୨ ଦିନ ପରେ ପୁଣି ଲଘୁଚାପ

- ରୁଆ କାମ କରିବାକୁ ପରାମର୍ଶ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଏବେ ସକ୍ରିୟ ଥିବା ବେଳେ ଏହାର ପ୍ରଭାବରେ ଦୁଇଦିନ ପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଦ୍ବିତୀୟ ଲଘୁଚାପ ହେଲେ ଏହାର ପ୍ରଭାବରେ ୩୧ ତାରିଖ ସକାଳୁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୨ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କୋରାପୁଟ, କନ୍ଧମାଳ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ୯ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ୟ୍ୟାଳୟ ସୂତ୍ରରୁ ଜଣାଯାଇଛି।

ରବିବାର ସକାଳଠାରୁ ଅପରାହ୍ନ ୫.୩୦ ମଧ୍ୟରେ ମାଲକାନଗିରି ଜିଲାରେ ସର୍ବାଧିକ ବର୍ଷା ହୋଇଛି। ସେଠାରେ ୭୦.୨ ମିମି. ବର୍ଷା ରେକର୍ଡ କରାଯାଇଥିବାବେଳେ କେନ୍ଦୁଝରଗଡ଼ରେ ୪୯ ମିମି, କୋରାପୁଟରେ ୪୬.୨ ମିମି, ପୁରୀରେ ୩୦.୭ ମିମି, ବାରିପଦାରେ ୨୪ ମିମି, କଟକରେ ୨୦.୪ ମିମି ବର୍ଷା ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ଭିତରେ କଳାହାଣ୍ଡି, କୋରାପୁଟ, କନ୍ଧମାଳ ଓ ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ବୌଦ୍ଧ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ। ୩୦ ତାରିଖ ସକାଳ ପର୍ୟ୍ୟନ୍ତ ମଧ୍ୟମରୁ ତୀବ୍ର ବର୍ଷା ହୋଇପାରେ। ଏହା ପରେ ଗୋଟିଏ ଦିନ ପାଇଁ ପାଗରେ ପରିବର୍ତ୍ତନ ଆସିବ। ତେବେ ୩୧ ତାରିଖ ସକାଳୁ ବର୍ଷାର ପରିମାଣ ପୁଣି ବଢ଼ିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ଲଗାତାର ଦୁଇ ଦୁଇଟି ଲଘୁଚାପ ଫଳରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଅଧିକ ସକ୍ରିୟ ହେବା ସହ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ସପ୍ତାହରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବ। କିନ୍ତୁ ଅଧିକ ବର୍ଷା ହେବାର ସମ୍ଭାବନା କମ୍‌। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା ଉପରେ ରହିଥିବାବେଳେ ଏହା ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ମଧ୍ୟପ୍ରଦେଶ ଓ ଉତ୍ତର ମହାରାଷ୍ଟ୍ର ମୁହାଁଇବା ସମ୍ଭାବନା ଅଛି। ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍। ଫଳରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଆନ୍ଧ୍ର ପ୍ରଦେଶରେ ବର୍ଷାର ପରିମାଣ ଅଧିକ ରହିବ। ଗୋଟିଏ ଦୁଇଟି ସ୍ଥାନରେ ଅଧିକ ବର୍ଷା ଅର୍ଥାତ୍ ୬୨.୫ ମିମିରୁ ଅଧିକ ବର୍ଷା ହୋଇପାରେ। ମଙ୍ଗଳବାର ଠାରୁ ବର୍ଷାର ପ୍ରକୋପ ହ୍ରାସ ପାଇବ। ଏହି ସମୟରେ ପାଗ ମେଘୁଆ ରହିବ; କିନ୍ତୁ ବିଶେ‌ଷ ବର୍ଷା ହେବ ନାହିଁ। ୩୦ ଓ ୩୧ ତାରିଖରେ ଉତ୍ତର ଉପକୂଳ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ୨ ତାରିଖରୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବ। ଉପକୂଳ ଓଡ଼ିଶାରେ ୨,୩ ଓ ୪ ତାରିଖରେ ବର୍ଷା ଥିବାବେଳେ ପଶ୍ଚିମ ଓଡ଼ିଶାରେ ୪ ଓ ୫ ତାରିଖରେ ମଧ୍ୟମ ଧରଣର ବର୍ଷା ହେବ। ତେବେ ଦ୍ବିତୀୟ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ଜୁଲାଇ ମାସରେ ରାଜ୍ୟରେ ସ୍ବାଭାବିକ ବର୍ଷା ୩୦ରୁ ୪୦ ମିଲି ମିଟର୍ ବର୍ଷା ହୋଇଥାଏ। ଜୁଲାଇ ଶେଷ ସପ୍ତାହରେ ପ୍ରାୟ ୮୫ ମିମି. ବର୍ଷା ହୋଇଥାଏ। ତେବେ ବର୍ଷା କମ୍ ଥିଲେ ମଧ୍ୟ ଚାଷୀମାନେ ଅପେକ୍ଷା ନ କରି ଜମିରେ ରୁଆ କାମ ଶେ‌ଷ କରିବା ଆବଶ୍ୟକ ବୋଲି ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

Comments are closed.