ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ନେଟ୍‌ ଲାଭ ୩୫୫ କୋଟି

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ସୁଦ୍ଧା ୩୫୫ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରି ଶତକଡା ୧୧୫ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିପାରିଛି । ବ୍ୟାଙ୍କର ମୋଟ ସୁଧ ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବା ସହ ଋଣ କ୍ଷତି ବ୍ୟବସ୍ଥାଗୁଡିକରେ ହ୍ରାସ ଘଟିଛି ବୋଲି ଜଣା ପଡିଛି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ବ୍ୟାଙ୍କର ପରିଚାଳନାଗତ ଲାଭ ୧,୧୭୯କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କର ନେଟ୍‌ ସୁଧ ଆୟ ଶତକଡା ୧୬.୫୬ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୧,୬୧୨ କୋଟି ଟଙ୍କାରେ ପହଞ୍ଚି ପାରିଛି ଯାହା ପୂର୍ବ ବର୍ଷ ଏହି ସମୟରେ ୧,୩୮୩ କୋଟି ଟଙ୍କା ଥିଲା । ବ୍ୟାଙ୍କର ନେଟ୍‌ ସୁଧ ଆୟ ସହିତ ଅନ୍ୟାନ୍ୟ ଆୟ ୨,୧୩୪ କୋଟି ଟଙ୍କାରେ ପହଞ୍ଚିଛି ।

prayash

ବ୍ୟାଙ୍କର ଅଣ ସୁଧ ଆୟ ୫୨୨ କୋଟିରେ ପହଞ୍ଚିଛି । ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାରରେ ଶତକଡା ୧୨.୫୫ ପ୍ରତିଶତ ବୃଦ୍ଧି ଘଟିଛି । ସମୁଦାୟ ପୁଞ୍ଜି (ଉଭୟ ଇକ୍ୟୁଟି ଏବଂ ବଣ୍ଡ୍‌)ରେ ୧୬୯୩.୭୦ କୋଟି ଟଙ୍କାର ବୃଦ୍ଧି ଘଟିଛି । ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ଶତକଡା ୭.୨୩ ପ୍ରତିଶତ ରହିଥିବା ବେଳେ ଏହା ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ହ୍ରାସ ପାଇ ଶତକଡା ୩.୯୪ ପ୍ରତିଶତରେ ପହଞ୍ଚିଛି । ସେହିପରି ନେଟ୍‌ ଏନ୍‌ପିଏ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ଶତକଡା ୨.୪୮ ପ୍ରତିଶତରୁ ହ୍ରାସ ପାଇ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଶତକଡା ୦.୯୭ ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର ପ୍ରୋଭିଜନ୍‌ କଭରେଜ ରେସିଓ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ଶତକଡା ୮୯.୮୬ ପ୍ରତିଶତ ରହିଥିବା ସ୍ଥଳେ ଏହା ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଶତକଡା ୯୪.୭୯
ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କର କାସା ଜମା ବର୍ତ୍ତମାନ ଶତକଡା ୫୭.୮୫ ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର ଗ୍ରସ୍‌ ଅଗ୍ରୀମ ଋଣ ପୂର୍ବ ବର୍ଷ ତୁଳନାରେ ଶତକଡା ୨୫.୬୨ ପ୍ରତିଶତ ଅଭିବୃଦ୍ଧି ହାରରେ ୧,୩୫,୨୪୦ କୋଟି ଟଙ୍କାରେ ପହଞ୍ଚିଛି ।

ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ଏସ୍‌ ରାଜୀବ ଅଗ୍ରୀମ ଋଣରେ ୧୬-୧୮ ପ୍ରତିଶତ ଏବଂ ଜମା କ୍ଷେତ୍ରରେ ୧୩-୧୫ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆଶା ରଖିଛନ୍ତି । ୨୦୨୩ ଆର୍ଥିକ ବର୍ଷରେ ବ୍ୟାଙ୍କର ସମୁଦାୟ ପୁଞ୍ଜି ଅଭିବୃଦ୍ଧି କ୍ଷେତ୍ରରେ ଆନୁପତିକ ୨୫,୦୦୦ରୁ ୩୦,୦୦୦ କୋଟି ଟଙ୍କା ଆବଶ୍ୟକ ବୋଲି ଶ୍ରୀ ରାଜୀବ ପ୍ରକାଶ କରିଛନ୍ତି । ବ୍ୟାଙ୍କ ନିଜର ପୁଞ୍ଜି ସ୍ୱଚ୍ଛଳତା ହାର ଅନୁପାତ ସର୍ବନିମ୍ନ ୧୫ ପ୍ରତିଶତ ବଜାୟ ରଖିବାକୁ ଚାହୁଁଥିବା ବେଳେ ମାର୍ଚ୍ଚ ୨୦୨୨ ଶେଷ ସୁଦ୍ଧା ପୁଞ୍ଜି ସ୍ୱଚ୍ଛଳତା ହାରରେ ଶତକଡା ୧୬.୮୫ ପ୍ରତିଶତ ବୃଦ୍ଧି ଘଟିଛି ।

Comments are closed.