www.samajalive.in
Tuesday, December 9, 2025
16.1 C
Bhubaneswar

ଆନ୍ଧ୍ର, ତେଲଙ୍ଗାନାରେ ବର୍ଷା ବିତ୍ପାତ: ଆଜି ସ୍କୁଲ୍‌ ଛୁଟି, ବହୁ ଟ୍ରେନ୍ ବାତିଲ୍‌

ବିଜୟୱାଡା : ଦୁଇ ଦକ୍ଷିଣୀ ରାଜ୍ୟରେ ଜଳପ୍ରଳୟ। ଲଗାଣ ବର୍ଷାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ଶହ ଶହ ଗାଁ ଜଳବନ୍ଦୀ ହୋଇଥିବାବେଳେ ବହୁ ଧନଜୀବନ ହାନୀ ଘଟିଛି। ଗାଡିମୋଟର ଚାଲିବା ରାସ୍ତାରେ ଡଙ୍ଗା ଚାଲୁଛି। କେଉଁଠି ରାସ୍ତାଘାଟ ଧୋଇ ହୋଇଯାଇଛି ତ ଆଉ କେଉଁଠି ଟ୍ରେନ୍ ଲାଇନ୍ ରେ ପାଣି ପଶିଯାଇଛି। ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଓ ଆନ୍ଧ୍ରପ୍ରଦେଶରେ ପରିସ୍ଥିତି ପୁରା ସଙ୍ଗୀନ୍ ହୋଇପଡିଛି। ବର୍ଷା ଯୋଗୁଁ ବିଜୟୱାଡା ଓ ଗୁଣ୍ଟୁର ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଥିବାବେଳେ ରବିବାର ସକାଳେ ଏହା କଳିଙ୍ଗପଟ୍ଟନମଠାରେ ସ୍ଥଳଭାଗକୁ ପ୍ରବେଶ କରିଥିଲା। ବିଜୟୱାଡା ଜିଲାର ମୋଗଲରାଜାପୁରମ ନିକଟରେ ଭୂସ୍ଖଳନ ଘଟି ୫ ଜଣ ପ୍ରାଣ ହରାଇଥିବାବେଳେ ଚାରିଜଣ ଆହତ ହୋଇଛନ୍ତି। ଗୁଣ୍ଟୁର ଜିଲାରେ ଆଉ ୫ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ସବୁ ପୋଖରୀ ଓ ହ୍ରଦର ଜଳସ୍ତର ବୃଦ୍ଧି ପାଇଛି। ଫଳରେ କ୍ରିଷ୍ଣା ଓ ଗୁଣ୍ଟୁର ଜିଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ରାତିସାରା ବର୍ଷା ଲାଗି ରହିଥିବାରୁ ବିଜୟୱାଡା, ଅମରାବତୀ, ମଙ୍ଗଳାଗିରି, ଗୁଣ୍ଟୁର, ଏଲୁରୁ ଏବଂ ଅନ୍ୟାନ୍ୟ ସ୍ଥାନରେ ଜନବସତିଗୁଡିକ ପାଣିରେ ବୁଡିଯାଇଛି। ବିଜୟୱାଡା ସହରରେ ବିଗତ ଦଶ ବର୍ଷ ମଧ୍ୟରେ ସବୁଠୁ ଅଧିକ ପରିମାଣର ବର୍ଷା ରେକର୍ଡ କରାଯାଇଛି। ସହରର ଏକାଧିକ ରାସ୍ତାରେ ତିନି ଚାରିଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୋଟ୍ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ତେଲେଙ୍ଗାନାରେ ସବୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖମାମ ଜିଲ୍ଲା। ୧୧୦ଟି ଗାଁ ବୁଡିଛି ଏବଂ ବିଭିନ୍ନ ସ୍ଥାନରେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ଶତାଧିକ ବିପନ୍ନ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଆଜି ଶ୍ରୀକାକୁଲମ, ବିଜୟନଗରମ, ପାର୍ବତୀପୁରମ, କାକିନାଡା, ଅନ୍‌କାପଲ୍ଲୀ, କୁର୍ଣ୍ଣୁଲ ଏବଂ ନାନ୍ଦ୍ୟାଲ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ଚେତାବନୀ ଦିଆଯାଇଛି। ଦୁଇ  ରାଜ୍ୟରେ ଆଜି ସ୍କୁଲ ଛୁଟି ଘୋଷଣା କରାଯାଇଛି। ବନ୍ୟା ପାଣିରେ ରେଳ ଧାରଣା ବୁଡି ଯାଇଥିବାରୁ ୯୯ଟି ଟ୍ରେନକୁ ବାତିଲ କରାଯାଇଛି। ସେପଟେ ବନ୍ୟା ସ୍ଥିତିକୁ ନେଇ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories