ବିଜେପି ଯିବେ ବୈଜୟନ୍ତ ; କଟକରୁ ହେବେ ପ୍ରାର୍ଥୀ !

0

କଟକ : ବିଜେଡିରୁ ଇସ୍ତଫା ଦେବା ପରେ ସାଂସଦ ବୈଜୟନ୍ତ ପଣ୍ଡା କେଉଁ ଦଳରେ ଯୋଗଦେବେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଶ୍ରୀ ପଣ୍ଡାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅଙ୍କକଷା ଲାଗି ଚାଲିଥିବାବେଳେ ଶନିବାର ଅପରାହ୍ଣରେ ସେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ମର୍କତନଗରସ୍ଥିତ ବାସଭବନରେ ପହଞ୍ଚିଥିଲେ। ସମୀରଙ୍କ ବାସଭବନରେ ଆବିର୍ଭାବକୁ ନେଇ ଶ୍ରୀ ପଣ୍ଡା ବିଜେପି ଯୋଗଦେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଆଗାମୀ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଶ୍ରୀ ପଣ୍ଡା ବିଜେପିରେ ଆନୁଷ୍ଠାନିକଭାବେ ଯୋଗଦେବେ ବୋଲି ଦଳର ବହୁ ନେତା ନାମ ଗୋପନ ରଖି କହିଛନ୍ତି।
ଶ୍ରୀ ପଣ୍ଡା ଆଜି ଅପରାହ୍ଣରେ କଟକକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। କାର୍ଯ୍ୟ ଶେଷ ହେବା ପରେ ସେ ସମୀର ଦେଙ୍କ ବାସଭବନକୁ ଯାଇଥିଲେ। ସେଠାରେ ସେ ପହଞ୍ଚିବା ପରେ ଶ୍ରୀ ଦେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିଲେ। ଏହି ସଭାରେ ବିଜେପି ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ସମେତ ଜିଲା ଓ ନଗର ବିଜେପିର ବହୁ କର୍ମକର୍ତ୍ତା ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। କଟକ ଲୋକସଭା ଆସନରୁ ଶ୍ରୀ ପଣ୍ଡା ବିଜେପିରୁ ପ୍ରାର୍ଥୀ ହେବାକୁ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ପ୍ରସ୍ତାବ ଦେଇଥିଲେ। ଏହାକୁ ସେଠାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ସମର୍ଥନ ଜଣାଇଥିଲେ। ଏହି ସଭାରେ ଶ୍ରୀ ପଣ୍ଡା ମଧ୍ୟ ଉଦ୍‍ବୋଧନ ଦେଇଥିଲେ।
ସୂଚନାଯୋଗ୍ୟ, ଶ୍ରୀ ପଣ୍ଡା ବିଜେଡିରୁ ଇସ୍ତଫା ଦେବା ସହିତ ଲୋକସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି। ଏ ପର୍ଯ୍ୟନ୍ତ ତାଙ୍କର ଇସ୍ତଫା ଗ୍ରହଣ ହୋଇନାହିଁ।

Leave A Reply