ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର ଘଟଣା; ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଅନୁକମ୍ପା ଦେଖାଉଛି ବ୍ଲକ ଶିକ୍ଷା ବିଭାଗ
ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ଗୋଲାବନ୍ଧ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହେବା ଭଳି ଏକ ସମ୍ବେଦନଶୀଳ ଘଟଣାରେ ପ୍ରଶାସନିକ ସ୍ତରରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଆଲୋଚନା ହେଉଛି । ଗତ ବୁଧବାର ଦିନ ବିଦ୍ୟାଳୟକୁ ଯାଇଥିବା ଜଣେ ଛାତ୍ର ଶିକ୍ଷକଙ୍କ ଆଦେଶକୁ ପାଳନ କରିବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ବର୍ଷା ପାଗ ଯୋଗୁଁ ଦିନ ବେଳା ପ୍ରାୟ ୧୧ ଟା ସମୟରେ ବିଦ୍ୟାଳୟ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଭଡା ଘରକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଜୟନ୍ତ ସାହୁ ୩ ଜଣ ଛାତ୍ରଙ୍କୁ ବାହାରେ ଶୁଖାଯାଇଥିବା କପଡା କାଢି ରଖିଦେବା ପାଇଁ ପଠାଇଥିଲେ ।
କପଡା କାଢ଼ିବାକୁ ଯାଇ ଛାତ ଉପରେ ଯାଇଥିବା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର ପ୍ରଦୀପ ଗହୀର(୧୦)ଗୁରୁତର ଆହତ ହୋଇଥିଲେ । ବିଦ୍ୟୁତ୍ ସଂସ୍ପର୍ଶରେ ଡାହାଣ ହାତ ଓ ଗୋଡ଼ ପୋଡିଯାଇଛି । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଏହି ଘଟଣା ପରେ ଗ୍ରାମବାସୀ ଏବଂ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ଖବର ପାଇ ବିଇଓ ବୈକୁଣ୍ଠ ନାଥ ଶବର, ଏବିଇଓ ଜୟନ୍ତ କୁମାର ପଧାନ ଗ୍ରାମକୁ ପହଁଚି କମିଟି ସଦସ୍ୟ ଏବଂ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ବ୍ୟକ୍ତିଗତ କାର୍ଯ୍ୟରେ ଛାତ୍ର ଜଣଙ୍କୁ ପଠାଇବା ଏବଂ ବଡ଼ ଅଘଟଣର ସମ୍ମୁଖୀନ ହୋଇ ଗୁରୁତର ଅବସ୍ଥାରେ ଛାତ୍ର ଜଣକ ଚିକିତ୍ସିତ ହେଉଥିବା ବେଳେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।
ପ୍ରଧାନ ଶିକ୍ଷକ ଦୀନମଣି ବେହେରା ପିଡୀତ ଛାତ୍ର ଙ୍କୁ ପଠାଯାଇନଥିବା ଏବଂ ସହକାରୀ ଶିକ୍ଷକ ଜୟନ୍ତ ସାହୁ କପଡା କାଢି ଦେବା ପାଇଁ ପଠାଇଥିବା କହିଥିଲେ ।ଦୁଇ ଜଣ ଶିକ୍ଷକ ଙ୍କ ଭିନ୍ନ ଭିନ୍ନ ମତ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବ୍ଲକ ଶିକ୍ଷା ଅଧିକାରୀ ଗ୍ରାମରେ ପହଞ୍ଚି କେବଳ ଆଲୋଚନା କରି ଫେରିଥିବା ବେଳେ ଶିକ୍ଷକ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଜଣାପଡିଛି । ଏତେ ବଡ଼ ଘଟଣା ପରେ ମଧ୍ୟ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନହେବା ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି ।ବ୍ୟକ୍ତିଗତ କାର୍ଯ୍ୟ ରେ ଛାତ୍ର ଛାତ୍ରୀଙ୍କୁ ନିୟୋଜିତ କରାଯାଇପାରିବ ନାହିଁ ବୋଲି ନିର୍ଦେଶ ସତ୍ତ୍ୱେ ଶିକ୍ଷକ ଛାତ୍ର ଜଣକୁ ବ୍ୟକ୍ତିଗତ କାର୍ଯ୍ୟରେ ପଠାଇଥିବା ଆଇନ ବିରୁଦ୍ଧ ଅଟେ ।ଛାତ୍ର ଜଣକ ଶିକ୍ଷକ ଙ୍କ ଆଦେଶ କୁ ପାଳନ କରିବାକୁ ଯାଇ ବିଦ୍ୟୁତ ସ୍ପର୍ଶରେ ଗୁରୁତର ଆହତ ହୋଇଥିଲେ ସୁଦ୍ଧା ଘଟଣା ର ୪୮ ଘଂଟା ପରେ ମଧ୍ୟ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
ପୀଡିତ ଛାତ୍ରଙ୍କ ଚିକିତ୍ସା ବ୍ୟବସ୍ଥା ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହେଉଛି । ବିଇଓ ବୈକୁଣ୍ଠ ନାଥ ଶବରଙ୍କୁ ପଚାରିବାରୁ ଘଟଣାକୁ ଗୁରୁତର ସହିତ ନିଆଯାଇଛି ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫେଇ ଦେଇଥିଲେ । ଜିଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କୁ ପଚାରିବାରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୁରୁବାର ଦିନ ପ୍ରତିକ୍ରିୟା ଦେଇଥିଲେ । ଶୁକ୍ରବାର ଯୋଗାଯୋଗ କରିବାରୁ ସେଠିକି ଯାଅ ସବୁ ଜାଣିଯିବ ବୋଲି ପ୍ରକାଶ କରିଥିଲେ । ଏଭଳି ଏକ ଗୁରୁତର ତଥା ସମ୍ବେଦନଶୀଳ ଘଟଣାରେ ଜିଲା ଶିକ୍ଷା ଅଧିକାରୀଙ୍କ ଏଭଳି ମନ୍ତବ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପରିବାର ଲୋକେ ଲିଖିତ ଭାବେ ଅଭିଯୋଗ କରିନଥିବା ବେଳେ ଅଭିଭାବକ ଏବଂ ବିଦ୍ୟାଳୟ କମିଟି ପୀଡିତ ଛାତ୍ରର ସମସ୍ତ ଚିକିତ୍ସା ଖର୍ଚ୍ଚ ଏବଂ ଶିକ୍ଷକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଦ୍ୟାଳୟ ତାଲା ବନ୍ଦ କରାଯିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ଵନାଥ ଗହୀର ଏବଂ କମିଟି ସଦସ୍ୟ ଚେତାବନୀ ଦେଇଛନ୍ତି ।
Comments are closed.