Patra electronics

ବାହାବଳପୁର ଥାନାରେ ଉତ୍ତେଜନା ଥାନାଧିକାରୀଙ୍କ ବଦଳି ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଅମର୍ଦ୍ଦାରୋଡ଼: ଜଣେ ବ୍ରାଉନସୁଗାର ବେପାରୀକୁ ଲୋକେ ପୋଲିସ ଜିମାରେ ଦେବା ପରେ ପୁଲିସ ଉକ୍ତ ବେପାରୀକୁ ଛାଡ଼ିଦେବା ଘଟଣା ବାହାବଳପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଲେଶ୍ୱର ଜିଲା ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବଗଦା ମାର୍କେଟ୍ ଛକରୁ ଗୁରୁବାର ବ୍ରାଉନସୁଗାର ନେଇ ଯାଉଥିବା ବେଳେ ୨ ଜଣ ଯୁବକଙ୍କୁ ଗାଁଲୋକେ କାବୁ କରି ପୋଲିସକୁ ଖବର ଦେଇଥିଲେ । ଥାନାଧିକାରୀ ପ୍ରଶାନ୍ତ କୁମାର ପାଣି କର୍ମଚାରୀଙ୍କ ସହ ପହଞ୍ଚି ଯୁବକ ଦ୍ୱୟଙ୍କୁ ଥାନାକୁ ନେଇଥିଲେ । ରାତିରେ ଉକ୍ତ ଯୁବକ ଦ୍ୱୟଙ୍କୁ ପୋଲିସ ଛାଡ଼ିଦେବାରୁ ଗାଁରେ ଉତ୍ତେଜନା ଦେଖାଦେଇଥିଲା ।

ଶୁକ୍ରବାର ଗାଁଲୋକେ ଥାନାରେ ପହଞ୍ଚି ହୋ-ହାଲ୍ଲା କରିଥିଲେ। ବ୍ରାଉନସୁଗାର ବେପାରୀଙ୍କ ସହ ସଲାସୁତରା ଥିବା ଅଭିଯୋଗ କରି ଥାନାଧିକାରୀଙ୍କ ବଦଳି ଦାବି କରିଥିଲେ।ଖବର ପାଇ ବସ୍ତା ପୁଲିସ ଉପଖଣ୍ଡ ଅଧିକାରୀ ଅରୁଣ କୁମାର ସାହୁ,ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା, ରୂପସା ଥାନା ଅଧିକାରୀ ସଚ୍ଚିଦାନନ୍ଦ ଗିରି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଘଟଣା ସମ୍ପର୍କରେ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡ଼ିପିଓ ସାହୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

Comments are closed.