ମନଜିଣିଲା ହାତବୁଣା ଉତ୍ତରୀୟ, ରାଜ୍ୟପାଳଙ୍କୁ ବିମୋହିତ କରିଛି ମାଣିଆବନ୍ଧି ଅଙ୍ଗବସ୍ତ୍ର

ବଡ଼ମ୍ବା: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ହେଉ କି ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ। ସାଲେପୁର ରସଗୋଲା ହେଉ କି ଓଡ଼ିଆ ଜନଜୀବନର ପ୍ରତ୍ୟେକଟି କଳା ସଂସ୍କୃତି। ଏସବୁରେ ଅନେକଥର ବିମୋହିତ ହୋଇଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଉତ୍ସବରେ ମୁଖ୍ୟଅତିଥି ଭାବେ ସମ୍ବର୍ଦ୍ଧିତ ହୋଇ ପାଇଥିବା ଏକ ମାଣିଆବନ୍ଧି ଉତ୍ତରୀୟ ରଜ୍ୟପାଳଙ୍କୁ ଖୁବ୍ ଆକର୍ଷିତ କରିପାରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଉକ୍ତ ଉତ୍ସବରେ ରାଜ୍ୟପାଳଙ୍କୁ ରାଜଭଭନରେ ଭେଟି ସମ୍ବର୍ଦ୍ଧିତ କରିଥିଲେ ମାଣିଆବନ୍ଧର ବାନ୍ଧଶିଳ୍ପୀ ତଥା ଅଧ୍ୟାପକ ଲକ୍ଷ୍ମୀଧର ଚାନ୍ଦଙ୍କ ସହିତ ତାଙ୍କ ସାଥୀ ଦିବ୍ୟଜ୍ୟୋତି ସାହୁ। ସମ୍ବର୍ଦ୍ଧିତ ହେବା ଅବସରରେ କାଣ୍ଟିଆ ଭଳି କପଡ଼ାରେ କୋଣାର୍କ ଚକ୍ର ଏବଂ ବୁଟି ପକା ଉକ୍ତ ହାତବୁଣା(ହସ୍ତତନ୍ତ) ଉତ୍ତରୀୟ ଦେଖି ବିମୋହିତ ହୋଇଥିଲେ ରାଜ୍ୟପାଳ ଶ୍ରୀ ଲାଲ। ଏହାର ଶିଳ୍ପୀ ଏବଂ ସ୍ୱତନ୍ତ୍ର କାରିଗରୀ ସମ୍ପର୍କରେ ଜାଣିବାକୁ ଆଗ୍ରହପ୍ରକାଶ କରିଥିଲେ। ଯୁବ ବାନ୍ଧଶିଳ୍ପୀ ଅଧ୍ୟାପକ ଶ୍ରୀ ଚାନ୍ଦ ଏବଂ ତାଙ୍କ ସାଥୀ ଶ୍ରୀ ସାହୁ ହାତରେ ନେଇଥିବା ବିଭିନ୍ନ କିସମର ମାଣିଆବନ୍ଧି ଉତ୍ତରୀୟ,ରୁମାଲ ଦେଖାଇ ମାଣିଆବନ୍ଧର ସ୍ୱତନ୍ତ୍ର ପ୍ରସିଦ୍ଧି, ଅନନ୍ୟ ବୁଦ୍ଧ ଉପାସନା, ବୌଦ୍ଧ କଳା ଓ ସଂସ୍କୃତି, ପାରମ୍ପରିକ ବାନ୍ଧ ଓ ହସ୍ତତନ୍ତ ଶିଳ୍ପରୁ ପ୍ରସ୍ତୁତ ଖଣ୍ଡୁଆ ଶାଢୀ, ପାଟ, କୁମ୍ଭ ଓ ବୁଟିପକା ଶାଢୀ ଆଦି ସ୍ୱତନ୍ତ୍ର ଅଙ୍ଗବସ୍ତ୍ରର ଐତିହ ଉପରେ ରାଜ୍ୟପାଳଙ୍କୁ ସମ୍ୟକ ଅବଗତ କରାଇଥିଲେ। ଏହି ସୌଜନ୍ୟମୁଳକ ସାକ୍ଷାତକାରରେ ରାଜ୍ୟପାଳ ମହୋଦୟ ମାଣିଆବନ୍ଧି ଅଙ୍ଗବସ୍ତ୍ର ଦେଖିବା ଏବଂ ଏହାର ସ୍ୱତନ୍ତ୍ର କାରିଗରୀ କୌଶଳ ଜାଣି ଅତ୍ୟନ୍ତ ଖୁସିପ୍ରକାଶ କରିଥିଲେ। ଏହି ଅବସରରେ ଅଧ୍ୟାପକ ଶ୍ରୀ ଚାନ୍ଦ ରାଜ୍ୟପାଳଙ୍କୁ କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ହସ୍ତତନ୍ତ ଶିଳ୍ପୀଗ୍ରାମ ମାଣିଆବନ୍ଧ ପରିଭ୍ରମଣରେ ଆସିବାକୁ ଅନୁରୋଧ କରିଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି।

kalyan agarbati

Comments are closed.