ବିଶେଷଜ୍ଞଙ୍କ ମତ ପରେ ନିଷ୍ପତ୍ତି: ଅର୍ଥମନ୍ତ୍ରୀ
ଭୁବନେଶ୍ୱର :ଚାଷୀମାନଙ୍କୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଗୁରୁବାର ସଚିବାଳୟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନବନିର୍ମାଣ କୃଷକ ସଙ୍ଗଠନର ପ୍ରମୁଖ ଦାବି ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ କିଭଳି ଚାଷୀଙ୍କୁ ମିଳିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଚାଷୀମାନଙ୍କୁ ଉଚି୍ତ ଦର ସହିତ ଭତ୍ତା ଓ ସମ୍ମାନ ଦେବାରେ ରାଜ୍ୟ ସରକାର ବିଶିଷ୍ଟ ସଙ୍ଗଠନ ଓ ବିଶେଷଜ୍ଞଙ୍କ ମତାମତ ଲୋଡିବେ। ମତାମତକୁ ନେଇ ପୁନଶ୍ଚ ଏକ ବୈଠକ ଆସନ୍ତା ୭ରେ ଅନୁଷ୍ଠିତ ହେବ। ହେଲେ ସରକାରଙ୍କ ପକ୍ଷରୁ ଆଜି ଚାଷୀଙ୍କ ଲାଗି ବସିଥିବା ବୈଠକକୁ ବିରୋଧୀମାନେ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଓ ବିଜେପି ଉଭୟେ ସରକାରଙ୍କ ଏହା ଏକ ପ୍ରାୟୋଜିତ ନାଟକ ବୋଲି କହିଛନ୍ତି। ବୈଠକ ପରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ଖୁବ୍ଶୀଘ୍ର ଚାଷୀଙ୍କ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।
ଚାଷୀମାନଙ୍କ ଦାବିକୁ ସରକାର ସହୃଦୟତାର ସହ ବିଚାର କରୁଛନ୍ତି। ତେବେ ସେମାନଙ୍କର ଯେଉଁ ପ୍ରମୁଖ ତିନୋଟି ଦାବି ରହିଛି ତାହାକୁ ପୂରଣ କରାଯିବାରେ ବିଶେଷଜ୍ଞମାନଙ୍କ ମତାମତ କ’ଣ ଅଛି ତାକୁ ପ୍ରାଧାନ୍ୟ ଦିଆଯିବ। ଏହାସହିତ ଅନ୍ୟାନ୍ୟ ରାଜ୍ୟରେ ଚାଷୀମାନଙ୍କୁ କିଭଳି ସୁବିଧା ସୁଯୋଗ ମିଳିଛି ତାହାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏନେଇ ଆସନ୍ତା ଡିସେମ୍ବର ୭ରେ ପୁନଶ୍ଚ ବୈଠକ ବସିବ ଏବଂ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି। ବୈଠକରେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ନବନିର୍ମାଣ ସଙ୍ଗଠନ ଆବାହକ ଅକ୍ଷୟ କୁମାରଙ୍କ ସହିତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକର ଏହି ନିଷ୍ପତ୍ତିକୁ ନେଇ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ କମିଟି ନାଁରେ ମାସେ ଗଲାଣି। ରାଜ୍ୟ ସରକାର କେବଳ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି। ଯେଉଁ ସରକାର ଦୀର୍ଘ ୧୮ବର୍ଷ ଶାସନରେ ରହିବା ପରେ ମଧ୍ୟ ଚାଷୀଙ୍କୁ ଭୁବନେଶ୍ୱରରେ ପୂରାଇ ଦେଲା ନାହିଁ ତା’ଠାରୁ ଆଉ ଅଧିକ କ’ଣ ଆଶା କରାଯିବ। ରାଜ୍ୟ ସରକାର ଦେବେ ଦେବେ ବୋଲି ବୈଠକକୁ ନିର୍ବାଚନ ପର୍ଯ୍ୟନ୍ତ ଘୁଞ୍ଚାଇବେ। ଶେଷ ମୁହୂର୍ତ୍ତରେ କ’ଣ ଗୋଟେ ଲଲିପପ୍ ଦେଇ ଭୂତେଇବେ ବୋଲି ଶ୍ରୀ ବାହିନୀପତି କହିଛନ୍ତି।
ଅନ୍ୟପକ୍ଷରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଚାଷୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କେତେ ଆନ୍ତରିକତା ରହିଛି ତାହା ସମସ୍ତେ ବୁଝିଗଲେଣି। ଏହି ସରକାରରେ ଚାଷୀ ସର୍ବସ୍ୱାନ୍ତ ହେବା ସହିତ ଆତ୍ମହତ୍ୟା କରୁଛନ୍ତି। ଏହାକୁ ସରକାର ମାନିବାକୁ ନାରାଜ। ଦୀର୍ଘବର୍ଷ ଶାସନ ପରେ ମଧ୍ୟ ଚାଷୀଙ୍କ ସମସ୍ୟା ତୁଟୁନାହିଁ। ଆଗକୁ ନିର୍ବାଚନ ଆସୁଛି ତେଣୁ ଚାଷୀଙ୍କ ପାଇଁ କ’ଣ ଗୋଟେ କରି ଆଗାମୀ ଆନ୍ଦୋଳନକୁ ଏଡାଇବାପାଇଁ ସରକାର ଯୋଜନା କରୁଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି। ଏହି ଅବସରରେ ନବନିର୍ମାଣ ସଙ୍ଗଠନର ମୁଖ୍ୟ ଆବାହକ ଅକ୍ଷୟ କୁମାର ସରକାରଙ୍କ ଏହି ନିଷ୍ପତ୍ତିକୁ ବିଶ୍ୱାସ ନେଉ ନଥିବା କହିଥିଲେ।