ଗାଡି ଧକ୍କାରେ ଅଚିହ୍ନା ମହିଳାଙ୍କ ମୃତ୍ୟୁ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଆଠଗଡ-ମୁଣ୍ଡଳି ରାସ୍ତାର କଇଥ ଛକଠାରେ ଶନିବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଅଚିହ୍ନା ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ବିବରଣୀରୁ ପ୍ରକାଶ ଆଠଗଡ ଥାନାର ଉପନିରୀକ୍ଷକ ବିଶ୍ୱଜିତ୍‍ ଜେନା ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବାବେଳେ ରାତି ପ୍ରାୟ ୧୨ଟା ବେଳେ କଇଥ ଛକ ନିକଟରେ ରାସ୍ତା ଉପରେ ଗୁରୁତର ଆହତ ଜଣେ ମହିଳା ମୁମୁର୍ଷୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ସେମାନେ ତୁରନ୍ତ ଆଣି ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ଭୋର ସମୟରେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ମାନସିକ ବିକାରଗସ୍ତ ସଂପୃକ୍ତ ଅଚିହ୍ନ ମହିଳା ଜଣଙ୍କ କଇଥଚକ ନିକଟରେ ଦିନବେଳା ବୁଲାବୁଲି କରୁଥିବାରୁ ସ୍ଥାନୀୟ ଦେଖିଥିବା ଜଣାପଡିଛି। ଆଠଗଡ ଡାକ୍ତରଖାନାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲେ ମଧ୍ୟ ପରିଚୟ ମିଳିବା ଆଶାରେ ନିୟମାନୁଯାୟୀ ୭୨ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ ଫ୍ରିଜରରେ ସଂରକ୍ଷିତ ରଖାଯାଇଥିବା ଉପନିରୀକ୍ଷକ ଶ୍ରୀ ଜେନା ସୂଚନା ଦେଇଛନ୍ତି।

Comments are closed.