ଆଖଣ୍ଡଳମଣିଙ୍କ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ

0

ଆରଡି : ପବିତ୍ର ମହାଶିବରାତ୍ରି ପାଇଁ ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଭକ୍ତମୟ ହୋଇ ଉଠିଛି । ବିଶେଷକରି ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ବିଶେଷକରି ଚଳିତ ମହାଶିବରାତ୍ରି ସୋମବାରରେ ପାଳିତ ହୋଇଥିବାରୁ ପୀଠରେ ଦିନତମାମ ଭକ୍ତଙ୍କ ଭିଡ ଲାଗି ରହିଛି । ତାହାସହ ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳିରେ ସମଗ୍ର ପୀଠ ପ୍ରକମ୍ପିତ ହୋଇଉଠିଛି। ମନ୍ଦିରର ରୀତିନୀତି ଅନୁଯାୟୀ ଜାଗର ନୀତିକାନ୍ତି ନିମନ୍ତେ ଭୋର ୪ାଟାରେ ଦ୍ୱାର ଫିଟା ହେବା ପରେ ମଙ୍ଗଳ ଆଳତୀ କରାଯିବା ସହିତ କନିକା ରାଜାଙ୍କ ପକ୍ଷରୁ ପହିଲୁ ଘର୍ଷଣ ଭୋଗ ବଡପଣ୍ଡାଙ୍କ ଦ୍ୱାରା ଲାଗି କରାଯାଇଥିଲା। ପରେ ସକାଳ ୫ଟାରେ ବାବାଙ୍କୁ ଦିଗମ୍ବର ବେଶରେ ସଜିତ କରାଯାଇ ପାଳିଆ ସେବାୟତଙ୍କ ପକ୍ଷରୁ ଘର୍ଷଣ ଭୋଗ ସହ ଖେଚୁଡି ଅନ୍ନ(ବଢାଭାତ) ଲାଗି କରାଯାଇଥିଲା। ସକାଳ ୫ଟା୩୦ରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଥିଲା। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଟ ନିର୍ମାଣ କରାଯାଇଥିଲା । ଏହି ବ୍ୟାରିକେଟ ମଧ୍ୟରେ ଭକ୍ତମାନେ ମନ୍ଦିର ଭିତର ବେଢାକୁ ଯାଇ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା ଓ ପ୍ରସିଦ୍ଧ ଘର୍ଷଣଭୋଗ ଲାଗି କରିଥିଲେ। ତାହାସହ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ଜାଗର ନୀତି ନିମନ୍ତେ ଚାରି ପ୍ରହର ପୂଜାର୍ଚ୍ଚନାରେ ସୁବାଷିତ ଜଳ ସହ କ୍ଷିର-ମହୁ ଆଦି ସର୍କରାରେ ମିଶ୍ରିତ ଘର୍ଷଣ, ରୁଦ୍ରାଭିଷେକ, ଜଳାଭିଷେକ, ପଞ୍ଚଉପଚାର ପୂଜା, ଦ୍ୱାରପାଳ ପୂଜା, ପାର୍ଶ୍ବ ଦେବତା ପୂଜା ଆଦି ସରିବା ପରେ ରାତ୍ର ୧ଟାରେ ସୁନାବେଶ ଓ ଭୋର ୪ଟା୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଲକ୍ଷାଧିକ ମାନସିକଧାରୀ ଭକ୍ତ ପୀଠରେ ଉଜାଗର ରହି ଜାଗର ଦୀପ ମନ୍ଦିର ସମ୍ମୁଖରେ ଥିବା ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀ ଚତୁପାର୍ଶ୍ବରେ ଜାଳିଥିଲେ। ଲକ୍ଷାଧିକ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ଜଳପଥରେ ଆସୁଥିବା ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତାହାସହ ବୈତରଣୀ ଓ ସାଳନ୍ଦୀ ନଦୀର ଜଳପଥ ଦେଇ ଆସୁଥିବା ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଥିଲା। ଜାଗରଯାତ୍ରାର ଅନୁଷ୍ଠିତ ହେଉଥିବା ନୀତିକାନ୍ତି ସହ ଟିକିନିଖି ଖବରର ଧାରାବିବରଣୀ ଭଦ୍ରକ ଲୋକସର୍ମ୍ପକ ବିଭାଗ ସହ ବରିଷ୍ଠ ସାମ୍ବାଦିକ ଅତିସ ବେହେରା ଓ ଅଧ୍ୟାପକ ରବିନ୍ଦ୍ର କୁମାର ବେହୁରୀଆ ପ୍ରମୁଖଙ୍କ ଦ୍ୱାରା ଡାକବାଜି ଯନ୍ତ୍ରରେ ପରିବେଷିତ କରାଯାଇଥିଲା। ଏଥିପାଇଁ ପୀଠରେ ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ପିତାମ୍ବର ସାମଲ, ଜିଲାପାଳ ଜ୍ଞାନ ଦାସ, ଏସ.ପି , ୨ଜଣ ଏସ.ପିଙ୍କ ସହ ସହ ସମସ୍ତ ବିଭାଗର ଉଚ୍ଚ ପଦାଧିକାରୀ ଓ ଅଧିକାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଅନ୍ୟପଟେ ଚାନ୍ଦବାଲି ତହସିଲିଦାର ଓ ଅତିରିକ୍ତ ତହସିଲିଦାର, ବିଡିଓ ନଦୀ ଘାଟରେ ଉପସ୍ଥିତ ରହି ଡଙ୍ଗା ଗୁଡିକୁ ଯାଞ୍ଚ କରିଥିଲେ। ମନ୍ଦିର ଭିତରେ ଓ ବାହର ବେଢାରେ ଧାମନଗର ଏସଡପିଓ ମନୋରଞ୍ଜନ ସାମଲ, ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପ୍ରତି ନଜର ରଖିଥିଲେ। ସେହିପରି ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ସତ୍ୟସାଈ ସେବା ସଂସ୍ଥା ପକ୍ଷରୁ ପୀଠରେ ୪ଦିନ ଧରି ପୀଠର ପରିମଳ ସଫେଇ ସହ ଭକ୍ତମାନଙ୍କର ଦର୍ଶନ ଓ ଯାତାୟତ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ବ୍ରଜଗୋପୀକା ମିଶନ ଭଦ୍ରକ ପକ୍ଷରୁ ଭକ୍ତମାନଙ୍କୁ ସର୍ବତ ଆଦି ପ୍ରଦାନ କରାଯାଇଥିଲା। ସେହିପରି ବେତାଳିଗାଁ ପାଳସାହିସ୍ଥିତ ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ଶତାଧିକ ଛାତ୍ରଛାତ୍ରୀମାନେ ପୀଠରେ ସଫେଇ କରିବା ସହ ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ଓ ପାନୀୟଜଳ ବଣ୍ଟନ କରିଥିଲେ। ଏଥିସହ ସାଆଁଳପୁର ଆଇ.ଜିଏ.ଏମ ମହାବିଦ୍ୟାଳୟର , କୁଲେଇପଦାର ମା ଖରାଖାଈ ଯୁବ ପରିଷଦ ସମେତ ବିଭିନ୍ନ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଭକ୍ତମାନଙ୍କୁ ପାନୀୟ ଜଳ ବଣ୍ଟନ ସହ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଇଥିଲା।

Leave A Reply