ବିପର୍ଯ୍ୟସ୍ତ ରାଜସ୍ୱ ବ୍ୟବସ୍ଥା, ଆରଆଇ ଅମିନ ମରୁଡି,୨୬୪ରୁ ଅଛନ୍ତି ମାତ୍ର ୬୧
୧୭ ଆରଆଇରେ ୮୬ ସର୍କଲ
ବଲାଙ୍ଗୀର: ବଲାଙ୍ଗୀର ଜିଲାରେ ନାହିଁନାହିଁରେ ଚାଲିଛି ରାଜସ୍ୱ ବିଭାଗ। ରାଜସ୍ୱ ବିଭାଗରେ ତୃଣମୂଳସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଆରଆଇ, ଏଆରଆଇ ଓ ଅମିନ ପଦବୀ ବହୁ ପରିମାଣରେ ଖାଲିପଡିଥିବା ଅଭିଯୋଗ ହୋଇଛି। ଏପରିସ୍ଥଳେ ଜିଲାରେ ଆବଶ୍ୟକ ଥିବା ଆରଆଇ ମରୁଡି ରହିଥିବା ବେଳେ ମାତ୍ର ୨୦ ପ୍ରତିଶତ ପଦବୀରେ କର୍ମଚାରୀ ରହିଛନ୍ତି। ସେହିପରି ଏଆରଆଇ ପଦବୀ କଥା ନକହିବା ଭଲ। ଆବଶ୍ୟକ ତୁଳନାରେ ୧୦ ପ୍ରତିଶତ ପଦବୀରେ ମଧ୍ୟ କର୍ମଚାରୀ ନାହାନ୍ତି। ଏମିତିରେ କିଭଳି ରାଜସ୍ୱ ବିଭାଗ ପରିଚାଳିତ ହେଉଛି ତାହା ସହଜରେ ଅନୁମାନ କରାଯାଇପାରେ।
ରାଜସ୍ୱ ସେବାକୁ ଗାଁ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ରାଜସ୍ୱ କାର୍ଯ୍ୟାଳୟ ମାନ ଆରମ୍ଭ କରିଥିଲେ। ଜିଲାରେ ୧୪ ଟି ତହସିଲ ଅଧିନରେ ବର୍ତ୍ତମାନ ସମୟରେ ୮୬ଟି ଆରଆଇ ସର୍କଲ ରହିଛି। ତେବେ ଏହି ସମସ୍ତ ସର୍କଲ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଜିଲାରେ ୯୪ଟି ଆରଆଇ ପଦବୀ ମଞ୍ଜୁର ରହିଛି। ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ଜିଲାରେ ମାତ୍ର ୧୭ ଜଣ ଆରଆଇ ରହିଛନ୍ତି। ବଲାଙ୍ଗୀରର ବହୁ ଚର୍ଚ୍ଚିତ ଆରଆଇ ଆମିନ ଅନିୟମିତତା ଘଟଣା ପର୍ଦ୍ଦାଫାସ ହେବା ପରେ ଆରଆଇ ପଦବୀରେ ମରୁଡି ପଡିଥିଲା। ସମସ୍ତ ଆରଆଇ, ଅମିନଙ୍କୁ ସରକାର ଛଟେଇ କରିବା ପରେ ଆଉ ନୁଆ ଆଖିଦୃଶିଆ ନିଯୁକ୍ତି ଦେଇନାହାନ୍ତି ଫଳରେ ଏହି ପଦବୀ ଖାଲିପଡିଛି। ୭୭ଟି ପଦବୀ ଖାଲିପଡିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୈାଣସି ସ୍ଥାୟୀ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇନଥିବା ଜଣାପଡିଛି। ସେହିପରି ଜିଲାରେ ୮୬ଟି ଆରଆଇ ସର୍କଲ ପାଇଁ ୮୬ ଏଆରଆଇ ନିଯୁକ୍ତିକୁ ମଞ୍ଜୁରି ମିଲିଥିବା ବେଳେ ମାତ୍ର ୫ଜଣ ଏଆରଆଇ ରହିଛନ୍ତି। ୮୧ଟି ପଦବୀ ଖାଲିପଡିଥିବା ବେଳେ ୮୪ଟି ଅମିନ ପଦବୀରୁ ମାତ୍ର ୩୯ଜଣ ଅମିନ କାର୍ଯ୍ୟ କରୁଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏହିପରି ଭାବେ ଜିଲାରେ ଆରଆଇ, ଏଆରଆଇ ଓ ଅମିନ ମିଶି ସମୁଦାୟ ୨୬୪ଟି ପଦବୀକୁ ବଲାଙ୍ଗୀର ଜିଲାରେ ମଞ୍ଜୁରୀ ମିଲିଥିବା ବେଳେ ମାତ୍ର ୬୧ଜଣ କର୍ମଚାରୀ କାମ କରୁଛନ୍ତି।
