ଜଳୁଛି ବୈଷ୍ଣୋ ଦେବୀ ଜଙ୍ଗଲ, ଫସିଲେ ସହସ୍ରାଧିକ ତୀର୍ଥଯାତ୍ରୀ
ଜମ୍ମୁ : ମାତା ବୈଷ୍ଣୋ ଦେବୀ ଜଙ୍ଗଲରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି ଓ ସହସ୍ରାଧିକ ତୀର୍ଥଯାତ୍ରୀ ରାସ୍ତାରେ ଫସି ରହିଥିବା ସୂଚନା ମିଳିଛି । ବୁଧବାର ମଧ୍ୟାହ୍ନରେ ହଠାତ୍ ଜଙ୍ଗଲରେ ନିଅାଁ ଲାଗିଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ନିଆଁ କିଛି ସମୟ ମଧ୍ୟରେ ଏକ ବଡ଼ ଅଂଶକୁ ବ୍ୟାପୀ ଯାଇଥିଲା । ନିଅାଁକୁ ଦେଖି ବୈଷ୍ଣୋ ଦେବୀ ତୀର୍ଥଯାତ୍ରୀଙ୍କ ଯାତାୟତକୁ ବନ୍ଦ କରିଦିଆଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ଅନେକ ତୀର୍ଥଯାତ୍ରୀ ରାସ୍ତାରେ ଅଟକି ରହିଛନ୍ତି । ବାୟୁସେନା ହେଲିକପ୍ଟର ଯୋଗେ ନିଅାଁ ଲିଭାଇବାକୁ ପ୍ରୟାସ ଜାରି ରିଛି । ନିଅାଁ ଲିଭାଇବାରେ ବାୟୁସେନା, ଏନଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ ଅଗ୍ନିକାଣ୍ଡ ନିୟନ୍ତ୍ରଣକୁ ଆସିନାହିଁ । ଫଳରେ ବୈଷ୍ଣୋ ଦେବୀରୁ ଦର୍ଶନ ସାରି ଫେରୁଥିବା ଏବଂ ଦର୍ଶନ ପାଇଁ ଯାଉଥିବା ତୀର୍ଥଯାତ୍ରୀ ବାଟରେ ଫସିରହିଛନ୍ତି । ସେହିପରି ତ୍ରିକୁଟ ଜଙ୍ଗଲରେ ନିଅାଁ ଲାଗିଛି । ଜାମ୍ମୁ କାଶ୍ମୀର ବ୍ୟତୀତ ଉତ୍ତରଖାଣ୍ଡର ଗଢୱାଲ ଏବଂ କୁମାଓଁ ଜଙ୍ଗଲରେ ନିଅାଁ ଲାଗିଛି । ଗଢୱାଲର ୫୨୪ ହେକ୍ଟର ଏବଂ କୁମାଓଁର ୫୦୦ ହେକ୍ଟର ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ନିଅାଁ ଲିଭାଇବାକୁ ୪୦୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି ।