ମହିଳାଙ୍କ ଆର୍ଥିକ ବିକାଶ ଲାଗି ରାଜ୍ୟ ସରକାର ପ୍ରତିବଦ୍ଧ
ମହିଳା ଏସଏଚଜିଙ୍କୁ ବିଭିନ୍ନ ସହାୟତା ପ୍ରଦାନ
ଆଠଗଡ: ମହିଳାମାନେ ଆତ୍ମନିର୍ଭରଶୀଳ ଓ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଲେ ରାଜ୍ୟର ପ୍ରକୃତ ବିକାଶ ଗତିଶୀଳ ହୋଇପାରିବ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ମିଶନ ଶକ୍ତି ଜରିଆରେ ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ପ୍ରତିବଦ୍ଧ ବୋଲି ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି। ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ଆଠଗଡ ବ୍ଲକର ବିଭିନ୍ନ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ବିଭିନ୍ନ ସହାୟତା ଓ ଊଣ ବଣ୍ଟନ କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟ ପରିସରେ ବିଡିଓ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ଯଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ବାଇଁ ସରକାରଙ୍କ ‘ମୋ ଘର’ ଯୋଜନା ସମଗ୍ର ଦେଶରେ ଏକ ଅଭିନବ ଯୋଜନା ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ଯବକ୍ତା ଭାବେ ଯୋଗଦେଇ କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ବେହେରା ମହିଳାମାନଙ୍କୁ ଘର କୋଣରୁ ମୁଖ୍ଯ ସ୍ରୋତକୁ ଆଣିବା, ସେମାନଙ୍କର ଆର୍ଥିକ ବିକାଶ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଓଡିଶା ସରକାର
ମିଶନ ଶକ୍ତି ଜରିଆରେ ଯେପରି ନିରବଛିନ୍ନ ପ୍ରୟାସ କରି ସଫଳତାହାସଲ କରିଛନ୍ତି ତାହା ଅନ୍ୟ ରାଜ୍ୟଗୁଡିକ ପାଇଁ ଉଦାହରଣ ପାଲଟିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ଯ ଶାନ୍ତିଲତା ବେହେରା, ମିନତୀ ଗାଗରାଇ, ବଳଭଦ୍ର ବାଘ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ଯ ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି ଅବସରରେ ଧାଇପୁର, ରାଧାଗୋବିନ୍ଦପୁର, କନ୍ଦରପୁର, ଅନନ୍ତପୁର, ମହାକାଳବସ୍ତ, ଓରନ୍ଦା, ଖୁଣ୍ଟୁଣୀ, ରାଧାକୃଷ୍ଣପୁର, ଡାଳଭାଗ, ତରଡିଙ୍ଗ, ଦୋରଡ, ଜେନାପଦା ଆଦି ୧୨ ଟି ପଞ୍ଚାୟତର ୩୫୧ ଗୋଟି ମହିଳା ଏସଏଚଜିକୁ ମୋଟ ୧ କୋଟି ୭୫ ଲକ୍ଷ ୫୦ ହଜାର ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯାଇଥିଲା। ଏଥିସହ ତରଡିଙ୍ଗ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ସଦସ୍ଯାଙ୍କୁ ଗାଈ ଫାର୍ମ ପାଇଁ ୩୦ ହଜାର ଟଙ୍କା ଲେଖାଏଁ ମୋଟ ୯ ଲକ୍ଷ ଟଙ୍କା ଋଣ ଆକାରରେ ଦିଆଯାଇଥିଲା। ସେହିପରି ଏହି କାର୍ଯ୍ୟକ୍ରମରେ ୨୧୨ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ବାବଦରେ ୧ ଲକ୍ଷ ୮୧,୫୦୦ ଟଙ୍କା ମଧ୍ୟ ମନ୍ତ୍ରୀ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଡିପିଓ ନିବେଦିତା ରାୟଙ୍କ ସମେତ ବହୁ ସରକାରୀ ଅଧିକାରୀ ଏବଂ ସମସ୍ତ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ଯୋଗଦାନ କରିଥିଲେ।
Comments are closed.