ଆଠଗଡ ଇନରହ୍ୱିଲ କ୍ଲବର ଅଧିଷ୍ଠାନ ଉତ୍ସବ
ଆଠଗଡ: ଆଠଗଡ ଇନରହ୍ୱିଲ କ୍ଲବର ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ଟାଉନ ଏମଇ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବନିର୍ବାଚିତ ସଭାପତି, ସମ୍ପାଦିକା ଓ ଅନ୍ୟ କର୍ମକର୍ତ୍ତାଗଣ ବିଦାୟୀ କର୍ମକର୍ତ୍ତାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ନବନିର୍ବାଚିତ ସଭାପତି ମଞ୍ଜୁଲତା ମହାଳିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଅଧିଷ୍ଠାନ ଉତ୍ସବରେ ରୋଟାରିଆନ ଡାକ୍ତର ଭୁବନାନନ୍ଦ ଦାସ ମୁଖ୍ୟଅତିଥି, ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ମୁଖ୍ଯବକ୍ତା ଏବଂ ସାମ୍ବାଦିକ ସୁଧି ରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇନରହ୍ୱିଲ କ୍ଲବର ନିରନ୍ତର ସେବାମୂଳକ କାର୍ଯ୍ୟ ତଥା ସାମାଜିକ ସଚେତନତା କାର୍ଯ୍ୟକ୍ରମ ବାସ୍ତବିକ ପ୍ରଶଂସନୀୟ ଓ ପ୍ରେରଣାଦାୟକ ବୋଲି ମତବ୍ୟକ୍ତ କରିଥିଲେ।
ଚଳିତବର୍ଷ ଆନ୍ତର୍ଜାତିୟ ସ୍ତରରେ ଇନରହ୍ୱିଲ କ୍ଲବ ପ୍ରତିଷ୍ଠାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବାରୁ ଏହା ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିବ ବୋଲି କ୍ଲବର ବିଦାୟୀ ସଭାପତି ପୁଲିନ ମିଶ୍ର ତାଙ୍କ ସ୍ବାଗତ ଭାଷଣରେ ପ୍ରକାଶ କରିଥିଲେ। ବିଦାୟୀ ସଭାପତି ଶ୍ରୀମତୀ ମିଶ୍ର ନୂତନ ସଭାପତି ଶ୍ରୀମତୀ ମହାଳିକଙ୍କୁ ଇନରହ୍ୱିଲ ବ୍ୟାଚ୍ ପିନ୍ଧାଇ ଦାୟିତ୍ବ ହସ୍ତାନ୍ତର କରିଥିଲେ। ସେହିପରି ପୂର୍ବତନ ସମ୍ପାଦିକା ଦୀପାଳି ଦାଶ, ନୂତନ ସମ୍ପାଦିକା ନୀରଜ ନଳିନୀ ବେହେରାଙ୍କୁ ଦାୟିତ୍ବ ଅର୍ପଣ କରିଥିଲେ। ଏତଦବ୍ୟତୀତ ନୂତନ ଉପସଭାପତି ଗାୟତ୍ରୀ ଆଚାର୍ଯ୍ୟ, ଆଇଏସଓ ରାଜେଶ୍ବରୀ ଗୋସ୍ବାମୀ ଓ କୋଷାଧ୍ୟକ୍ଷା ମନୋଜିନୀ ତ୍ରିପାଠୀ ଦାୟିତ୍ବ ଗ୍ରହଣ କରିଥିଲେ।
ଏହି ଅବସରରେ ବର୍ଲିନ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଅଲିମ୍ପିକ୍ସରେ ସାଇକେଲ ଚାଳନାରେ ରୌପ୍ୟପଦକ ବିଜେତା କଳ୍ପନା ଜେନା ଓ ତାଙ୍କ ପ୍ରଶିକ୍ଷକ ବିବେକାନନ୍ଦ ମହାନ୍ତିଙ୍କୁ କ୍ଲବ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ସଭାପତି କଳ୍ପଲତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବର ବରିଷ୍ଠ ସଦସ୍ୟା ମଞ୍ଜୁଳା ଦାସ, ସୁଷମା ମିଶ୍ର, ସୋନିପ୍ରଭା ପଟ୍ଟନାୟକ, ପ୍ରଣତି ପଣ୍ଡା, ଜ୍ୟୋସ୍ନାରାଣୀ ପତି, ସ୍ୱପ୍ନାରାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.