ଆମେରିକା ଆକ୍ରମଣରେ ସିରିଆ ସେନାର ୪୦ ସୈନ୍ୟ ମୃତ

0

ବିରୁଟ୍‍ : ଆମେରିକା ନେତୃତ୍ୱାଧୀନ ମେଣ୍ଟ ସେନାର ଯୁଦ୍ଧ ବିମାନ ଆକ୍ରମଣରେ ରବିବାର ବିଳମ୍ବିତ ରାତିରେ ପୂର୍ବ ସିରିଆ-ଇରାକ ସୀମାରେ ସରକାରୀ ସେନାର ୪୦ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି। ବ୍ରିଟେନସ୍ଥିତ ମାନବାଧିକାର ସଂଗଠନ ‘ସିରିଆନ ଅବଜରଭେଟରି ଫର ହ୍ୟୁମନା ରାଇଟ୍ସ’ ସୋମବାର ଏହା ପ୍ରକାଶ କରିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ ଇରାକ ସଂଲଗ୍ନ ଦକ୍ଷିଣ-ପୂର୍ବ ସୀମା ଅଲବୁ କାମାଲର ଅଲ-ହାରାସ୍ଥିତ ସିରିଆ ସରକାରୀ ସେନା ଶିବିର ଉପରେ ଆମେରିକା ନେତୃତ୍ୱାଧୀନ ମେଣ୍ଟ ସେନା ଯୁଦ୍ଧ ବିମାନ ଯୋଗେ ବୋମା ବର୍ଷଣ କରିଛି। ସିରିଆ ସରକାରୀ ଖବର ସଂସ୍ଥା ମଧ୍ୟ ଏହି ସୂଚନା ଦେଇଛି। ଆମେରିକା ନେତୃତ୍ୱାଧୀନ ମେଣ୍ଟ ସେନା ସରକାରୀ ସେନା ଶିବିର ଉପରେ ଆକ୍ରମଣ କରିଛି। ଏଥିରେ ୩୮ ସୈନ୍ୟଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି ବୋଲି ସିରିଆ ସରକାରୀ ଖବର ସଂସ୍ଥା ପ୍ରକାଶ କରିଛି। ଏହି ଅଞ୍ଚଳ ଆଇଏସ୍‍ ଆତଙ୍କବାଦୀଙ୍କ କବଳରେ ରହିଛି। ଆମେରିକା ନେତୃତ୍ୱାଧୀନ ମେଣ୍ଟ ସେନା ଏବଂ ରୁଷ ସମର୍ଥିତ ସିରିଆ ସରକାରୀ ସେନା ପୃଥକ ପୃଥକ ଭାବେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚଳାଇଛନ୍ତି। ପ୍ରାୟ ସମୟ ଏହି ଦୁଇ ସେନା ମୁହାଁମୁହିଁ ହେଉଛନ୍ତି ଓ ଅନେକ ଧନଜୀବନର କ୍ଷୟକ୍ଷତି ଘଟୁଛି। ଆମେରିକା ପେଣ୍ଟାଗନ ଏହି ଆକ୍ରମଣ ଖବରକୁ ଖଣ୍ଡନ କରିଛି। ମୃତକ ଏବଂ ଆହତଙ୍କ ସଠିକ୍‍ ତଥ୍ୟ ମଳିନାହଁ ବୋଲି ସିରିଆ ସରକାରୀ ସୂତ୍ରରୁ ପ୍ରକାଶ।

kalyan agarbati
Leave A Reply