ଆଜି ଉଦ୍ଧବ ଠାକ୍‍ରେ-ଅମିତ୍‍ ଶାହା ଭେଟ

0

ନୂଆଦିଲ୍ଲୀ : ଦେଶରେ ମୋଦୀ ହାୱା କ୍ରମଶଃ ଦୁର୍ବଳ ହୋଇଆସୁଥିବା ନେଇ ସଦ୍ୟ ସମାପ୍ତ ଉପନିର୍ବାଚନ ଫଳାଫଳରୁ ଏକପ୍ରକାର ସ୍ପଷ୍ଟ ହୋଇଛି। ଅନ୍ୟପଟେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ରାଜନୈତିକ ଉତ୍‍ଥାନ ଘଟୁଥିବା ମଧ୍ୟ ଏହି ଫଳାଫଳରୁ ସଙ୍କେତ ମିଳିଛି। କେନ୍ଦ୍ରରେ ପୁନଃ କ୍ଷମତାକୁ ଫେରିବା ଆଶାରେ କଂଗ୍ରେସ ନିଜର ବୃହତ୍‍ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବିଜେପି ବିରୋଧରେ ମେଣ୍ଟ ମଜବୁତ କରିବାରେ ଲାଗିପଡିଛି। ଏହି ସବୁ ଘଟଣା ଦେଶର ରାଜନୈତିକ ପାଣିପାଗରେ ଯେଭଳି ପରିବର୍ତ୍ତନ ଆଣିଛି ତାହାକୁ ନେଇ ବିଜେପି ନେତୃବୃନ୍ଦ ସଜାଗ ହୋଇଉଠିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଏନ୍‍ଡିଏର ବିପୁଳ ବିଜୟ ନିଶ୍ଚିତ କରିବା ନିମନ୍ତେ ବିଜେପି ନୂତନ ସହଯୋଗୀ ଖୋଜିବା ସହ ପୁରୁଣା ତଥା ଅସନ୍ତୁଷ୍ଟ ବନ୍ଧୁମାନଙ୍କୁ ମନାଇବାର ଉଦ୍ୟମ ମଧ୍ୟ ଆରମ୍ଭ କରିଦେଇଛି। ଏଥିନିମନ୍ତେ ଦଳ ପକ୍ଷରୁ ‘ସମର୍ଥନ ପାଇଁ ସମ୍ପର୍କ ଅଭିଯାନ’ ଆରମ୍ଭ ହୋଇଛି। ଏହି ଅଭିଯାନ କ୍ରମେ ବୁଧବାର ହରିହର ଭେଟ ହେବ; ଅର୍ଥାତ୍‍ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‍ରେଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ନିଜେ ଭେଟି ତାଙ୍କ ଅସନ୍ତୋଷ ଦୂର କରିବାର ଉଦ୍ୟମ କରିବେ। ଏଥିନିମନ୍ତେ ସେ ବୁଧବାର ସନ୍ଧ୍ୟା ୬ଟାରେ ଉଦ୍ଧବଙ୍କ ବାସଭବନ ମାତୋଶ୍ରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
ମେଣ୍ଟ ସହଯୋଗୀ ଦଳ ହେବା ସତ୍ତ୍ବେ ବିଗତ ଦିନଗୁଡିକରେ ଉଭୟ ଦଳ ପରସ୍ପରକୁ କଡ଼ା ସମାଲୋଚନା କରିଆସୁଛନ୍ତି। ବିଶେଷକରି ଉଦ୍ଧବ ଅତ୍ୟନ୍ତ ଅସନ୍ତୋଷ ପ୍ରକଟ ପୂର୍ବକ ବିଜେପିକୁ କଠୋର ସମାଲୋଚନା କରିଆସୁଥିଲେ। ଏପରିକି ଦଳୀୟ ମୁଖପାତ୍ର ‘ସାମନା’ରେ ମଧ୍ୟ ସେ ଅନେକଥର ବିଜେପି ବିରୋଧରେ ସ୍ତମ୍ଭ ଲେଖିଛନ୍ତି। ଛତ୍ରପତି ମହାରାଜ ଶିବାଜୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କାରଣରୁ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେ ତୀବ୍ର ଭର୍ତ୍ସନା ମଧ୍ୟ କରିଥିଲେ। ତେବେ ନିକଟରେ ପାଲଗଡ ଉପନିର୍ବାଚନ ପରେ ଉଦ୍ଧବ ନିର୍ବାଚନ କମିସନ (ଇସି)ଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ। ଇସି ସମ୍ଭବତଃ ରାଜନୈତିକ ଦଳଗୁଡିକର ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଦର୍ଶାଇଥିଲେ। ବିଜେପି ସହିତ ମନାନ୍ତର କାରଣରୁ ଉଭୟ ଦଳ ମଧ୍ୟରେ ସମ୍ପର୍କ ଶେଷପ୍ରାୟ ହୋଇଯାଇଥିଲା। ଶିବସେନା ମେଣ୍ଟରୁ ଓହରିଯିବାକୁ ମଧ୍ୟ ଧମକ ଦେଇ ଆସନ୍ତା ଲୋକସଭା ନିର୍ବାଚନ ଏକାକୀ ଲଢିବା ନିମନ୍ତେ ଜାନୁଆରୀରେ ଘୋଷଣା କରିଥିଲା। ସମ୍ପ୍ରତି ବିଭିନ୍ନ ଦଳ ବିଜେପି ବିରୋଧରେ ହାତ ମିଳାଉଥିବା ବେଳେ ଶିବସେନା କିନ୍ତୁ ଏନ୍‍ଡିଏ ଶିବିରରେ କାଏମ ରହିବ ବୋଲି ଅମିତ୍‍ ଶାହା ଆଶା ବାନ୍ଧିଛନ୍ତି। ବୁଧବାର ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରେ ବିଜେପି-ଶିବସେନା ସମ୍ପର୍କର ଭବିଷ୍ୟତ ସ୍ପଷ୍ଟ ହେବ।
ଅନ୍ୟପଟେ ଏନ୍‍ଡିଏ ଅଂଶୀଦାରମାନଙ୍କ ସହିତ ବିଜେପି ମେଣ୍ଟ ଜାରି ରଖିବାକୁ ଉଦ୍ୟମ କରୁଥିବା ବେଳେ ଯଦି କେହି (ଶିବସେନା) ଏହା ବିରୋଧରେ କୌଣସି ନିଷ୍ପତ୍ତି ଗ୍ରହଣ କରନ୍ତି, ସେନେଇ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଉଚିତ ବୋଲି ଦଳୀୟ ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‍ନାବିସ୍‍ କହିଛନ୍ତି।

Leave A Reply