ସାତ୍ତ୍ବିକ-ଚିରାଗଙ୍କୁ ଐତିହାସିକ ସ୍ବର୍ଣ୍ଣ

ବ୍ୟାଡ୍‌ମିଣ୍ଟନ ଏସୀୟ ଚମ୍ପିଆନ୍‌ସିପ

ଦୁବାଇ : ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ରେ ନୂଆ ଇତିହାସ ରଚିଛନ୍ତି ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍‌ଡୀ ଓ ଚିରାଗ ସେଟ୍ଟି। ବ୍ୟାଡ୍‌ମିଣ୍ଟନ ଏସୀୟ ଚମ୍ପିଆନ୍‌ସିପ୍‌ରେ ଭାରତ ପାଇଁ ୨ୟ ଏବଂ ପୁରୁଷ ଯୁଗଳରେ ସର୍ବପ୍ରଥମ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି ସାତ୍ତ୍ବିକ-ଚିରାଗ ଯୋଡ଼ି। ରବିବାର ଫାଇନାଲ ମ୍ୟାଚ୍‌ରେ ୬ଷ୍ଠ ସିଡ୍‌ ଭାରତୀୟ ଯୋଡ଼ି ସାତ୍ତ୍ବିକ-ଚିରାଗ ୧୬-୨୧, ୨୧-୧୭, ୨୧-୧୯ ଗେମ୍‌ରେ ୮ମ ସିଡ୍‌ ମାଲେସିଆର ଅଙ୍ଗ୍‌ ୟୁ ସିନ୍ ଓ ଟିଓ ଏଇ ୟିଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍‌ସରେ ବ୍ୟାଡ୍‌ମିଣ୍ଟନ ଏସୀୟ ଚମ୍ପିଆନ୍‌ସିପ୍‌ରେ ପୁରୁଷ ଯୁଗଳରେ ଅଦ୍ୟାବଧି ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଥିଲା କାଂସ୍ୟପଦକ। ୧୯୨୧ରେ ଭାରତର ଦୀପୁ ଘୋଷ ଓ ରମଣ ଘୋଷ କାଂସ୍ୟ ପଦକ ଜିତିଥିଲେ।
ଦୀର୍ଘ ୫୮ ବର୍ଷ ପରେ ବ୍ୟାଡ୍‌ମିଣ୍ଟନ ଏସୀୟ ଚମ୍ପିଆନ୍‌ସିପ୍‌ରେ ଭାରତକୁ ସ୍ବର୍ଣ୍ଣପଦକ ମିଳିଛି। ୧୯୬୫ରେ ଲକ୍ଷ୍ନୌରେ ଆୟୋଜିତ ବ୍ୟାଡ୍‌ମିଣ୍ଟନ ଏସୀୟ ଚମ୍ପିଆନ୍‌ସିପ୍‌ରେ ଭାରତର ଦିନେଶ ଖାନ୍ନା ପୁରୁଷ ସିଙ୍ଗଲ୍‌ସରେ ଦେଶକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଥିଲେ। ଫାଇନାଲରେ ଦିନେଶ ଥାଇଲାଣ୍ଡର ସାଙ୍ଗବ୍‌ ରାଟାନୁସର୍ନଙ୍କୁ ପରାସ୍ତ କରିଥିଲେ। ସ୍ବର୍ଣ୍ଣପଦକ ପାଇଁ ଦୀର୍ଘ ୫୮ ବର୍ଷ ପ୍ରତୀକ୍ଷାର ଅନ୍ତଃ ଘଟାଇଛନ୍ତି ସାତ୍ତ୍ବିକସାଇରାଜ ରାଙ୍କିରେଡ୍‌ଡୀ ଓ ଚିରାଗ ସେଟ୍ଟି। ବିଶ୍ବରେ ଅନ୍ୟତମ ଶ୍ରେଷ୍ଠ ପୁରୁଷ ଡବଲ୍‌ସ ଯୋଡ଼ିର ମାନ୍ୟତା ପାଇଥିବା ସାତ୍ତ୍ବିକ-ଚିରାଗ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଥିବା ବେଳେ ବିଶ୍ବ ଚମ୍ପିଆନ୍‌ସିପ୍‌ରେ କାଂସ୍ୟପଦକ ଜିତିଥିଲେ। ରବିବାର ଫାଇନାଲରେ ସାତ୍ତ୍ବିକ-ଚିରାଗଙ୍କ ବିପକ୍ଷରେ ପ୍ରଥମ ଗେମ୍‌ରେ ସ୍କୋର୍‌ ୧୧-୧୧ ଥିବା ବେଳେ ମାଲେସିଆର ଯୋଡ଼ି ଅଙ୍ଗ୍‌ ୟୁ ସିନ୍ ଓ ଟିଓ ଏଇ ୟି ଆଗେଇ ଯାଇଥିଲେ ଏବଂ ଏହାକୁ ୨୧-୧୬ରେ ଜିତି ନେଇଥିଲେ। ୨ୟ ଗେମ୍‌ ଆରମ୍ଭରୁ ସିନ୍ ଓ ଟିଓ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଭାରତୀୟ ଯୋଡ଼ି ସାତ୍ତ୍ବିକ-ଚିରାଗ ଲୟକୁ ଫେରିଥିଲେ। ଏକଦା ମାଲେସିଆ ଯୋଡ଼ି ୧୩-୭ରେ ଆଗୁଆ ଥିବା ୬ ପଏଣ୍ଟ ଆଗରେ ଥିଲେ। ହେଲେ ସାତ୍ତ୍ବିକ-ଚିରାଗ ସ୍କୋର୍‌କୁ ୧୪-୧୪ କରିବା ପରେ ଆଗେଇ ଯାଇଥିଲେ ଓ ୨୧-୧୭ରେ ଜିତି ନେଇଥିଲେ। ୩ୟ ଗେମ୍‌ରେ ମଧ୍ୟ ମାଲେସିଆ ଯୋଡ଼ି ଆଗରେ ଥିଲେ। ଏକଦା ସିନ୍ ଓ ଟିଓ ୧୫-୧୧ରେ ଆଗୁଆ ଥିଲେ। ହେଲେ ଭାରତୀୟ ଯୋଡ଼ି କ୍ରମାଗତ ପଏଣ୍ଟ ଜିତି ୨୦-୧୭ରେ ଆଗୁଆ ରହି ବିଜୟ ଦ୍ବାରରେ ଥିଲେ। ସିନ୍ ଓ ଟିଓ ୩ଟି ମ୍ୟାଚ୍‌ ପଏଣ୍ଟ ବଞ୍ଚାଇଥିଲେ ହେଁ ସାତ୍ତ୍ବିକ-ଚିରାଗ ଏହାକୁ ୨୧-୧୯ରେ ଜିତି ନେଇଥିଲେ।

Comments are closed.