ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବାକୁ ୮ ରାଜ୍ୟ, ୪ କେନ୍ଦ୍ରଶାସିତ ଅଞ୍ଚଳ ବୁଝାମଣାପତ୍ର ସ୍ୱାକ୍ଷର କଲେ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ‘ଆୟୁଷ୍ମାନ ଭାରତ’କୁ କାର୍ଯ୍ୟକାରୀ କରିବା ଲାଗି ୮ଟି ରାଜ୍ୟ ସରକାର ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ରାଜ୍ୟଗୁଡିକ ମଧ୍ୟରେ ହିମାଚଳ ପ୍ରଦେଶ, ହରିୟାଣା, ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ପ୍ରମୁଖ ରହିଛନ୍ତି। ଆଗାମୀ ଦିନରେ ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, କେରଳ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଓ ତାମିଲନାଡୁ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିବାର ଅଛି। ତେବେ ଦିଲ୍ଲୀ, ଓଡିଶା, ପଞ୍ଜାବ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି କୌଣସି ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିବେ। ଆୟୁଷ୍ମାନ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ ସୁରକ୍ଷା ଯୋଜନା। ଏହି ଯୋଜନାରେ ଭାରତର ୧୦କୋଟି ଗରିବ ପରିବାରର ୫୦କୋଟି ଲୋକଙ୍କ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ। ପ୍ରତି ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ। ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ କ୍ୟାସଲେସ୍‍ ଓ ପେପର ଲେସ୍‍ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ। ରୋଗ ଚିକିତ୍ସା ବାବଦରେ ଲେକେ ଅର୍ଥ ଖର୍ଚ୍ଚ କରି ସର୍ବସ୍ୱାନ୍ତ ହେବା ସହ ଗରିବ ଅବସ୍ଥାକୁ ଚାଲିଆସୁଥିବାବେଳେ ଏହାକୁ ଦୂର କରିବା ଲାଗି କେନ୍ଦ୍ର ସରକାର ଗତ ବଜେଟ୍‍ରେ ଏହି ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ।

Leave A Reply