ଭାଉଜକୁ ହତ୍ୟାକଲା ଦିଅର, ହତ୍ୟାକାରୀ ଅଟକ

ବଡ଼ଚଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୈରୀ ଥାନା ଅଧିନରେ ଏକ ହତ୍ୟାକାଣ୍ଡ ଘଟିଛି। ପୁଲିସର ଉଦ୍ୟମ ଫଳରେ ହତ୍ୟାକାରୀକୁ ଅଟକ ରଖାଯାଇ ତଦନ୍ତ ଚାଲିଥିବା ସୂଚନା ମିଳିଛି। ପୂର୍ବରୁ ଜମିବାଡି ଘଟଣା ଏବଂ ଗତକାଲି ବନ୍ଧାପଡିଥିବା ଏକ ଜମିକୁ ମୁକୁଳାଇବା ଘଟଣାକୁ ନେଇ ବୁଧବାର ସକାଳେ ଏକ ନୃଶଂସ ଘଟଣା ଘଟିଯାଇଛି।

ସୂଚନା ଅନୁସାରେ, ବଡ଼ଚଣା ବ୍ଲକ ବୈରୀ ଥାନା ଅନ୍ତର୍ଗତ ବନ୍ତଳା ପଞ୍ଚାୟତ କପାଷ୍ଟିକିରୀ ଗ୍ରାମର ନାୟକ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ସବୁଦିନ ପରି ଉଭୟ ପରିବାର ମଙ୍ଗଳବାର ରାତିରେ ନିଜନିଜ ଘରେ ଖାଇପିଇ ଶୋଇଥିଲେ। ପରଦିନ ଅର୍ଥାତ ବୁଧବାର ସକାଳେ ଗୌରାଙ୍ଗ ଚରଣ ନାୟକଙ୍କ ସ୍ତ୍ରୀ ଅନିତା ନାୟକ(୪୪) ଦାଣ୍ଡ ଓଳାଉଥିବାବେଳେ ଅଭିଯୁକ୍ତ ଜୟନ୍ତ ନାୟକ ହଠାତ୍‌ ଅନିତାଙ୍କ ପାଖକୁ ଆସି ପାଟି ବନ୍ଦକରି ତାଙ୍କୁ ନିଜ ଘରକୁ ଟେକି ନେଇଥିଲେ। ପାଟିବନ୍ଦ କରିଥିବାରୁ ଅନିତା ପାଟି କରିବାକୁ ସୁଯୋଗ ପାଇ ନଥିଲେ। ଠିକ୍ ଏହି ସମୟରେ ରାସ୍ତାରେ ଅନିତାଙ୍କ ପୁଅ ଲକ୍ଷ୍ମୀଧର ନାୟକ ଯାଉଥିବାବେଳେ ତାଙ୍କ ବୋଉକୁ ନିଜ ଦାଦା ଜୟନ୍ତ ତାଙ୍କ ପାଟିରେ ହାତଦେଇ ଟେକିନେଇଯାଇ ଘରେ ମାରଧର କରୁଥିବା ଜାଣିବା ପରେ ସକାଳ ପ୍ରାୟ ୬ଟା ସମୟରେ ସାହିରେ ପାଟିକରି ଡାକ ପକାଇଲା। ହେଲେ କେହି ପଦାକୁ ଆସିବାକୁ ସାହସ କରିନଥିଲେ। ଅଭିଯୁକ୍ତ ଜୟନ୍ତ ଭାଉଜ ଅନିତାଙ୍କୁ ଘର ଭିତରେ ଏକ କୁରାଢ଼ିରେ ସ୍ତ୍ରୀ ମାନ ନାୟକ ସହ ମିଶି ଅନିତାଙ୍କ ବେକକୁ ହାଣି ହତ୍ୟା କରିଥିଲେ। କିଛି ସମୟ ପରେ ଅନିତାଙ୍କ ମୃତଦେହକୁ ରକ୍ତାକ୍ତ ଅବସ୍ଥାରେ ଦାଣ୍ଡରେ ପକାଇ ଦେଇଥିଲା। ପରେ ନିଜ ଘର କବାଟ ଦେଇ ଜୟନ୍ତ, ସ୍ତ୍ରୀ ମାନ ନାୟକ, ପୁଅ ଓ ଝିଅ ଗାଁ ଭିତରକୁ ପଳାଇଥିଲେ। ଏହି ଘଟଣା ଜାଣିବା ପରେ ପୁଅ ଲକ୍ଷ୍ମୀଧର ନାୟକ ବୈରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବୈରୀ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ, ଏସ୍‌ଆଇ ସୁବ୍ରତ ସାହୁ, ଜେ.ଆବେଦିନଙ୍କ ସମେତ ପୁଲିସ ଫୋର୍ସ ଧରି କପାଷ୍ଟିକିରୀ ଗାଁରେ ପହଞ୍ଚି ମୃତଦେହ ଜବତ କରିଥିଲେ। ପରେ ବୈଜ୍ଞାନିକ ଦଳ ଆସି ଛାନଭିନ୍‌ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୬୧/୨୩ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Comments are closed.