ବୃଦ୍ଧ ବୟସରେ ନିର୍ଯାତନା ଦେଉଛି ପୁଅ, ଜିଲାପାଳଙ୍କୁ ଅଭିଯୋଗ କଲେ ବାପାମା’

ବଲାଙ୍ଗିର: ସୋମବାର ବଲାଙ୍ଗିର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଚଣାବାହାଲ ଗାଁର ରଘୁମଣି କର୍ଣ୍ଣ ଓ ପତ୍ନୀ ସରୋଜିନୀ କର୍ଣ୍ଣ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ସେମାନେ ଗରିବ ଶ୍ରେଣୀର। ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରିଥାନ୍ତି। ବୟସ ଯୋଗୁଁ ଉଭୟ ପତି ପତ୍ନୀ ଆଉ କାମ କରିପାରୁ ନାହାନ୍ତି। ତାଙ୍କର ଗୋଟିଏ ପୁଅ ଓ ୨ଝିଅଙ୍କୁ ନେଇ ସଂସାର। ସମସ୍ତଙ୍କୁ ବିବାହ ଦେଇ ସାରିଛନ୍ତି ରଘୁମଣି। ତେବେ ତାଙ୍କ ପୁଅ ସୁନୀଲ, ବୋହୂ ସହ ସୁନୀଲର ଶଳା ଓ ଶ୍ୱଶୁର ଘର ଲୋକ ମିଶି ପ୍ରତିଦିନ ରଘୁମଣି ଓ ପତ୍ନୀ ସରୋଜିନୀଙ୍କୁ ମାଡ ମାରିବା ସହ ଖାଇବାକୁ ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ବୃଦ୍ଧ ବୟସରେ ସେମାନଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଗଲା ୧୧ ମାସ ହେବ ଘରୁ ବାହାର କରି ଦେଇଥିବା ରଘୁମଣି ଅଭିଯୋଗରେ ଦର୍ଶାଇଛନ୍ତି। ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ପୁଅ ଧମକ ଦେଇଥିବା ନେଇ ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଜିଲା ଆରକ୍ଷୀ ଅଧିକ୍ଷକ(ଏସ୍ପି)ଙ୍କ ନିକଟକୁ ଆସିଥିଲେ ବି ସେମାନେ ନିରାଶ ହୋଇ ଫେରିଥିଲେ। ତେଣୁ ସେମାନେ ବାଧ୍ୟ ହୋଇ ଜିଲାପାଳଙ୍କ ନିକଟରେ ଗୁହାରି କରିବା ସହ ଜୀବନ ସୁରକ୍ଷା ଓ ନିଜ ଘରକୁ ପ୍ରବେଶ କରିବା ପାଇଁ ନିବେଦନ କରିଛନ୍ତି। ଅପରପକ୍ଷରେ ଜିଲାପାଳ ସେମାନଙ୍କ ଦୁଃଖ ଶୁଣିବା ପରେ ଏହାର ପ୍ରତିକାର ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

kalyan agarbati

Comments are closed.