ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କଠାରୁ ଲାଞ୍ଚ ମାମଲା, ଅଭିଯୁକ୍ତକୁ ୪ ବର୍ଷ ଜେଲ ଦଣ୍ଡାଦେଶ

ଅନୁଗୋଳ: ଆବାସ ଯୋଜନାରେ ତୃତୀୟ କିସ୍ତି ଟଙ୍କା କରାଇ ଦେବାକୁ ଜଣେ ହିତାଧିକାରଙ୍କଠାରୁ ଲାଞ୍ଚ ନେଇ ଧରାପଡ଼଼ି ଥିବା ସଂପୃକ୍ତ କର୍ମଚାରୀ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ଅନୁଗୋଳ ମଦନମୋହନ ପଡ଼଼ାର ମାନଗୋବିନ୍ଦ ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ପାଇଥିଲେ। ପ୍ରଥମ ୨ଟି କିସ୍ତିରେ ଟଙ୍କା ପାଇବା ପରେ ତୃତୀୟ କିସ୍ତି ଟଙ୍କା ପାଇଁ ଆବେଦନ କରିଥିଲେ।

ସେଥିପାଇଁ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ କାର୍ଯ୍ୟରତ ସିଏଲଟିସି ଶ୍ରୀକାନ୍ତ ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ। ଡିଆରଡିଏର ସିଟି ବୈଷୟିକ ସେଲରେ ପ୍ରଫେସନାଲ ଭବେ ଶ୍ରୀକାନ୍ତ ଅବସ୍ଥାପିତ ରହି ଆବାସ ଯୋଜନା ହିତାଧିକାରୀଙ୍କୁ ବୈଷୟିକ ସହାୟତା ଯୋଗାଉଥିଲେ। ତୃତୀୟ କିସ୍ତି ଟଙ୍କା ପ୍ରଦାନ ପାଇଁ ଆବଶ୍ୟକ କାଗଜପତ୍ରରେ ଦସ୍ତଖତ କରିବାକୁ ମାନଗୋବିନ୍ଦଙ୍କଠାରୁ ୫ ହଜାର ଟଙ୍କା ଉତ୍କୋଚ ମାଗିଥିଲେ। ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ମାନଗୋବିନ୍ଦଙ୍କ ପରିବାର ଲୋ​କେ କହିଥିଲେ। ବିନା ଉତ୍କୋଚରେ କାମ କରିବେ ନାହିଁ ବୋଲି ରୋକଠୋକ୍‌ ଶ୍ରୀକାନ୍ତ ଶୁଣାଇ ଦେଇଥିଲେ।

ବାଧ୍ୟ ହୋଇ ୪ ହଜାର ଟଙ୍କାରେ ମୁଲଚାଲ ହୋଇଥିଲା। ମାନଗୋବିନ୍ଦଙ୍କ ପକ୍ଷରୁ ଭିଜିଲାନ୍ସ କଟକ ଡିଭିଜନ ଏସପିଙ୍କ ପାଖରେ ଗତ ୨୦୧୭ ମଇ ୧୧ରେ ଅଭିଯୋଗ କରାଯାଇଥିଲା। ଯୋଜନା ମୁତାବକ ତା ପରଦିନ ଅର୍ଥାତ ୧୨ ତାରିଖରେ ମାନଗୋବନ୍ଦିଙ୍କ ପୁଅ ଝୁଲୁ କୁମାର ସାହୁଙ୍କ ଠାରୁ କଲେଜ ଛକ ରାସ୍ତାରେ ଶ୍ରୀକାନ୍ତ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼଼ିଥିଲେ। ଶ୍ରୀକାନ୍ତଙ୍କ ପାଖରୁ ରାସାୟନିକ ରଙ୍ଗବୋଳା ୪ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଅନୁଗୋଳ ଭିଜିଲାନ୍ସ ଅଦାଲତ ସ୍ବତନ୍ତ୍ର ଜଜ ରାଜଲକ୍ଷ୍ମୀ ପଟ୍ଟନାୟକ ଏହି ମାମଲାର ବିଚାର କରି ଆଜି ଅଭିଯୁକ୍ତ ଶ୍ରୀକାନ୍ତଙ୍କୁ ଗୋଟିଏ ଦଫାରେ ୪ ବର୍ଷ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।

ଜୋରିମାନା ଅନାଦାୟ ଅଧିକ ୩ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ଅନ୍ୟ ଏକ ଦଫା ରେ ୩ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦାୟ ଅଧିକ ୩ ମାସ ଜେଲ ଦଣ୍ଡ ହୋଇଛି। ମାମଲାର ବିଚାର ସମୟରେ ୯ ଜଣଙ୍କ ସାକ୍ଷ୍ୟ ଓ ୩୫ ଖଣ୍ଡ ଦସ୍ତାବିଜ୍‌କୁ ବିଚାରକୁ ନିଆଯାଇଥିଲା। ଅଭିଯୁକ୍ତଜଣକ ଜେଲ ଦଣ୍ଡ ଏକସଙ୍ଗେ ଭୋଗ କରିବା ସହ ମୋଟ ୧୦ ହଜାର ଟଙ୍କା ଜୋରିମାନା ପ୍ରଦାନ କରିବେ। କାରାଦଣ୍ଡାଦେଶ ପରେ ଶ୍ରୀକାନ୍ତଙ୍କୁ ଆଜି ଗିରଫ କରି ଅନୁଗୋଳ ଜେଲ ହାଜତକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ସ୍ବତନ୍ତ୍ର ପିପି ଦିଲ୍ଲୀପ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

Comments are closed.