ଆୟୁଷ୍ମାନ ଭାରତ ପ୍ୟାକେଜ୍କୁ ଆଇଏମ୍ଏର ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ : କମ୍ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ‘ଆୟୁଷ୍ମାନ ଭାରତ’ ଅଧୀନରେ ଘୋଷଣା କରାଯାଇଥିବା ପ୍ୟାକେଜ୍କୁ ଭାରତୀୟ ମେଡିକାଲ ସଂଘ (ଆଇଏମ୍ଏ) ରବିବାର ପ୍ରତ୍ୟାଖ୍ୟାନ କରିଦେଇଛି। ଏହି ପ୍ୟାକେଜ୍ ଯୋଗୁ ରୋଗୀମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି ସଂସ୍ଥା ପକ୍ଷରୁ ଦର୍ଶାଯାଇଛି। ଆଇଏମ୍ଏ ପକ୍ଷରୁ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଜରୁରୀ ବୈଠକରେ ସଂସ୍ଥାର ଜାତୀୟ ଅଧ୍ୟକ୍ଷ ରବି ୱାଙ୍ଖେଡକର କହିଛନ୍ତି, ଏତେ କମ୍ ମୂଲ୍ୟରେ ଚିକିତ୍ସା ଯୋଗାଇଦେବା ସମ୍ଭବ ନୁହେଁ। ଏହି ପ୍ୟାକେଜ୍ କାର୍ଯ୍ୟକାରୀ ହେଲେ ଡାକ୍ତରଖାନାଗୁଡିକ ଚିକିତ୍ସାରେ ସାଲିସ କରିବାକୁ ବାଧ୍ୟ ହେବେ; ଯଦ୍ଦ୍ୱାରା ଦୁର୍ନୀତି ବୃଦ୍ଧି ପାଇବ। ଏଣୁ ବୈଜ୍ଞାନିକ ଢାଞ୍ଚାରେ ଏହି ମୂଲ୍ୟ ନିର୍ଦ୍ଧାରଣ କରାଯିବା ଆବଶ୍ୟକ। ଯଦିଓ ସରକାରଙ୍କ ସହିତ ମିଶି ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଆଇଏମ୍ଏ ଇଚ୍ଛୁକ ତଥାପି ଏହି ପ୍ୟାକେଜ୍ର ଉଚିତ୍ ସମୀକ୍ଷା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛି।
କରୋନାରୀ (ହୃଦ୍ସଂବାହୀ) ବାଇପାସ୍, ଆଣ୍ଠୁଗଣ୍ଠି ପ୍ରତିରୋପଣ ଏବଂ ଷ୍ଟେଣ୍ଟ ଆଦି ଚିକିତ୍ସା ୧୫ରୁ ୨୦% କମ୍ ମୂଲ୍ୟରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ପ୍ୟାକେଜ୍ ଘୋଷଣା କରିଥିଲେ। ଗତ ମାସରେ ଏ ସମ୍ବନ୍ଧୀୟ ୨୦୫ ପୃଷ୍ଠା ସମ୍ବଳିତ ଦସ୍ତାବିଜ୍ ବିଭିନ୍ନ ରାଜ୍ୟଗୁଡିକୁ ପ୍ରଦାନ କରାଯାଇଥିଲା। ଏଥିରେ ଆଣ୍ଠୁଗଣ୍ଠି ପ୍ରତିରୋପଣ ଲାଗି ୯,୦୦୦ ଟଙ୍କା, ଷ୍ଟେଣ୍ଟ ପାଇଁ ୪୦,୦୦୦ ଟଙ୍କା, କରୋନାରୀ ଆର୍ଟେରୀ ବାଇପାସ୍ ଗ୍ରାଫ୍ଟିଂ ପାଇଁ ୧.୧୦ ଲକ୍ଷ ଟଙ୍କା, ଅସ୍ତ୍ରୋପଚାର ଦ୍ୱାରା ପ୍ରସବ ନିମନ୍ତେ ୯୦୦୦ ଟଙ୍କା, ଭର୍ଟିବ୍ରାଲ ଆଞ୍ଜିଓପ୍ଲାଷ୍ଟି ପାଇଁ ୫୦,୦୦୦ ଟଙ୍କା ଏବଂ ଗର୍ଭାଶୟ ଅସ୍ତ୍ରେପଚାର ଲାଗି ୫୦,୦୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ମାତ୍ର ଏହି ପ୍ୟାକେଜ୍ ଆଦୌ ଗ୍ରହଣୀୟ ନୁହେଁ ବୋଲି ଆଇଏମ୍ଏ ପକ୍ଷରୁ ଦର୍ଶାଯାଇଛି। ଏଥିସହ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନର କାର୍ଯ୍ୟକାରିତାର ବୀମା ଯୋଜନା ବିରୋଧରେ ମଧ୍ୟ ବୈଠକରେ ଆପତ୍ତି ଉଠାଯାଇଛି। ଏନେଇ ଏକ ଅନନ୍ୟ ବିଶ୍ୱାସଯୋଗ୍ୟ ମଡେଲ ପ୍ରସ୍ତୁତ କରିବାକୁ ସଂସ୍ଥା ଦାବି କରିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ୧୫% ଲାଭ ଦ୍ୱାରା କୋଟି କୋଟି ଟଙ୍କା ଅନାବଶ୍ୟକ ଭାବେ ତୃତୀୟ ପାର୍ଟି ହାତକୁ ଚାଲିଯିବ ବୋଲି ଡାକ୍ତର ୱାଙ୍ଖେଡକର କହିଛନ୍ତି। ଏହି ଯୋଜନାରେ ଥିବା ବ୍ୟବସ୍ଥା ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଡାକ୍ତରଖାନାଗୁଡିକ କ୍ଷତିଗ୍ରସ୍ତ ହେବେ ବୋଲି ସେ ଦର୍ଶାଇଛନ୍ତି। ଅନ୍ୟପଟେ ୧୦ରୁ ଊର୍ଦ୍ଧ୍ବ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାଗୁଡିକୁ ପଞ୍ଜିକୃତ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସଂସ୍ଥା ପକ୍ଷରୁ ବୈଠକରେ ପ୍ରଶଂସା କରାଯାଇଛି।
ଉଲ୍ଲେଖ ଯେ ସମାଜର ଦରିଦ୍ର ତଥା ଅନୁନ୍ନତ ବର୍ଗର ୧୦ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେବା ଉଦ୍ଦେଶ୍ୟରେ ଅସ୍ଥିରୋଗ, ହୃଦ୍ରୋଗ, କର୍କଟ ଏବଂ ସ୍ନାୟୁରୋଗ ଭଳି ୨୦ଟି ବିଭାଗକୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ପ୍ରସ୍ତୁତ ଏହି ପ୍ୟାକେଜ୍ରେ ସମ୍ମିଳିତ କରାଯାଇଛି ବୋଲି ମେ’ ୨୪ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ପ୍ରକାଶ କରିଥିଲେ।