ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ ସ୍ୱାସ୍ଥ୍ୟ ଶିବିର
ଆଠଗଡ: ସ୍ୱତନ୍ତ୍ର ଅଲିମ୍ପିକ୍ ଭାରତ ପକ୍ଷରୁ ଆଠଗଡର ଡ. ବ୍ରଜବିହାରୀ ମହାନ୍ତି ମାନସିକ ଅନଗ୍ରସର ସହାୟତା ଟ୍ରଷ୍ଟ ସହଯୋଗରେ ସ୍ୱାଧୀନତାର ୭୫ବର୍ଷରେ ଆଜାଦି କି ଅମ୍ରିତ୍ ମହୋତ୍ସବ ଅବସରରେ ଦିବ୍ୟାଙ୍ଗଙ୍କ ପାଇଁ ଏକ ଜାତୀୟ ସ୍ୱାସ୍ଥ୍ୟ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ଥାନୀୟ ଝୁଲଣ ମନ୍ଦିର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଜିଲାର ବିଭିନ୍ନ ବ୍ଲକରୁ ଶତାଧିକ ଦିବ୍ୟାଙ୍ଗ ପିଲା ସେମାନଙ୍କ ଅଭିଭାବକଙ୍କ ସହ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। କିଟ୍ର ଦନ୍ତ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନର ଡାକ୍ତର ବାଲାଜୀ ମନୋହର ଓ ଡାକ୍ତର ବିନୟ ଏସ୍ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାୟ ୨୫ଜଣ ଡାକ୍ତର ଏହି ଶିବିରରେ ଯୋଗଦେଇ ଦିବ୍ୟାଙ୍ଗମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ। ଡ. ବ୍ରଜବିହାରୀ ମହାନ୍ତି ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ବୈକୁଣ୍ଠ ବିହାରୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଟ୍ରଷ୍ଟର ପରିଚାଳିକା ଜ୍ୟୋସ୍ନାରାଣୀ ମହାନ୍ତି ଓ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ଅନ୍ତଃର୍ନିବେଶୀ ଶିକ୍ଷା ସଂଯୋଜକ ଚିତ୍ତରଞ୍ଜନ ପଣ୍ଡା ଉଦ୍ଘାଟନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ସ୍ୱାସ୍ଥ୍ୟଶିବିର ଦ୍ୱାରା ଦିବ୍ୟାଙ୍କ ଛାତ୍ରଛାତ୍ରୀ ଓ ଅନ୍ୟ ପିଲାମାନେ ବେଶ ଉପକୃତ ହୋଇପାରିଛନ୍ତି ବୋଲି ମତପ୍ରକାଶ କରିଥିଲେ। ଟ୍ରଷ୍ଟର ପରିଚାଳକ ବିବେକାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.