ଏଥିରୁ ଏହା ସହଜରେ ଅନୁମାନ କରାଯାଇପାରେ ଯେ ବଲାଙ୍ଗୀର ଜିଲାରେ ରାଜସ୍ୱ ବ୍ୟବସ୍ଥା କିଭଳି ଭାବେ ପରିଚାଳିତ ହେଉଥିବ। ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ସାର୍ଟିଫିକେଟ ପର୍ଯ୍ୟନ୍ତ ଆରଆଇ ସର୍କଲର ଭୂମିକା ରହିଛି। ସେହିପରି ବିଭିନ୍ନ ସମୟରେ ସର୍ଭେ କାମରେ ମଧ୍ୟ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। କର୍ମଚାରୀ ଅଭାବ ଯୋଗୁ ଜିଲାରେ ଥିବା ସମସ୍ତ ଆରଆଇ ସର୍କଲ ମାନଙ୍କରେ ବେସରକାରୀ ଭାବେ ଯୁବକ ମାନଙ୍କୁ ନିୟୋଜିତ କରାଯାଇଥିବା ଦେଖିବାକୁ ମିଲିଛି। ଏହି ଯୁବକ ମାନେ ଆରଆଇ ଅଫିସ ମାନଙ୍କରେ ହେଉଥିବା କାମରେ ଦୁର୍ନୀତି କରୁଥିବା ଅଭିଯୋଗ ରହିଥିବା ବେଳେ ଏଥିରେ ସରକାରୀ ବାବୁ ମାନେ ସାମିଲ ରହୁଥିବା ଅଭିଯୋଗ ହୋଇଛି। ସେହିପରି ଜିଲାର ଅନେକ ଆରଆଇ ସର୍କଲ ମାନଙ୍କରେ ଏଆରଆଇ ଓ ଅମିନ ମାନଙ୍କୁ ରାଜସ୍ୱ ନୀରିକ୍ଷକ ଦାୟିତ୍ୱରେ ରହିଥିବା ବେଳେ ବେଆଇନ ଭାବେ ସମସ୍ତ କାଗଜପତ୍ରରେ ସେମାନେ ଦସ୍ତଖତ କରୁଥିବା ଦେଖିବାକୁ ମିଲିଛି। ଏହିଭଳି ଭାବେ ଜିଲାରେ ରାଜସ୍ୱ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡିପଡିଥିବା ବେଳେ ଗତ କିଛି ଦିନ ତଲେ ୧୪୪ଟି ଆରଆଇ ଓ ଅମିନ ପଦବୀ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନିଯୁକ୍ତି ରାଜ୍ୟସ୍ତରରେ କରାଯାଉଥିବା ବେଳେ ଜିଲା ଭାଗରେ ଦୁଇ ରୁ ତିନିଜଣଙ୍କୁ ନିଯୁକ୍ତି ମିଲିବାର ସମ୍ଭାବନା ରହିଛି। ଏନେଇ ବିଧାନସଭାର ଗତ ମୈାସୁମୀ ଅଧିବେଶନରେ ମଧ୍ୟ ଆଲୋଚନା କରାଯାଇଥିଲା। କିନ୍ତୁ ତାହାର ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ କରାଯାଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ୱ ବ୍ୟବସ୍ଥାର ସୁପରିଚାଳନା ପାଇଁ ଆବଶ୍ୟକ ମୁତାବକ ନିଯୁକ୍ତି ପ୍ରଦାନ କରିବା ଦିଗରେ ରାଜ୍ୟସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।
Comments are closed.