www.samajalive.in
Sunday, December 14, 2025
16.1 C
Bhubaneswar

କେନ୍ଦ୍ରକୁ ଗୁରୁପ୍ରିୟା ସେତୁ ନିର୍ମାଣ ଅର୍ଥ ମାଗିଲା ରାଜ୍ୟ

ଭୁବନେଶ୍ୱର : ମାଓ ପ୍ରଭାବିତ ଅଞ୍ଚଳରେ ୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଲା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ। ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ ସ୍ଥାପିତ ହେଲା। ଗତ ଜୁଲାଇ ମାସରେ ସେତୁ ଉଦ୍‍ଘାଟନ ଦିନ ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କରି ସଂପୃକ୍ତ ଅଞ୍ଚଳର ବିକାଶ ପାଇଁ ୧୦୦କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇତିମଧ୍ୟରେ ଗୁରୁପ୍ରିୟା ସେତୁ ଉଦଘାଟନ ହେବାର ଚାରିମାସ ବିତିଲାଣି। ମାଓ ଅଧ୍ୟୁଷିତ ଅଞ୍ଚଳରେ ସେତୁ ନିର୍ମାଣ ବାବଦକୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ବ୍ୟୟ ଅର୍ଥ ପ୍ରଦାନ କରିନାହାନ୍ତି। ଏହି ସେତୁ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଏକାଧିକ ପତ୍ର ଦେଇଛନ୍ତି। କେନ୍ଦ୍ର ସରକାର ଏବାବଦରେ ମାତ୍ର ୨୭କୋଟି ଟଙ୍କା ଦେଇ ଚୁପ ବସିଛନ୍ତି। ୧୬୦କୋଟି ଟଙ୍କା ଏପର୍ଯ୍ୟନ୍ତ ମିଳିନଥିବା ସୂଚନା ମିଳିଛି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ବ୍ୟୟ କରି ସେତୁ ନିର୍ମାଣ କରିବା ପରେ ମଧ୍ୟ କେନ୍ଦ୍ର ଏ ବାବଦ ଅର୍ଥ ଭରଣା କରୁନଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଛି ଚିଠି ଯୁଦ୍ଧ।
ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ହାତକୁ ନିଆଯାଇଥିବା ପ୍ରମୁଖ ସଡ଼କ ନିର୍ମାଣ କାର୍ଯ୍ୟକୁ ମାଓବାଦୀ ବିରୋଧ କରୁଛନ୍ତି। ଫଳରେ କେତେକ ପ୍ରମୁଖ ସଡ଼କ ପ୍ରକଳ୍ପର କାର୍ଯ୍ୟ ମାସେ ହେଲା ବାଧାପ୍ରାପ୍ତ ହୋଇଛି। ପ୍ରମୁଖ ସଡ଼କ ନିର୍ମିତ ହେଲେ ସବୁ ସମୟରେ ପୁଲିସ ଫୋର୍ସ କଇନ୍ତରା ମାରିବା ସହ ଡେରା ପକେଇବେ। ମାଓବାଦୀଙ୍କ ଉପରେ ସେମାନଙ୍କ ନଜର ରହିବ। ଏହାକୁ ଏଡ଼ାଇବା ପାଇଁ ସେମାନେ ପ୍ରମୁଖ ସଡ଼କ କାର୍ଯ୍ୟରେ ବାଧା ଦେଇଛନ୍ତି। ସଡ଼କ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟରେ ନିୟୋଜିତ ଥିବା ପରାମର୍ଶ ପ୍ରଦାନକାରୀ ସଂସ୍ଥାର ଚାରିଜଣ କର୍ମଚାରୀଙ୍କୁ ଅଟକ ରଖି ପ୍ରଜାକୋର୍ଟରେ ଦଣ୍ଡିତ କରାଯିବା ପରେ ସେମାନେ ଚାକିରି ଛାଡ଼ି ଫେରି ଆସିଛନ୍ତି। ମାଓବାଦୀମାନେ ସେମାନଙ୍କ ହାତରେ ସରକାରଙ୍କୁ ଦେଇଥିବା ପତ୍ରରେ ପ୍ରମୁଖ ସଡ଼କ ନିର୍ମାଣ ସେମାନେ ଚାହୁଁନଥିବା ଜଣାଯାଇଛି। ମୁଖ୍ୟ ସଡ଼କ ବ୍ୟତୀତ ଅନ୍ୟାନ୍ୟ ବିକାଶ ଉପରେ ସେମାନେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହା ଫଳରେ ସ୍ୱାଭିମାନ ଅଞ୍ଚଳରେ ପ୍ରସ୍ତାବିତ ୧୨ଟି ମୁଖ୍ୟ ସଡ଼କ ପ୍ରକଳ୍ପ କାର୍ଯ୍ୟକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ସଡ଼କ ପ୍ରକଳ୍ପରୁ ଚାରିଟି ଆନ୍ଧ୍ରପ୍ରଦେଶକୁ ସଂଯୁକ୍ତ କରୁଥିବା ବେଳେ ଗୋଟିଏ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଯିବ। ଏହା ମାଓବାଦୀଙ୍କ କାର୍ଯ୍ୟକଳାପରେ ବାଧା ପହଞ୍ଚାଇବ। ଯାହା ସେମାନେ ଚାହୁଁନାହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଯାନବାଇ-ଜାମଯୋଡି, ଜନତାପାଇ-ଯୋଡାମ୍ବ, କୁଣ୍ଟୁପଡ଼ା-ପଣସପୁଟ, ମୁଶୁରଗୁଡା-କୁମୁଡା, ମହୁପଦର-ଚିକାବାକି ନଦୀ, ମହୁପଦର-ତୁଳସୀ, ଟେମୁରୁପାଲି-ତୁଳସୀ, କୁଟାନପାଲ୍ଲୀ-ତେମୁରୁପାଲ୍ଳୀ, ବଡ଼ପଡା-ଜନତାପାଇ, ପଣସପୁଟ-ଲକ୍ଷ୍ମୀପୁରମ, ପେପରମେଟଲା-କୁମୁଡା ଏବଂ ଗୋରା ସେତୁରୁ କୁମୁଡା ପର୍ଯ୍ୟନ୍ତ ମୋଟ ୧୦୭କିମି ଦୀର୍ଘ ଏହି ୧୨ଟି ୫.୫ ମିଟର ଚଉଡାର ରାସ୍ତା ନିର୍ମାଣ ଯୋଜନା କରାଯାଇଥିଲା। ପାଞ୍ଚଟି ସଡ଼କ ପ୍ରକଳ୍ପର ସର୍ଭେ ଚାଲିଥିବା ବେଳେ ଆନ୍ଧ୍ର୍ରପ୍ରଦେଶ ଓ ଛତିଶଗଡ଼କୁ ସଂଯୋଗ କରୁଥିବା ପ୍ରକଳ୍ପଗୁଡ଼ିକୁ ମାଓବାଦୀ ବିରୋଧ କରିଛନ୍ତି। ସେଠାରେ ସର୍ଭେ କରାଯାଇପାରୁ ନାହିଁ। ପ୍ରତିବନ୍ଧକ ନଥିବା ବଡ଼ପଡ଼ା-ଜନତାପାଇ-ପେପରମେଟଲ କାମ ଜୁନ ସୁଦ୍ଧା ଶେଷ ହେବ। ତେବେ ସ୍ୱାଭିମାନ ଅଞ୍ଚଳରେ ଥିବା ୧୫୧ଟି ଗ୍ରାମରୁ ୭୭ଟି ଗ୍ରାମରେ ୩.୭୫ ମିଟର ଚଡ଼ଡାର ରାସ୍ତା ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛି। ଏହି କାର୍ଯ୍ୟ ଉପରେ କୌଣସି ବାଧା ନଥିବା ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।
ପ୍ରଜାକୋର୍ଟରେ ସର୍ଭେ କାର୍ଯ୍ୟରେ ନିୟୋଜିତ ସଂସ୍ଥାର କର୍ମଚାରୀଙ୍କୁ ମାଓବାଦୀ ଦେଇଥିବା ପତ୍ରରେ ସରକାର ଘୋଷଣା କରିଥିବା ୧୦୦ କୋଟି ଟଙ୍କାରେ ଲୋକଙ୍କ ଜୀବନଜୀବିକାର ବିକାଶ ନେଇ ଥିବା ସମସ୍ୟା ସମାଧାନ ନେଇ ପଦକ୍ଷେପ ନେବାକୁ କହିଛନ୍ତି। ପିଇବା ପାଣି, ଜମିକୁ ଜଳ ଯୋଗାଣ, ଚେକଡ଼୍ୟାମ, ବିଦ୍ୟାଳୟ ଗୃହ ନିର୍ମାଣ, ଶିକ୍ଷକ ଯେଗାଇବା ସହ ହଷ୍ଟେଲ ନିର୍ମାଣ ନେଇ ପ୍ରସ୍ତାବ ଦେଇଛନ୍ତି। ଏହାବ୍ୟତୀତ ପ୍ରତି ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା, ପଶୁ ଚିକିତ୍ସାଳୟ ସହ ସ୍ୱାଭିମାନ ଅଞ୍ଚଳ ପାଇଁ ଆଉ ଦୁଇଟି ଲଞ୍ଚ ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ପ୍ରତିବର୍ଷ ବାଲିମେଳା ଡ୍ୟାମରେ ମାଛ ଯାଆଁଳ ଛାଡ଼ିବା ସହ ପ୍ରତି ଗାଁରେ ସିମେଣ୍ଟ କଂକ୍ରିଟ ରୋଡ ଓ ବିଜୁଳି ଶକ୍ତି ଯୋଗାଣ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇଛନ୍ତି। ସରକାର ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଉପରୋକ୍ତ କାର୍ଯ୍ୟ ହାତକୁ ନେବା ଆବଶ୍ୟକ ବୋଲି ଏଥିରେ ଉଲ୍ଲେଖ ଅଛି।
ମାଓବାଦୀଙ୍କ ଏହି ପ୍ରସ୍ତାବ ପରେ ସ୍ୱାଭିମାନ ଅଞ୍ଚଳରେ ପ୍ରମୁଖ ସଡ଼କ ନିର୍ମାଣ ନେଇ ସରକାର ଅଡୁଆର ସମ୍ମୁଖୀନ ହୋଇଛନ୍ତି। ଉଚ୍ଚସ୍ତରୀୟ ବୈଠକରେ ଏହା ଉପରେ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନଥିବା ଜଣାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories