ଜଳଛତ୍ର ଖୋଲିଛି, ଖାଲି ମାଠିଆ ଗଡୁଛି

ଆଠଗଡ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସହରାଞ୍ଚଳ ସମେତ ଗ୍ରାମାଞ୍ଚଳର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏବଂ ମୁଖ୍ୟରାସ୍ତାର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲି ପଥଚାରୀ ଓ ବାଟୋଇଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଆଠଗଡ ଏନଏସି ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଜଳଛତ୍ର ଗୁଡିକରେ ୨ଟି ଲେଖାଏଁ ମାଠିଆ ରଖାଯାଇଥିବା ଓ ପ୍ରଚାର ପାଇଁ ବ୍ୟାନର ଲଗାଯାଇଥିବାବେଳେ ପ୍ରାୟ କୌଣସି ଜାଗାରେ ମାଠିଆରେ ପାଣିନାହିଁ ବା ପାଣି ଥିଲେ ପିଇବା ପାଇଁ ଗ୍ଲାସ ନଥିବା ଦେଖିବାକୁ ମିଳୁଛି। ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ରଥଗଡା ଛକ ସମେତ ସହରର ବହୁ ସ୍ଥାନରେ ଏନଏସି ପକ୍ଷରୁ ଜଳଛତ୍ର ଖୋଲିଛି, କିନ୍ତୁ ପ୍ରାୟ ସବୁସ୍ଥାନରେ ଖାଲି ମାଠିଆ ଗଡୁଥିବା ଦେଖିବାକୁ ମିଳୁଛି। ସବୁଦିନ ମାଠିଆରେ ପାଣି ଭର୍ତ୍ତି କରାଯାଉନାହିଁ, ପାଣି ଦେବା ପାଇଁ କେହି ରହୁନଥିବା ଏବଂ ପାଣି ପିଇବା ପାଇଁ କୌଣସି ପାତ୍ର ନଥିବାରୁ ଏହା କେବଳ ପ୍ରହସନରେ ପରିଣତ ହୋଇଥିବା ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି। ଏ ସଂପର୍କରେ ଏନଏସିର ଜଣେ ଅଧିକାରୀଙ୍କୁ ତାଙ୍କ ମତାମତ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଜଳଛତ୍ର ଖୋଲିଥିବା ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସମୟରେ ଦିନବେଳା ଜଣେ କର୍ମଚାରୀଙ୍କୁ ନିୟୋଜିତ କରିବା, ପ୍ରତିଦିନ ଶୁଦ୍ଧ ପାନୀୟ ଜଳ ମାଠିଆରେ ଭର୍ତ୍ତି କରିବା ଏବଂ ପାଣି ପିଇବା ପାଇଁ ପଥଚାରୀଙ୍କ ଲାଗି ଗ୍ଲାସ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

kalyan agarbati

Comments are closed.