ଏୟାରଟେଲ ମୋବାଇଲ୍ ଟାୱାର କପର କେବୁଲ ଡକାୟତି ମାମଲା; ୬ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସୁକୁଟାପାଲି ଏୟାରଟେଲ ଟାୱାରଠାରେ ଦୀର୍ଘ ଦିନରୁ କପର କେବୁଲ୍ ଚୋରୀ ହୋଇ ଆସୁଥିବା ନେଇ କମ୍ପାନୀର ଦୀପକ ପରିଡ଼ା ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଗତ ବିଳମ୍ବିତ ରାତିରେ ସୁକୁଟାପାଲି ଏୟାରଟେଲ ଟାୱାରଠାରେ ଦୁର୍ବୃତ୍ତମାନେ ଏକ କାର୍ ଯୋଗେ କଟର, ପ୍ଲାସ ସାହାଯ୍ୟରେ କେବୁଲକୁ ୧୫୦ ଫୁଟ ଲମ୍ବର ଖଣ୍ଡ ଖଣ୍ଡ କରି କାଟି ଗାଡ଼ିରେ ବୋଝେଇ କରିଥିଲେ। କାଟିବା ସମୟରେ କମ୍ପାନୀର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମୋବାଇଲରେ ସାଇରନ୍ ବାଜିଥିଲା। ଯାହା ଫଳରେ କର୍ମଚାରୀ ଜଣକ ଟାୱାର ପାଖକୁ ଯାଇ ଚୋରଙ୍କୁ ଧରିଥିଲେ। ଅନ୍ୟ ୫ ଜଣ ଏପଟ ସେପଟ ହୋଇ ବିଲ ଭିତରକୁ ପଶି ଫେରାର ମାରୁଥିବା ସମୟରେ ଅତାବିରା ପୁଲିସ ସଦଳବଳେ ପହଞ୍ଚି ଫେରାର ମାରୁଥିବା ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ। ୬ଜଣ ଚୋରଙ୍କୁ ଧରି ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

prayash

ଏହି ଦୁର୍ବୃତ୍ତମାନେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର କପର୍ ଚୋରୀ କରି ବିକ୍ରୀ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଖେତରାଜ ଥାନା ତାଲଭଟାର ଶିବରାମ ଓରଫ ଟିକୁ ପ୍ରଧାନ(୩୦), ହୀରାକୁଦ ଥାନା ଖ୍ରୀଷ୍ଟିଆନପଡାର ସୁରଜ୍ ମେହେର ଓରଫ ଭୂତୁଲୁ(୨୬), ବୁର୍ଲା ଥାନା ଗଉଡପାଲି ଧିପାପଡାର ଟିକିନା ସାହୁ(୩୭), ଯୁଯୁମୁରା ଥାନା ଝାଙ୍କରପଡାର ମାନସ ଠେଲା(୧୯), ହେମନ୍ତ ଖରସେଲ୍(୨୨) ଓ ସମ୍ବଲପୁର ସଦର ଥାନା ପୁଟିବନ୍ଦ ଟି ଏଫ୍ କଲେଜ ଅଞ୍ଚଳର ଏମଡି ଅରବାଜ୍(୨୨)। ଏମାନଙ୍କ ମଧ୍ୟରୁ ଶିବରାମ୍ ଓ ସୁରଜଙ୍କ ନାମରେ ପୂର୍ବରୁ ମଧ୍ୟ ଅଇଁଠା ପାଲି, ହୀରାକୁଦ, ବୁର୍ଲା ଥାନାରେ ବିଭିନ୍ନ ମାମଲାରେ ଅନେକ ଥର ଅଭିଯୋଗ ହୋଇଥିବା ପୁଲିସର ରେକର୍ଡରେ ଲିପିବଦ୍ଧ ହୋଇ ରହିଛି । ବରଗଡ଼ ପୁଲିସ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ଥାନାରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଏସଡିପିଓ ଦୀପକ ଗୋଚ୍ଛାୟତ, ଥାନା ଅଧିକାରୀ ଅନିଲ ପ୍ରଧାନଙ୍କ ଉଦ୍ୟମରେ ୬ଜଣ ଚୋର ଧରାପଡ଼ି କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ବିରୁଦ୍ଧରେ ଅତାବିରା ଥାନାରେ ଭାରତୀୟ ପେନାଲ କୋର୍ଟ ଧାରା ୩୭୯/୩୪, କେସ ନମ୍ବର ୨୯୩ ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବାରେ ଅତାବିରା ପୁଲିସ ଏସ ଆଇ ଯାଦବ ବାଗ, ଏଏସଆଇ ଲଲିତ ନାଗ, ଯୁଗଳ କିଶୋର ତାଣ୍ଡି, ଓ ଏ ପି ଏଫ୍ ସହଦେବ ବିମାରି ଓ ହୋମ ଗାର୍ଡ ପରମେଶ୍ବର କାଳସେ ସହଯୋଗ କରିଥିଲେ ।

kalyan agarbati

Comments are closed.