ଅଯୋଧ୍ୟା ମାମଲା: ଶୁଣାଣିର ସିଧାପ୍ରସାରଣ ଆବେଦନ ଖାରଜ

ନିର୍ମୋହୀ ଆଖଡ଼ାର ଦାବି ୧୯୩୪ରୁ ମୁସଲମାନଙ୍କୁ ରାମଜନ୍ମସ୍ଥଳକୁ ପ୍ରବେଶ ଅନୁମତି ନଥିଲା

ନୂଆଦିଲ୍ଳୀ : ସୁପ୍ରିମକୋର୍ଟରେ ମଙ୍ଗଳବାର ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାର ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍‍ ଏସଏ ବୋବଡେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‍ ଏସଏ ନଜିରଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଶୁଣାଣି ଆରମ୍ଭରେ ଶୁଣାଣିର ସିଧାପ୍ରସାରଣ ପାଇଁ ଆରଏସଏସର ପୂର୍ବତନ ନେତା ଏନ ଗୋବିନ୍ଦାଚାର୍ଯ୍ୟଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ।

prayash

ପକ୍ଷଭୁକ୍ତଙ୍କ ମଧ୍ୟରୁ ନିର୍ମୋହୀ ଆଖଡା ମଙ୍ଗଳବାର ନିଜ ଦଲିଲ ରଖିଥିଲା। ନିର୍ମୋହୀ ଆଖଡ଼ା ଦାବି କରିଛି ଯେ ୧୯୩୪ରୁ ମୁସଲମାନଙ୍କୁ ରାମ ଜନ୍ମସ୍ଥଳକୁ ପ୍ରବେଶ ଅନୁମତି ନଥିଲା ଓ କେବଳ ନିର୍ମୋହୀ ଆଖଡା ସେଠାକୁ ଯାଇପାରୁଥିଲା। ନିର୍ମୋହୀ ଆଖଡ଼ା ରାମଜନ୍ମ ଭୂମି ସ୍ଥଳ ଉପରେ ନିୟନ୍ତ୍ରଣ ଏବଂ ତାର ପରିଚାଳନା ଅଧିକାର ଚାହୁଁଛି। ନିର୍ମାହୀ ଆଖଡ଼ା ପକ୍ଷ ରଖୁଥିବା ବରିଷ୍ଠ ଅଧିବକ୍ତା ସୁଶୀଲ ଜୈନ କହିଛନ୍ତି ଯେ ନିର୍ମାହୀ ଆଖଡ଼ା ଏକ ପଞ୍ଜୀକୃତ ସଂସ୍ଥା ଅଟେ। ରାମଜନ୍ମ ଭୂମି ସ୍ଥଳରେ ଥିବା ବସ୍ତୁ, ମାଲିକାନା ଅଧିକାର ଏବଂ ପରିଚାଳନା ଅଧିକାର ପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ମୋହୀ ଆଖଡ଼ା ଦାବି କରିଛି ଯେ ଶତାଧିକ ବର୍ଷ ପର୍ଯ୍ୟନ୍ତ ରାମଜନ୍ମ ଭୂମି ଉପରେ ନିର୍ମାହୀ ଆଖଡ଼ାର ନିୟନ୍ତ୍ରଣ ଥିଲା। ରାମଜନ୍ମ ଭୂମି ପରିସରର ବାହାର ପଟେ ସୀତା ରୋଷେଇ ଘର, ମଞ୍ଚ, ଭଣ୍ଡାର ଗୃହ ଉପରେ ଆମର ନିୟନ୍ତ୍ରଣ ଥିଲା ଏବଂ ତାହା ଉପରେ କୌଣସି ବିବାଦ ନଥିଲା।
ପ୍ରକାଶ ଯେ ଅଯୋଧ୍ୟା ବାବ୍ରି ମସଜିଦ ଏବଂ ରାମଜନ୍ମଭୂମି ଜମି ବିବାଦ ମାମଲାର ସମାଧାନ ପାଇଁ ଗଠିତ ମଧ୍ୟସ୍ଥତା କମିଟି ଗତ ଗୁରୁବାର ସୁପ୍ରିମକୋର୍ଟରେ ସିଲ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଥିଲା। ଏହା ପୂର୍ବରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ଗତ ଜୁଲାଇ ୧୮ରେ ମାମଲାର ଶୁଣାଣି କରି ଅଗଷ୍ଟ ୧ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଚଳିତ ବର୍ଷ ମାର୍ଚ୍ଚ ୮ରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କମିଟି ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ ଉଦ୍ୟମ ଚଳାଇଥିଲେ । ମଧ୍ୟସ୍ଥତା କମିଟି ବିଫଳ ହେବା ପରେ ସୁପ୍ରିମକୋର୍ଟ ମାମଲାର ନିୟମିତ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ସପ୍ତାହରେ ୩ ଦିନ (ମଙ୍ଗଳବାର, ବୁଧବାର ଏବଂ ଗୁରୁବାର) ଅଯୋଧ୍ୟା ମାମଲାର ଶୁଣାଣି ହେବ।

ଉଲ୍ଲେଖଯୋଗ୍ୟ ଯେ ୨୦୧୦ ସେପ୍ଟେମ୍ବର ୩୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୨:୧ ମତରେ ୨.୭୭ ଏକର ବିବାଦୀୟ ଜମିକୁ ୩ ପକ୍ଷ ଯଥା ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦେଇଥିଲେ। ଆହ୍ଲାବାଦ ହାଇକୋଟଙ୍କ ନିଷ୍ପତ୍ତିକୁ କୌଣସି ପକ୍ଷ ଗ୍ରହଣ କରିନଥିଲେ ଓ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ୨୦୧୧ ମଇ ୯ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ୍‍ ଲଗାଇ ଦେଇଥିଲେ। ୯ ବର୍ଷ ହେଲା ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅଛି।

kalyan agarbati

Comments are closed.