ ଆକାଶ ଛୁଆଁ ହେବ। ସବୁଜ ବିପ୍ଲବ ୨.୦ ଯୋଜନାରେ କୃଷି ଉତ୍ପାଦନରେ ସ୍ଥିରତା, ଉତ୍ପାଦନକୁ ଉଚିତ୍‍ ମୂଲ୍ୟ ଓ ଉତ୍ପାଦନକୁ ବଜାର ସହ ଯୋଡିବା ପାଇଁ ମୋଦି ସରକାରଙ୍କ ନୀତି ଓଡିଶା ପ୍ରତି ସହାୟକ ହେବ। ନୀଳ ବିପ୍ଳବ ଯୋଜନାରେ ଓଡିଶାର ମତ୍ସ୍ୟଜୀବୀମାନଙ୍କ ସାମାଜିକ ସୁରକ୍ଷା ଓ ମତ୍ସ୍ୟ ଚାଷର ଉନ୍ନତି ପାଇଁ ଯୁଗ ଉପଯୋଗୀ ପଦକ୍ଷେପରୁ ଓଡିଶା ଲାଭବାନ ହୋଇଛି। ସେହିପରି ରେଳ ବିକାଶରେ ୟୁପିଏ ଶେଷ ଚାରି ବର୍ଷରେ ୪, ୧୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ମୋଦିଙ୍କ ଚାରି ବର୍ଷରେ ୨୦. ୨୧୩ କୋଟି ଟଙ୍କା ଅର୍ଥ ବ୍ୟୟବରାଦ ହୋଇଛି। ଜାତୀୟ ରାଜମାର୍ଗରେ ନିର୍ମାଣରେ ମୋଦିଙ୍କ ଚାରି ବର୍ଷରେ ୫୪୪୯ କିମି ରାସ୍ତା ତିଆରି ପାଇଁ ବ୍ୟବସ୍ଥା ହୋଇଛି। ସମ୍ପୂର୍ଣ ରାଜ୍ୟର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ, ୭୬୪କିମିର ଅନ୍ତର୍ଦେଶୀୟ ଜଳ ମାର୍ଗ ତଥା ୪ବର୍ଷରେ ୧୮ ହଜାର ୨୦୧୩ କିମିର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ମୋଦି ସରକାରଙ୍କ ସମୟରେ ସମ୍ଭବ ହୋଇଛି। ଏହାବାଦ୍‍ ସ୍ମାର୍ଟ ସିଟି, ପାରାଦ୍ୱୀପ ବନ୍ଦରର ବିକାଶ, ବିଶୋଧନାଗାର ଓ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ୧୩ଟି ଜିଲାରେ ୭୭୯ କିମି ବ୍ୟାପି ପାଇପଲାଇନ, ବରଗଡରେ କୃଷି ବର୍ଜ୍ୟରୁ ୨ଜି ଇଥାନେଲ ଜୈବ ଇନ୍ଧନ କାରଖାନା,ଏନ୍‍ଟିପିସିରେ ବିଭି୍‍ନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ, କୃଷି ଓ ଗ୍ରାମୀଣ ବିକାଶରେ ନାବାର୍ଡର ରେକର୍ଡ ଆର୍ଥିକ ସହାୟତା ସହିତ ତାଳଚେର ସାର କାରଖାନାର ପୁନରୁଦ୍ଧାର ମୋଦି ସରକାରଙ୍କ ଅର୍ଥବ୍ୟୟବରାଦ କ୍ଷେତ୍ରରେ ରାଜ୍ୟକୁ ଲାଭବାନ କରିଛିା ସେହିପରି ସ୍ୱାଧୀନତାଠାରୁ ୨୦୧୪ ପର୍ଯ୍ୟନ୍ତ ଖଣି ନିଲାମ ଆଇନ ନଥିଲା। ଯାହାଫଳରେ ଖଣିଜ ସମ୍ପଦ ଭରା ରାଜ୍ୟ କେବଳ ରାଜଭାଗରେ ସୀମିତ ଥିଲା। ମୋଦି ସରକାର ନୂତନ ଖଣି ନିୟମ ଏମ୍‍ଏମ୍‍ଡିଆର୍‍ ଲାଗୁ କରିବା ପରେ ୧୩ କୋଇଲା ଓ ୫ ଅନ୍ୟାନ୍ୟ ଖଣି ଇ-ନିଲାମ ହୋଇଛି ଏବଂ ଏଥିରୁ ରାଜ୍ୟ ସରକାର ଲିଜ୍‍ ଅବଧି ମଧ୍ୟରେ ୭୫ ହଜାର କୋଟି ଟଙ୍କା ଲାଭାଂଶ ପାଇବେ। ସେହିପରି ସେହିପରି ଜିଲା ଖଣିଜ ପାଣ୍ଠି ଗଠନ ଯୋଗୁଁ ଏପର୍ଯ୍ୟନ୍ତ ଓଡିଶାର ଖଣିଜ ସମ୍ପଦ ଜିଲାମାନଙ୍କୁ ଏହି ଯୋଜନାରେ ୪ ହଜାର ୩ ଶହ କୋଟି ଟଙ୍କା ପହଞ୍ଚି ସାରିଲାଣି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ସମ୍ମାନ ସହ ପାଇକ ସ୍ମାରକୀ ପାଇଁ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ତରଫରୁ ୯୦ କୋଟି ଟଙ୍କାର ଅର୍ଥ ବ୍ୟୟବରାଦ, କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୪୫ କୋଟି ଟଙ୍କା ବ୍ୟୟରେ ଇଣ୍ଟରପ୍ରିଟେସନ କେନ୍ଦ୍ର, ନବ କଳେବର ଅବସରରେ ମୁଦ୍ରା ଓ ଡାକ ଟିକଟ ସହ ପ୍ରଥମଥର ପାଇଁ କେନ୍ଦ୍ରୀୟ ବଜେଟରୁ ୫୦ କୋଟି ଟଙ୍କା ପ୍ରଦାନ ଓଡିଆ ସ୍ୱାଭିମାନ ଓ ସଂସ୍କୃତିକୁ ଦେଶରେ ଗୌରବାନ୍ୱିତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକ ଉପସ୍ଥିତ ଥିଲେ।
ଭଦ୍ରକ ହେବ…

Leave A Reply