ଅମିତାଭ ବଚ୍ଚନଙ୍କୁ ମିଳିବନି ଡିଲେଟ୍, ତାଲିକାରୁ ନାମ କାଟିଦେଲେ ରାଜ୍ୟପାଳ
କଲକାତା : ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ (ଆରବିୟୁ) ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଡିଲେଟ୍ ଉପାଧି ଦେବା ନିଷ୍ପତ୍ତିରୁ ଓହରିଯାଇଛି । ଅମିତାଭଙ୍କୁ ଡିଲେଟ୍ ଉପାଧି ଦେବା ପାଇଁ ଆରବିୟୁ ନିଷ୍ପତ୍ତି ନେବା ପରେ ତାଲିକାରେ ତାଙ୍କ ନାମ ପ୍ରକାଶ ପାଇଥିଲା । ପରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ନିର୍ଦେଶରେ ବଲିଉଡ଼ ସୁପରଷ୍ଟାର ବିଗ୍ୱି ଅମିତାଭଙ୍କ ନାମ ଡିଲିଟ୍ ପାଉଥିବା ଲୋକଙ୍କ ତାଲିକାରୁ କାଟି ଦିଆଯାଇଛି । କୁଳପତି ସବ୍ୟସାଚୀ ବସୁ ରାୟ ଚୌଧୁରୀ ଏହି ସୂଚନା ଦେବା ସହ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ ଉପାଧି ପ୍ରଦାନ ବେଳେ ଅନୁପସ୍ଥିତ ରହୁଥିବା କୌଣସି ବ୍ୟକ୍ତିଙ୍କୁ ଏଭଳି ଉପାଧି ଦେବାକୁ ରାଜ୍ୟପାଳ ମନା କରିଦେଇଛନ୍ତି । ଉଲ୍ଲେଖ ଯେ ୭୫ ବର୍ଷିୟ ଅମିତାଭ ବଚ୍ଚନ ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘୧୦୨ ନଟ ଆଉଟ’ ସୁଟିଂ ପ୍ରଚାରରେ ବ୍ୟସ୍ଥ ଅଛନ୍ତି । ତେଣୁ ସେ ମଇ ୮ରେ ଆୟୋଜିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇପାରିବେ ନାହିଁ ବୋଲି ଅମିତାଭ କୁଳପତିଙ୍କୁ ଜଣାଇ ଦେଇଥିଲେ । ଅମିତାଭ ଅନୁପସ୍ଥିତ ରହୁଥିବାରୁ ତାଙ୍କୁ ଡିଲେଟ୍ ଉପାଧି ଦିଆଯାଇପାରିବ ନାହିଁ । ତେବେ ଅନ୍ୟମାନଙ୍କ ମଧ୍ୟରେ ପ୍ରସିଦ୍ଧ ଲେଖକ ନବନିତା ଦେବ ସେନ, ଚିତ୍ରକର ଜତିନ ଦାସ, ଶାସ୍ତ୍ରୀୟ ଗାୟକ ପଣ୍ଡିମ ଅମିୟ ରଂଜନ ବନ୍ଦୋପାଧ୍ୟାୟ ଡିଲେଟ୍ ଉପାଧି ହାସଲ କରିବେ।