ଜିଲାପାଳଙ୍କ ଅଭିନବ କାର୍ଯ୍ୟକ୍ରମ: ୨୨ ଅଭିଯୋଗ ଶୁଣାଣି, ୨ଟିର ତତ୍କାଳ ସମାଧାନ
ଆଠଗଡ: କଟକ ଜିଲାପାଳ ଡଃ ଭବାନୀ ଶଙ୍କର ଚୟନୀ ସବୁବେଳେ କିଛିଗୋଟିଏ ନୂଆ ତଥା ଅଭିନବ କାର୍ଯ୍ୟକ୍ରମ ଜରିଆରେ ଚର୍ଚ୍ଚାରେ ରହିଆସିଛନ୍ତି। ସେହିପରି ଏକ ଅଭିନବ କାର୍ଯ୍ୟକ୍ରମ ‘ଟି ୱିଥ୍ ଟିଚର’ ଅର୍ଥାତ୍ ଚା’ ପିଇବା ସହ ଶିକ୍ଷକଙ୍କ ସହ ଚର୍ଚ୍ଚା କରିବା ଓ ସେମାନଙ୍କର ସମସ୍ୟା ଶୁଣାଣି କରି ସେଗୁଡିକର ସମାଧାନ କରିବା ଲାଗି ପଦକ୍ଷେପ ନିଆଯିବା ଯୋଜନା। ଏହି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ଶିକ୍ଷକ/ଶିକ୍ଷୟିତ୍ରୀ ନିଜର ସମସ୍ୟା ସଂପର୍କରେ ଜିଲାପାଳଙ୍କ ଅବଗତ କରାଇ ତାର ସମାଧାନ ହୋଇପାରିଲେ ସେମାନେ ମାନସିକ ଚାପରୁ ମୁକ୍ତ ହେବେ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ମନୋନିବେଶ କରିପାରିବେ ବୋଲି ଜିଲ୍ଲାପାଳ ଡ. ଚୟନୀ ମତପୋଷଣ କରିଛନ୍ତି।
ଶୁକ୍ରବାର ଆଠଗଡ ଓ ତିଗିରିଆ ବ୍ଲକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ଶିକ୍ଷକମାନଙ୍କ ସହିତ ବିଶ୍ୱନାଥ ବିଦ୍ୟାପୀଠରେ ଆୟୋଜିତ ‘ଟି ୱିଥ୍ ଟିଚର’ କାର୍ଯ୍ୟକ୍ରମରେ ଜିଲାପାଳ ଡ.ଚୟନୀ ଯୋଗଦେଇଥିଲେ। ଏଥିରେ ଆଠଗଡ ଓ ତିଗିରିଆ ବ୍ଲକର ବିଭିନ୍ନ ହାଇସ୍କୁଲ ଏବଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ସେମାନଙ୍କର ବିଭିନ୍ନ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସଂପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୋଟ ୨୨ଟି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୨ଟି ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ ପାଇଁ ଜିଲାପାଳ ପଦକ୍ଷେପ ନେଇଥିଲେ।
ଆଠଗଡ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ମୂଳନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ଚୌଧୁରୀଙ୍କୁ ବହୁଦିନ ହେବ ଏଠାରୁ ଖୁଣ୍ଟୁଣୀ ବିଦ୍ୟାଳୟକୁ ଡେପ୍ୟୁଟେସନରେ ପଠାଯାଇଥିଲା। ସେ ଜଣେ ଗୁରୁତର ହୃଦ୍ରୋଗୀ ହୋଇଥିବାରୁ ପ୍ରତିଦିନ ଖୁଣ୍ଟୁଣୀ ଯିବା ଆସିବା ତାଙ୍କ ପାଇଁ କଷ୍ଟକର ଓ ବିପଦପୂର୍ଣ୍ଣ ଥିବା ସେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ତାଙ୍କ ଅଭିଯୋଗ ଶୁଣି ତାଙ୍କ ସମସ୍ୟା ଉପଲବ୍ଧି କରି ଆଠଗଡ ବ୍ଲକ ଶିକ୍ଷାଧିକାରୀଙ୍କୁ ସଂପୃକ୍ତ ଶିକ୍ଷୟିତ୍ରୀଙ୍କର ଖୁଣ୍ଟୁଣୀର ଅସ୍ଥାୟୀ ନିଯୁକ୍ତିକୁ ରଦ୍ଦ କରି ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଆଦେଶ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଠଗଡ ବିଇଓ ବିଜୟଲକ୍ଷ୍ମୀ ସାମଲ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଜ୍ୟୋତିର୍ମୟୀଙ୍କର ଖୁଣ୍ଟୁଣୀ ଅସ୍ଥାୟୀ ନିଯୁକ୍ତିକୁ ରଦ୍ଦ କରି ତାଙ୍କ ମୂଳ ନିଯୁକ୍ତି କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଜିଲାପାଳ ଶ୍ରୀ ଚୟନୀ ଉକ୍ତ ନିଯୁକ୍ତିପତ୍ରକୁ ଜ୍ୟୋତିର୍ମୟୀଙ୍କ ବୀରକିଶୋରପୁରସ୍ଥିତ ଘରକୁ ଯାଇ ଦେବା ସହିତ ତାଙ୍କ ସହିତ ଚା ପିଇଥିଲେ। ସେହିପରି ଭୁବନ ହାଇସ୍କୁଲକୁ ବଦଳି ନିର୍ଦ୍ଦେଶ ପାଇଥିବା ବିନ୍ଦାଣିମା ହାଇସ୍କୁଲର ଶିକ୍ଷୟିତ୍ରୀ ଜୟନ୍ତୀ ସାହୁଙ୍କୁ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ବମୁକ୍ତ(ରିଲିଭ୍) କରୁନଥିବା ସଂପୃକ୍ତ ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ। ତାଙ୍କୁ ତୁରନ୍ତ ବିନ୍ଦାଣିମା ହାଇସ୍କୁଲରୁ ଦାୟିତ୍ବମୁକ୍ତ(ରିଲିଭ୍) ଆଦେଶ ଦେବା ପାଇଁ ଜିଲାପାଳ ତିଗିରିଆ ବ୍ଲକ ଶିକ୍ଷାଧିକାରୀ ପ୍ରିୟରଞ୍ଜନ ହୋତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳସ୍ୱରୂପ ସଙ୍ଗେ ସଙ୍ଗେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ବିଇଓ ବିନ୍ଦାଣିମା ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ବମୁକ୍ତ(ରିଲିଭ୍) ଆଦେଶପତ୍ର ପ୍ରଦାନ କରିଥିଲେ। ସେହିପରି ଅନ୍ୟ ସମସ୍ତ ଅଭିଯୋଗ ଗୁଡିକ ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ଜିଲାପାଳ ଶ୍ରୀ ଚୟନୀ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ସନ୍ତୋଷ କୁମାର ରାଉତଙ୍କ ସମେତ ବିଭିନ୍ନ ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ଯୋଗଦାନ କରିଥିଲେ। ବିଶ୍ୱନାଥ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମର ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.