ଦୋକାନ ସଟର ଭାଙ୍ଗି ବଡ ଧରଣର ଲୁଟ୍
ଆଠଗଡ : ଆଠଗଡ ସହରର ଝରଣଛକ ନିକଟରେ ଥିବା ଏକ କମ୍ପାନୀର ଅଧିକୃତ ପାଇକାରୀ ବିକ୍ରେତାଙ୍କ ଦୋକାନର ସଟର ଭାଙ୍ଗି ପ୍ରାୟ ୨୫ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବେଣ୍ଟପଦା ଗ୍ରାମର ନିରୋଦ କୁମାର ପଣ୍ଡାଙ୍କର ମହାଲକ୍ଷ୍ମୀ ଏଜେନ୍ସି ନାମରେ ଏକ ପାଇକାରୀ ଦୋକାନ ଝରଣ ଛକଠାରୁ ମେଡିକାଲ ଯିବା ରାସ୍ତାରେ ରହିଛି। ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୁତ ତାଙ୍କ ଦୋକାନର ସଟରକୁ ଅଭିନବ ଉପାୟରେ ଭାଙ୍ଗି ତା ମଧ୍ୟରେ ଥିବା ନେସ୍ଲେ କମ୍ପାନୀର ବହୁ ପରିମାଣର ଶିଶୁ ଖାଦ୍ୟ ଓ ଚକୋଲେଟ ଆଦି ଚୋରି କରିଥିବା ଦେଖିବାକୁ ମିଳିଥିଲା। ଗୁରୁବାର କଟକସ୍ଥିତ ମୁଖ୍ୟ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ପ୍ରାୟ ୨୦ଲକ୍ଷ ଟଙ୍କାର ସାମଗ୍ରୀ ଆସି ଦୋକାନରେ ଭର୍ତ୍ତି ହୋଇଥିଲା। ସେହି ରାତିରେ ତାଙ୍କ ଦୋକାନ ସଟର ଭଙ୍ଗାଯାଇ ଲାକ୍ଟୋଜେନ୍ ୧୦ପେଟି, ସେରେଲାକ ୪୨ପେଟି, ନେଷ୍ଟମ୍ ୧୨ପେଟି, କିଟ୍କାଟ୍ ଚକୋଲେଟ ୧୫ପେଟି, ମ୍ୟାଗି ନୁଡୁଲ୍ସ ୪୦ପେଟି, ଆଭଏଟ୍ କମ୍ପାନୀର ସିମିଲାକ୍ ପେଡିକେୟାର ୨୦ପେଟି ଏବଂ ଦୋକାନରେ ଥିବା ନଗଦ ପ୍ରାୟ ୧୦ହଜାର ଟଙ୍କା ଲୁଟ୍ ହୋଇଥିବା ଦୋକାନର ମାଲିକ ଶ୍ରୀ ପଣ୍ଡା ଥାନାରେ ଦେଇଥିବା ଏତଲାରୁ ପ୍ରକାଶ । ଏତେ ପରିମାଣର ସାମଗ୍ରୀ ନେବାପାଇଁ ନିଶ୍ଚିତ ଭାବରେ କୌଣସି ଗାଡିର ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି। ଆଠଗଡ ପୁଲିସ ଏତଲା ରଖି ତଦନ୍ତ କରୁଥିଲେ ମଧ୍ୟ ଏହି ଚୋରି ଘଟଣାର କୌଣସି ସୁରାକ୍ ଏ ପର୍ଯ୍ୟନ୍ତ ପାଇନଥିବା ଜଣାପଡିଛି । କଟକରୁ ଯେଉଁ ଗାଡିରେ ତାଙ୍କର ମାଲ୍ ଆସିଥିଲା ସେହି ଗାଡିର ଚାଳକ କିମ୍ବା ଖଲାସି ଏହି ଲୁଟ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ସେ ଦିଗରେ ପୁଲିସ ତଦନ୍ତ କରିବା ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି।
Comments are closed.