ଆନ୍ତଃରାଜ୍ୟ ଡିକିଭଙ୍ଗା ଲୁଟେରା ଗ୍ୟାଙ୍ଗ ଠାବ, ଜଣେ ମହିଳା ସମେତ ୫ ଗିରଫ

ଟିଟିଲାଗଡ, ମୁରିବାହାଲ ଓ ସଇଁନ୍ତଲା ଅଞ୍ଚଳରେ ଚଲାଇଥିଲେ ଲୁଟତରାଜ

ବଲାଙ୍ଗୀର: ବଲାଙ୍ଗୀର ଜିଲା ପୁଲିସକୁ ମିଲିଛି ଏକ ବଡ ସଫଳତା। ଗତ ୧୫ ମାସରୁ ଉର୍ଦ୍ଧ ସମୟ ଧରି ଟିଟିଲାଗଡ, ସଇଁନ୍ତଲା, ମୁରିବାହାଲ ଥାନା ଅଞ୍ଚଳରେ ଲୁଟପାଟ ଚଲାଇଥିବା ଆସ୍କା ଅଞ୍ଚଳର ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ପୁଲିସ। ପ୍ରାୟ ମାସେ ୧୦ ଦିନ ଭିତରେ ଏହି ତିନି ଥାନାର ବିଭିନ୍ନ ଅଞ୍ଚଳରେ ଡିକି ଭାଙ୍ଗି, ବ୍ୟାଗ ଲୁଟି ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ କରିଥିଲେ। ବଲାଙ୍ଗୀରରେ ରହି ୨ ଟି ବାଇକରେ ଚାରିଜଣ ଯୁବକ ବୁଲି ଏହି ଲୁଟ ଚଲାଇଥିବା ବେଳେ ଶେଷରେ ପୁଲିସ ହାବୁଡରେ ପଡି ଗିରଫ ହୋଇଛନ୍ତି ଆସ୍କା ଅଞ୍ଚଳର ଚାରି ଜଣ ଯୁବକ। ଏହା ସହିତ ଏହି ଚାରି ଜଣ ଯୁବକଙ୍କୁ ଖାଇବା ପିଇବା ଦେଇ ପ୍ରଶୟ ଦେବା ଅଭିଯୋଗରେ ଜନୈକା ମହିଳା ଦାସ ଗଙ୍ଗାକୁ ମଧ୍ୟ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।ଏନେଇ ବଲାଙ୍ଗିର ଏସପି ଏମ. ସନ୍ଦୀପ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁଲିସ ସୂତ୍ରରୁ ମିଲିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲା ଟିଟିଲାଗଡ ଥାନାରେ ଗତ ଅକ୍ଟୋବର ୨୩ ତାରିଖରେ ଏକ ଲୁଟ ଅଭିଯୋଗ ହୋଇଥିଲା। ଟିଟିଲାଗଡ ଥାନା ଭାଲେଗାଁର କିଶୋର ଝାଙ୍କର ସିନ୍ଦେକେଲା ଥାନା ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାମ କରନ୍ତି। ପଞ୍ଚାୟତ ପାଇଁ ସେ ଟିଟିଲାଗଡ ମୁଖ୍ୟ ଏସବିଆଇ ଶାଖାରୁ ୧ ଲକ୍ଷ ୩୦ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ଧରି ଯାଉଥିଲେ। ଟିଟିଲାଗଡ କୁମୁଡା ଯୋର ନିକଟରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ବ୍ୟାଗ ଛଡାଇନେଇଥିଲେ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ଚଳିତ ମାସ ୧୬ ତାରିଖରେ କପସିଭଟା ଗାଁର ସିତାକାନ୍ତ ବେହେରା ନିଜ ବୁଲେଟରେ ସ୍ଥାନୀୟ ଏକ୍ସିସ ବ୍ୟାଙ୍କରୁ ୨ଲକ୍ଷ ୮୦ହଜାର ଟଙ୍କା ଉଠାଇଥିଲେ। ଶାସ୍ତ୍ରୀଛକ ଠାରେ ଥିବା ଏକ ମୋବାଇଲ ଦୋକାନକୁ ସେ ବାଇକ ରଖି ଯାଇଥିଲେ। ଆସିବା ବେଳକୁ ତାଙ୍କର ଟଙ୍କା ବ୍ୟାଗ ନଥିବା ଦେଖିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ। ଚଳିତ ମାସ ୧୯ ତାରିଖରେ ସେହି ଛକରେ ପୁଣି ଏକ ଲୁଟ ଘଟଣା ସାମ୍ନାକୁ ଆସିଥିଲା। ବ୍ଲକପଡାର ମୁତୁମଲ ବିଶି ସ୍ଥାନୀୟ ଏସବିଆଇ ମୁଖ୍ୟ ଶାଖାରୁ ୧ଲକ୍ଷ ଟଙ୍କା ଉଠାଇଥିଲେ। ୬୦ ହଜାର ଟଙ୍କା ଖର୍ଚ୍ଚ କରି ବାକି ୪୦ ହଜାର ଟଙ୍କା ବାଇକ ଡିକିରେ ରଖିଥିଲେ। ଶାସ୍ତ୍ରୀନଗର ପୋପଟ ଇଲେକ୍ଟୋନିକ୍ସ ଦୋକାନରେ ବାଇକ ରଖି ସେ ଭିତରକୁ ଯାଇଥିଲେ।ଆସିବା ବେଳକୁ ଡିକି ଭାଙ୍ଗି ଦୁଇ ଜଣ ଯୁବକ ଫେରାର ମାରିଥିଲେ। କେବଳ ଟିଟିଲାଗଡ ନୁହଁ ଗତ ୨୫ ତାରିଖରେ ସଇଁନ୍ତଲା ଥାନା ବରଗାଁ ଛକରେ ଘୁନସର ଗାଁର ବିନୋଦ ମହାନନ୍ଦଙ୍କ ଡିକି ଭାଙ୍ଗି ୬୦ହଜାର ଟଙ୍କା ଲୁଟ ଅଭିଯୋଗ ହୋଇଥିଲା।

