ଭାରତର ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନର କ୍ରନ୍ଦନ- କେନ୍ଦ୍ରର ନିଷ୍ପତ୍ତି ସର୍ବୋଚ୍ଚ ନ୍ୟାୟାଳୟରେ କାଏମ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୧୯ ଅଗଷ୍ଟରେ ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାବେଳେ ଏହାକୁ ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ପିଟିସନ ଦାଏର କରାଯାଥିଲା। ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ସୋମବାର ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଥିବାବେଳେ କେନ୍ଦ୍ର ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିକୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବୈଧ ବିବେଚନା କରିବା ସହ ଏହାକୁ କାଏମ ରଖିଛନ୍ତି। ଏଥିସହିତ ଜାମ୍ମୁ-କାଶ୍ମୀରକୁ ତୁରନ୍ତ ରାଜ୍ୟପାହ୍ୟା ଫେରାଇବା ସହ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ସେଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ କରାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଏହି ମାମଲାରେ ସାମ୍ବିଧାନିକ ପୀଠ ତିନିଟି ପୃଥକ ରାୟ ଦେଇଛନ୍ତି। ଏହି ରାୟ ପରେ ରାୟର କୌଣସି ନ୍ୟାୟିକ ବୈଧତା ନାହିଁ ବୋଲି ପାକିସ୍ତାନ କହିଛି । ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବୈଧ ଦର୍ଶାଇଛନ୍ତି। ଭାରତ ସରକାର ନେଇଥିବା ଏ ସମ୍ପର୍କିତ ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ଯଥାର୍ଥ ଦର୍ଶାଇଥିବାବେଳେ ପାକିସ୍ତାନ କ୍ଷୁବ୍ଧ ହୋଇଛି। ପାକିସ୍ତାନ କହିଛି ଯେ ଧାରା ୩୭୦ ସମ୍ପର୍କରେ ଭାରତର ସର୍ବୋଚ୍ଚ
ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ତାର କୌଣସି ନ୍ୟାୟିକ ବୈଧତା ନାହିଁ। କାରଣ ଧାରା ୩୭୦ ଉଚ୍ଛେଦ କରିବାକୁ ଭାରତ ସରକାର ଏକପାକ୍ଷିଆ ଭାବେ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ଆନ୍ତର୍ଜାତିକ ଆଇନ ସ୍ବୀକୃତି ପ୍ରଦାନ କରିନାହିଁ। ପାକିସ୍ତାନର କାମଚଳା ବୈଦେଶିକ ମନ୍ତ୍ରୀ ଜଲିଲ୍ ଆବାସ ଜିଲାନି ତାଙ୍କ ସୋସିଆଲ ମିଡିଆ ଏକ୍ସରେ କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଅନୁଯାୟୀ କାଶ୍ମୀରବାସୀ ସେମାନଙ୍କ ନିଜସ୍ବ ନିଷ୍ପତ୍ତି ନେବାର ଅଧିକାର ରହିଛି। ତେଣୁ ଏଥିରେ ଭାରତ ସରକାରଙ୍କ ହସ୍ତକ୍ଷେପ କରିବାର କୌଣସି କ୍ଷମତା ନାହିଁ। ଜଲିଲ୍‌ଙ୍କ ପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ କହିଥିଲେ ଯେ ଭାରତ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ତାହା ସରକାରୀ ଦଳ ଦ୍ବାରା ପ୍ରଭାବିତ ହୋଇଛି। ଏହି ରାୟ ଦ୍ବାରା କାଶ୍ମୀର ପାଇଁ ଜୀବନ ଦେଇଥିବା ଲକ୍ଷଲକ୍ଷ ଜନତାଙ୍କ ଜୀବନ ପ୍ରତି ଉପହାସ କରାଯାଇଛି ବୋଲି ପାକିସ୍ତାନ କହିଛି ।

