ବଡ଼ମ୍ବାରେ ପାସ୍‍ ହାର ୯୯%, ଅମ୍ଳାନ ବଡ଼ମ୍ବା ବ୍ଲକରେ ଶ୍ରେଷ୍ଠ ବିବେଚିତ ପରୀକ୍ଷାର୍ଥୀ

ବଡ଼ମ୍ବା: ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳ ବଡ଼ମ୍ବା ବ୍ଲକରେ ଉତ୍ସାହଜନକ ହୋଇପାରିଛି। ପ୍ରାୟ ସମସ୍ତ ଉଚ୍ଚ ବିଦ୍ୟାଳୟରେ ଶତପ୍ରତିଶତ ପାଖାପାଖି ଛାତ୍ରଛାତ୍ରୀ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି। ପରୀକ୍ଷା ଦେଇଥିବା ମୋଟ ୧୮୬୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୪୧ଜଣ ପାସ୍‍ କରିଛନ୍ତି ଅର୍ଥାତ୍‍ ଶତକଡ଼ା ୯୯ଭାଗ ବିଦ୍ୟାର୍ଥୀ ମୋଟ ଉପରେ କୃତକାର୍ଯ୍ୟ ହୋଇପାରିଛନ୍ତି। ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ଉଚ୍ଚ ବିଦ୍ୟାଳୟର ଛାତ୍ର ଅମ୍ଳାନ ଔରଶ୍ରୀ ପ୍ରଧାନ ସର୍ବାଧିକ ୫୭୯ ନମ୍ବର ରଖି ବ୍ଲକସ୍ତରରେ ଶ୍ରେଷ୍ଠ (ଟପର) ହୋଇଥିବା ପ୍ରକାଶ। ସେହିଭଳି ସାମଗ୍ରିକ ଭାବେ ମାଣିଆବନ୍ଧ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚଳିତ ପରୀକ୍ଷାରେ ଭଲ ଫଳାଫଳ ପ୍ରଦର୍ଶନ କରିଥିବା ଅନ୍ୟତମ ଉଲ୍ଲେଖନୀୟ ବିଷୟ। ଉକ୍ତ ବିଦ୍ୟାଳୟର ସମୁଦାୟ ୫ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଥିବା ପ୍ରକାଶ। ମାଣିଆବନ୍ଧ ଉଚ୍ଚ ବିଦ୍ୟାଳୟର ଛାତ୍ର ସ୍ମୃତିରଞ୍ଜନ ସାହୁ ସମୁଦାୟ ୫୭୫ ନମ୍ବର ରଖି ବ୍ଲକସ୍ତରରେ ୨ୟ ସ୍ଥାନରେ ରହିଥିବା ବେଳେ ଡମଣଗାଡ଼ିଆ ରଘୁନାଥ ସାହୁ ହାଇସ୍କୁଲର ଛାତ୍ର ରୀତେଶକୁମାର ଖଟୁଆ ସମୁଦାୟ ୫୭୩ ନମ୍ବର ରଖି ବ୍ଲକସ୍ତରରେ ୩ୟ ସ୍ଥାନରେ ରହିଥିବା ପ୍ରକାଶିତ ଫଳାଫଳରୁ ଜଣାଯାଇଛି।

ସେହିଭଳି ବ୍ଲକ ଅନ୍ତର୍ଗତ ରତାପାଟ ଗ୍ରାମପଞ୍ଚାୟତ ହାଇସ୍କୁଲର ଛାତ୍ର ଅମୀୟକୁମାର ବେଜ ୫୭୨ନମ୍ବର ରଖି ବ୍ଲକସ୍ତରରେ ୪ର୍ଥ ସ୍ଥାନ,ମାଣିଆବନ୍ଧ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶନୀ ୫୭୦ନମ୍ବର ରଖି ୫ମ ସ୍ଥାନ,ଗୋପପୁର ବାସୁଦେବ ହାଇସ୍କୁଲର ଛାତ୍ରୀ ଲୋପାମୁଦ୍ରା ବାରିକ ୫୬୯ ନମ୍ବର ରଖି ୬ଷ୍ଠ ସ୍ଥାନ,ରତାପାଟ ଗ୍ରାମପଞ୍ଚାୟତ ହାଇସ୍କୁଲର ଛାତ୍ର ପ୍ରତ୍ୟୁଷକୁମାର ପଣ୍ଡା ୫୬୮ନମ୍ବର ରଖି ୭ମ ସ୍ଥାନ,ମାଣିଆବନ୍ଧ ହାଇସ୍କୁଲର ଛାତ୍ର ପ୍ରିତିକୃଷ୍ଣ ପରିଡ଼ା ୫୬୭ ନମ୍ବର ରଖି ୮ମ ସ୍ଥାନ ଅଧିକାର କରିଥିବା ବେଳେ ସେହି ବିଦ୍ୟାଳୟର ଛାତ୍ରୀ ଶର୍ମିଷ୍ଟା ଜେନା ୫୬୪ ନମ୍ବର ରଖି ୯ମ ସ୍ଥାନରେ ଏବଂ କଶିକିଆରୀ ପ୍ରଫୁଲ୍ଲ ବିଶ୍ୱାଳ ହାଇସ୍କୁଲର ଛାତ୍ର ଆଶୁତୋଷ ସାହୁ ୫୬୨ ନମ୍ବର ରଖି ୧୦ମ ସ୍ଥାନରେ ରହିଥିବା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପ୍ରକାଶିତ ଫଳାଫଳକୁ ନେଇ ହସ୍ତଗତ ହୋଇଥିବା ପ୍ରାଥମିକ ସର୍ବେକ୍ଷଣରୁ ଜଣାଯାଇଛି। ମିଳିଥିବା ସୂଚନାନୁଯାଇ ସମଗ୍ର ବ୍ଲକର ୩୭ଟି ହାଇସ୍କୁଲର ପାଖାପାଖି ୬୭ଜଣ ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ବେଳେ ସର୍ବାଧିକ ମାଣିଆବନ୍ଧ ହାଇସ୍କୁଲରେ ୧୭ଜଣ,ରତାପାଟ ହାଇସ୍କୁଲରେ ୧୪ଜଣ ଏବଂ ଡମଣଗାଡ଼ିଆ ହାଇସ୍କୁଲରେ ୯ଜଣ ଛାତ୍ରଛାତ୍ରୀ ରହିଥିବା ଜଣାଯାଇଛି। ସେହିଭଳି ଗୋପପୁର ବାସୁଦେବ ହାଇସ୍କୁଲରେ ୫ଜଣ,ରଗଡ଼଼ିପଡ଼ା ହାଇସ୍କୁଲରେ ୪ଜଣ,ବଡ଼ମ୍ବା ମୋହନସୁବୁଦ୍ଧି ହାଇସ୍କୁଲରେ ୩ଜଣ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨ଜଣ ଛାତ୍ରଛାତ୍ରୀ ଏ-୧ ରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥିବା ପ୍ରକାଶିତ ଫଳାଫଳରୁ ମୋଟାମୋଟି ଜଣାଯାଇଛି।

Comments are closed.