ସେହିପରି ଗତ ୨୨ ତାରିଖରେ ମୁରିବାହାଲ ଥାନା ଗୁଡଘାଟ ଠାରେ ବାଲିଖମାର ଗାଁର ଚମ୍ପେଶ୍ୱର ବନଛୋରଙ୍କ ବାଇକ ଡିକି ଭାଙ୍ଗି ୩୫ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ବିଭିନ୍ନ ଘଟଣା ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ, ବାଇକ ନମ୍ବର କୁ ନେଇ ବଲାଙ୍ଗିର ଜିଲା ପୁଲିସ ଟିଟିଲାଗଡ ଏସଡିପିଓ ଓ ସଦର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ କରି ଘଟଣାର ଛାନଭିନ ଆରମ୍ଭ କରିଥିଲା। ଏହି ପାଞ୍ଚୋଟି ଲୁଟ ଘଟଣାରେ ସଂପୃକ୍ତ ଥିବା ଗଞ୍ଜାମ ଜିଲା ଆସ୍କା ଥାନା ଛାତପଡିଆର ଦାସ ବବୁଲା ଓରଫ ଏମ. ସଲୁ ରେଡ୍ଡୀ, କରାଟୋଲିର ଏ. ଶିବା ଓରଫ ଶିବା, ଗଣ୍ଡାପାଲିର ଏ.ସନ୍ତୋଷ ଓରଫ ସନ୍ତୋଷ, କଲାଷାଣ୍ଢପୁରର ଡି. ଗାନ୍ଧୀ ଓରଫ ଗାନ୍ଧୀ କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ଏହି ଚାରି ଜଣ ଯୁବକ ବଲାଙ୍ଗିରର ହାତୀଶାଲପଡାରେ ରହୁଥିବା ବେଳେ ଏମାନଙ୍କ ଖାଇବା, ରହିବା ବୁଝୁଥିବା ଆସ୍କା ଥାନା କଲାସାଣ୍ଢପୁରର ଦାସ ଗଙ୍ଗାକୁ ମଧ୍ୟ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବଲାଙ୍ଗିର ଏସପି ସୂଚନା ଦେଇଛନ୍ତି। ଏମାନଙ୍କ ଠାରୁ ଲୁଟ ଘଟଣାରେ ବ୍ୟବହୃତ ହତିଆର, ଦୁଇଟି ବାଇକ(ନଂ ଓଡି ୩୨ ଇ ୬୭୨୪, ଓଡି ୩୨ ଡି ୪୨୭୫), ୧୧ଟି ମୋବାଇଲ ଫୋନ, ଓ ବହୁ ପରିମାଣର ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନା ମିଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି ଏହି ଲୁଟେରା ଗ୍ୟାଙ୍ଗ ବଲାଙ୍ଗିର ରାଜୀବନଗରର ପଙ୍କଜ ମିଶ୍ରଙ୍କ ଘରେ ରହି କାରବାର ଚଲାଇଥିବା ବେଳେ ତାଙ୍କ ନାଁରେ ମଧ୍ୟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି।

ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ସମସ୍ତେ ଆସ୍କା ଅଞ୍ଚଳର ହୋଇଥିବା ବେଳେ ଦିର୍ଘଦିନ ହେଲା ବଲାଙ୍ଗିର ଆସି ଲୁଟପାଟ ଚଲାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସପି ଶ୍ରୀ ସମ୍ପତ୍ତଙ୍କ ସହ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ସଇଁନ୍ତଲା ଥାନା ଅଧିକାରୀ, ମୁରିବାହାଲ ଥାନା ଅଧିକାରୀ, ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ସଦର ଥାନା ଅଧିକାରୀ ତୋଫାନ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.