ବିଚାରପତି ବି.ଆର.ଗଭାଇ, ବିଚାରପତି ସୂର୍ଯ୍ୟକାନ୍ତଙ୍କ ସହ ଏକମତ ହୋଇ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ ଗୋଟିଏ ପ୍ରସଙ୍ଗରେ ରାୟ ଦେଇଥିବାବେଳେ ବିଚାରପତି ସଞ୍ଜୟ କିଷନ କୌଲ୍‌ ଏବଂ ବିଚାରପତି ସଞ୍ଜୀବ ଖାନ୍ନା ଅନ୍ୟ ଦୁଇଟି ପ୍ରସଙ୍ଗରେ ନିଜସ୍ବ ରାୟ ଘୋଷଣା କରିଛନ୍ତି। ମୋଟ ଉପରେ ସମସ୍ତ ପାଞ୍ଚଜଣ ବିଚାରପତି ଧାରା ୩୭୦ ପ୍ରତ୍ୟାହାର ନିଷ୍ପତ୍ତିକୁ କାଏମ ରଖିଛନ୍ତି। ଏହି ପ୍ରସଙ୍ଗରେ ସାମ୍ବିଧାନିକ ପୀଠର ସବୁ ବିଚାରପତିଙ୍କ ରାୟକୁ ବିଶ୍ଳେଷଣ କରି ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରକୁ ଦେଶର ଅନ୍ୟ ରାଜ୍ୟଗୁଡିକ ସହ ସମାନସ୍ତରକୁ ଆଣିବା ନିମନ୍ତେ ସେତେବେଳେ ଧାରା ୩୭୦ ଲାଗୁ କରାଯାଇଥିଲା। ମିଶ୍ରଣ ନିମନ୍ତେ ଜମ୍ମୁ-କାଶ୍ମୀରର ତତ୍କାଳୀନ ମହାରାଜା ହରି ସିଂହ ୧୯୪୭ ଅକ୍ଟୋବର ୨୬ରେ ଭାରତ ସରକାରଙ୍କ ସହ ଏକ ରାଜିନାମା ସ୍ବାକ୍ଷର କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୪୯ ନଭେମ୍ବର ୨୫ରେ ଜମ୍ମୁ-କାଶ୍ମୀରର ତତ୍କାଳୀନ ଯୁବରାଜ କରଣ ସିଂହଙ୍କ ଦ୍ବାରା ଜାରି କରାଯାଇଥିବା ଘୋଷଣାନାମାରେ ଉଲ୍ଲେଖ କରାଯାଇଥିଲା ଯେ ଭାରତ ସହ ମିଶ୍ରଣ ପରେ ରାଜ୍ୟରେ ପୂର୍ବ ପ୍ରଚଳିତ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା ଲୋପ ପାଇବା ସହ ଭାରତୀୟ ସମ୍ବିଧାନ ଅନୁଯାୟୀ ଜମ୍ମୁ-କାଶ୍ମୀର ପରିଚାଳିତ ହେବ ା ଏହି ଘୋଷଣାନାମା ସ୍ବାକ୍ଷରିତ ହେବାପରେ ମହାରାଜା ହରି ସିଂହଙ୍କ ଅମଳରେ ସମ୍ପାଦିତ ମିଶ୍ରଣ ରାଜିନାମା ଆଇନଗତ ଗୁରୁତ୍ବ ହରାଇଥିଲା ା ଏହି ପରିପ୍ରେକ୍ଷୀରେ ଭାରତ ସହ ମିଶ୍ରଣ ଘଟିବାପରେ ଧାରା ୩୭୦ ଗୁରୁତ୍ବ ହରାଇବା ସହ ଜାମ୍ମୁ-କାଶ୍ମୀର ମଧ୍ୟ ତାହାର ସାର୍ବଭୌମତ୍ବ ହରାଇଥିଲା ବୋଲି ସାମ୍ବିଧାନିକ ପୀଠ ମତବ୍ୟକ୍ତ କରିଛନ୍ତି। ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଏବଂ ଏହାକୁ ଖାରଜ କରିବାର କ୍ଷମତା ରାଷ୍ଟ୍ରପତିଙ୍କ ନିକଟରେ ରହିଛି ବୋଲି ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି। ଏପରିକି କୌଣସି ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ କରିବାର କ୍ଷମତା ସଂସଦର ରହିଛି ବୋଲି ପୀଠ ମତବ୍ୟକ୍ତ କରିଛନ୍ତି। ବିଚାରପତି ଚନ୍ଦ୍ରଚୂଡ ଆହୁରି କହିଛନ୍ତି ଯେ କୌଣସି ରାଜ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାର ନେଉଥିବା ନିଷ୍ପତ୍ତିକୁ ଅଦାଲତରେ ଚ୍ୟା​ଲେଞ୍ଜ କରାଯିବା ଅନୁଚିତ, କାରଣ ଏହାଦ୍ବାରା ସଂପୃକ୍ତ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାରେ ଅଚଳାବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜରିଆ​‌େ​‌ର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ (ଲଦାଖ ଓ ଜମ୍ମୁ-କାଶ୍ମୀର)ରେ ବିଭକ୍ତ କରିଥିଲେ। ଏହାକୁ ବିରୋଧ କରି ନ୍ୟାସନାଲ କନ୍‌ଫରେନ୍ସ, ପିଡିପି (ପିପୁଲ୍‌ସ ଡେମୋକ୍ରାଟିକ୍‌ ପାର୍ଟି) ଭଳି ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା। କେନ୍ଦ୍ର ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣି ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ପରିଚାଳନା କରିଥିବାବେଳେ ପିଟିସନଧାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ଉପସ୍ଥାପନ କରିଥିଲେ।

Comments are closed.