ଗୋଆରେ ପୁଣି ଜଣେ ଦାଦନ ଶ୍ରମିକର ମୃତ୍ୟୁ
କଲମପୁର/ମୁଖିଗୁଡା/ରଣମାଲ : କଥା ଦେଇ ଯାଇଥିଲା କିଛି ଟଙ୍କା କମେଇ ଫେରିବା ପରେ ନିଜ ଘରର କିଛି ସୁନା ଗହଣା ସମେତ ବନ୍ଧକ ପଡିଥିବା ଜମିକୁ ମୁକୁଳେଇବ। ଦୁଇ ଛୁଆଙ୍କୁ ପାଠ ପଢେଇବ। ନିଜ ପତ୍ନୀ ଲଳିତାକୁ ଏଭଳି କିଛି ପ୍ରତିଶୃତି ଦେଇ ଦାଦନ ଖଟିବା ପାଇଁ ଗୋଆକୁ ଯାଇଥିଲା ରଣମାଲ ଗ୍ରାମ ଡୋକରୀପଡାର ଯୁବକ ପରମାନନ୍ଦ ଲହଜଲ। କିନ୍ତୁ ଦାଦନ ଯିବାର ୧୨ ଦିନ ପରେ ଶନିବାର ପରମାନନ୍ଦର ମୃତ୍ୟୁ ଘଟିଥିବା ନେଇ ଘରକୁ ଖବର ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।
ସୂଚନା ଅନୁସାରେ ରଣମାଲ ଡୋକରୀପଡାର ପରମାନନ୍ଦ ଲହଜଲ ନିଜର କିଛି ସାଥୀଙ୍କ ସହ ଗତ ଦୁଇ ସପ୍ତାହ ତଳେ ଗୋଆକୁ ଯାଇଥିଲା ଦାଦନ ଖଟିବା ପାଇଁ। ଗୋଆ ମଟକି ଠାରେ ଥିବା ସେଫ୍ସକନ କମ୍ପାନୀରେ ନିୟୋଜିତ ହେଇ କାମ କରୁଥିଲା। କିନ୍ତୁ ଗତ ଶୁକ୍ରବାର ଦିନ କୌଣସି କାରଣରୁ ପରମାନନ୍ଦ ଅସୁସ୍ଥ ହେଇ ପଡିଥିଲା। ସାଥି ଶ୍ରମିକ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଶନିବାର ପରମାନନ୍ଦର ମୃତ୍ୟୁ ହେଇଥିବା ସାଥୀ ଶ୍ରମିକ ପରମାନନ୍ଦର ପରିବାର ଲୋକଙ୍କୁ ସୁଚନା ଦେଇଥିଲେ। କିଭଳି ସ୍ଥିତିରେ ପରମାନନ୍ଦର ମୃତ୍ୟୁ ହେଲା ସେ ନେଇ ପରିବାର ଲୋକ ଜାଣି ନାହାଁନ୍ତି । ଅନ୍ୟପଟେ ମୃତ ପରମାନନ୍ଦର ଶବ ବ୍ୟବଚ୍ଛେଦ ପରେ ଗାଁକୁ ଅଣା ହେଉଥିବା ସୁଚନା ମିଳିଛି ।
ତେବେ କଳାହାଣ୍ଡି ଜିଲ୍ଲାରେ ଶେଷ ହେଉ ନାହିଁ ଦାଦନ ସମସ୍ୟା । କେତେବେଳେ ଦାଦନ ଖଟିବାକୁ ଯାଇ କଳାହାଣ୍ଡିର ଯୁବକ ହାତ ଗୋଡ କାଟି ନିର୍ଯ୍ୟାତିତ ହେଇ ଫେରୁଛି ତ’ କେତେବେଳେ ଦିନ ଦିନ ଧରି ନଜର ବନ୍ଦୀ ହେଇ ବନ୍ଧକ ଅବସ୍ଥାରେ ରହୁଛି । ପୁଣି କେତେବେଳେ ଶବ ହେଇ ଫେରୁଛି ତ ପୁଣି କେତେବେଳେ ସବୁଦିନ ପାଇଁ ନିଖୋଜ ହେଇ ରହିଯାଉଛି । ପେଟ ଖଣ୍ଡକ ପାଇଁ ପରିବାରକୁ ଛାଡି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । କିନ୍ତୁ ପ୍ରଶାସନ ତରଫରୁ ଏମାନଙ୍କ ନାମ ପଞ୍ଜିକରଣ କରାଯାଉନଥିବାରୁ ଦିନକୁ ଦିନ ମାନବ ଚାଲାଣ ବୃଦ୍ଧି ପାଉଛି । କିନ୍ତୁ ଆବଶ୍ୟକ ସହାୟତା ପାଇବାରୁ ବଂଚିତ ହେଉଛନ୍ତି ଶ୍ରମିକଙ୍କ ପରିବାର । ତେଣୁ ପ୍ରଶାସନ ତରଫରୁ ଦାଦନ ସମସ୍ୟା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ଏଭଳି ସମସ୍ୟା ବାରମ୍ବାର ଘଟୁଛି । ତେଣୁ ପ୍ରଶାସନ ଦାଦନ ଚାଲାଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହେଉଛି।
Comments are closed.