ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ : ଯୋଗଦେଲେ ୫ଟି ଦେଶର ୪୭ ଚିତ୍ରଶିଳ୍ପୀ

ପିପିଲି : ପିପିଲି ନିକଟବର୍ତ୍ତୀ ଉତ୍ତରାବଜାର ସ୍ଥିତ ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀ ଠାରେ ଚତୁର୍ଥ ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଶିବିର ଓ ପ୍ରଦର୍ଶନୀ ସୋମବାର ଉଦ୍‌‌ଘାଟିତ ହୋଇଯାଇଛି । ଜଳେଶ୍ୱର ଆର୍ଟ ଫାଉଣ୍ଡେସନର ମିଳିତ ସହଯୋଗରେ ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀ ପକ୍ଷରୁ ଆୟୋଜିତ ଏହି ଆର୍ନ୍ତଜାତୀୟ ଶିବିର ଓ ପ୍ରଦର୍ଶନୀରେ ଭାରତ ସମେତ ନେପାଳ, ତୁର୍କୀ, ବାଲାଂଦେଶ ଓ ଭିଏତନାମର ୧୭ଜଣ ମହିଳା ଓ ୩୦ଜଣ ପୁରୁଷ ଚିତ୍ରଶିଳ୍ପୀ ଯୋଗ ଦେଇଛନ୍ତି।
ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ଜନାର୍ଦ୍ଦନ ପରମଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ୩ଦିନିଆ ଶିବିରକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବିଜେଡି ରାଜ୍ୟ ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି, ରାଜ୍ୟ ୟୁଥ୍‌‌ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ କୁନା ଦାସ, ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ସଂପାଦକ ମୁକ୍ତିପଦ ନନ୍ଦୀ ପ୍ରମୁଖ ଉଦ୍‌‌ଘାଟନ କରିବା ଅବସରରେ ଓଡିଶାର କଳା, କାରିଗରୀ ସଂପର୍କରେ ଆଲୋକପାତ କରିଥିଲେ। ୫ଟି ଦେଶର ଚିତ୍ରଶିଳ୍ପୀଙ୍କ ଦ୍ୱାରା କରାଯାଇଥିବା ଚିତ୍ରକଳା ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିବା ସହ ସମସ୍ତ ଚିତ୍ରକଳାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ସମସ୍ତ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର ଦ୍ୱାରା ଓଡିଶାର କଳା, ସଂସ୍କୃତି ଓ କାରିଗରୀ ବାହାର ଦେଶରେ ବେଶ୍‌‌ ଆଦୃତ ହୋଇପାରିବ ଓ କଳାର କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ଶ୍ରୀପରମଗୁରୁ ଆଶା ପ୍ରକାଶ କରିଥିଲେ। ଏହା ପୂର୍ବରୁ ଏହି ୫ଟି ଦେଶର ଚିତ୍ରଶିଳ୍ପୀମାନେ କୋଣାର୍କ ଠାରେ ଆୟୋଜିତ ଚିତ୍ର କର୍ମଶାଳାରେ ଯୋଗଦେଇ ଓଡିଶାର କଳା, କାରିଗରୀ ସଂପର୍କରେ ତାଲିମ ନେଇଥିଲେ।

Comments are closed.