ଏପଟେ ମାନସମନ୍ଥନ; ସେପଟେ ଆତଙ୍କ

ସୀମା ସୁରକ୍ଷାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଏବେ ସାରା ଦେଶର ସୁରକ୍ଷା ମୁଖିଆ। ତଟ ସୁରକ୍ଷାରୁ ସାଇବର ଅପରାଧ, ମାଓବାଦରୁ ଆତଙ୍କବାଦ, ଗଞ୍ଜେଇ ଚାଲାଣରୁ ବ୍ରାଉନସୁଗର ଓ କୋକେନ କାରବାର ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଲୋକସେବା ଭବନରେ ମାନସମନ୍ଥନ ଚାଲିଛି। ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ଲାଗି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତିନି ଥାକିଆ ସୁରକ୍ଷା ବଳୟରେ ପୂରା ଭୁବନେଶ୍ବରକୁ ରଖାଯାଇଛି। ବିମାନବନ୍ଦରରୁ ରାଜଭବନ, ସମ୍ମିଳନୀ କକ୍ଷରୁ ଦଳୀୟ କାର୍ଯ୍ୟାଳୟ ସବୁଠି କଟକଣା। କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମଧ୍ୟ ଜଗି ରହିଛନ୍ତି।

୨୪ ଘଣ୍ଟିଆ ସୁରକ୍ଷା ଜାରି ରହିଛି। ଏହାରି ଭିତରେ ଭୁବନେଶ୍ବର ଉପରେ ଆତଙ୍କବାଦୀଙ୍କ ନଜର ପଡ଼ିଛି। ଗଳାବାଟରେ ଖଲିସ୍ଥାନୀ ଆତଙ୍କବାଦୀ ସାଇବର ଧମକ ଦେଇଛନ୍ତି। ଏହା ସହରବାସୀଙ୍କୁ ଛାନିଆ କରିଛି। ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ଧମକପୂର୍ଣ୍ଣ ଇ-ମେଲ୍‌ ହଇଚଇ ସୃଷ୍ଟି କରିଛି। ଏଭଳି ଧମକକୁ ସୁରକ୍ଷାବାହିନୀ ସହଜେ ଅସ୍ବୀକାର କରିପାରୁନାହିଁ।

ଓଡ଼ିଶାକୁ ପୂର୍ବରୁ ଆତଙ୍କବାଦୀଙ୍କ ଧମକ ମିଳିବା ନଜିର ରହିଛି। କିଛି ଦିନ ତଳେ ବିମାନ ବନ୍ଦରକୁ ହୋଷ୍ଟ କଲ୍‌ ଯୋଗେ ଧମକ ମିଳିଥିଲା। ଏହାକୁ ନେଇ ତମ୍ବି-ତୋଫାନ ହୋଇଥିଲା। ପୂର୍ବରୁ କଟକ ଜିଲା ଜଗତପୁର ଓ ରାଉରକେଲାରୁ ଆତଙ୍କବାଦୀ ଧରାପଡ଼ିଛନ୍ତି। ଓଡ଼ିଶାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଲିଙ୍କକୁ ଏଡ଼ାଇ ଦିଆଯାଇ ନପାରେ। ଏସବୁକୁ ଦୃଷ୍ଟିରେ ରଖି ସୁରକ୍ଷାବାହିନୀ ସତର୍କ ରହିଛି।

ଓଡ଼ିଶାରେ ଡିଜିପି-ଆଇଜିପି ସମ୍ମିଳନୀର ଦୁଇ ଦିନ ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଧମକପୂର୍ଣ୍ଣ ଭିଡ଼ିଓ ଜାରି କରିଥିଲା। ଭୁବନେଶ୍ବର ମନ୍ଦିରମାଳିନୀ ସହର ନୁହେଁ ଆତଙ୍କୀ ସହର ବୋଲି ଭିଡ଼ିଓରେ କହିଥିଲା। ଉକ୍ତ ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ମନ୍ଦିର ହେଉ କିମ୍ବା ଶିକ୍ଷାନୁଷ୍ଠାନରେ ଛଦ୍ମବେଶରେ ଜଗି ରହିବା ଲାଗି ସହଯୋଗୀଙ୍କୁ ପରାମର୍ଶ ଦେଇଥିଲା। ଏହାକୁ ସୁରକ୍ଷାବାହିନୀ ଗୁରୁତର ସହ ଗ୍ରହଣ କରିଥିଲା। ସମ୍ମିଳନୀର ଦ୍ବିତୀୟ ଦିନରେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ଧମକପୂର୍ଣ୍ଣ ଇ-ମେଲ୍‌କୁ ନେଇ ସାଇବର ପୁଲିସ ତଦନ୍ତ ଆରମ୍ଭ କରିଛି।

ଅଡ଼ିଓ ମେସେଜରେ ଭୁବନେଶ୍ବର ବିମାନ ବନ୍ଦରକୁ ଟାର୍ଗେଟ କରି ବାର୍ତ୍ତା ଦେବା ସହ ଡିସେମ୍ବର ୧ରେ ଏଠାରୁ ଉଡ଼ାଣ ନ ଭରିବାକୁ ଚେତାବନୀ ଦିଆଯାଇଛି। ଧମକପୂର୍ଣ୍ଣ ମେଲ୍‌ ମିଳିବାର କିଛି ଘଣ୍ଟା ପରେ ବିମାନ ବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଗ୍‌କୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ସୁରକ୍ଷାକର୍ମୀ ବ୍ୟାଗ୍‌କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତା’ ଭିତରେ କ’ଣ ରହିଛି ତା’ର ତଦନ୍ତ ଚାଲିଛି। ସେପରି କୌଣସି ବିସ୍ଫୋରକ ନଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ହେଲେ ପୁଲିସ ପକ୍ଷରୁ ସନ୍ଧାନୀ କୁକୁର ଓ ବମ୍‌ ସ୍କ୍ବାଡ୍‌ ଜରିଆରେ ଖାନ୍‌ତଲାସି କରାଯାଇଛି।

ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟର ଡିଜିପି, ଆଇଜିପିଙ୍କ ସହ ଗୃହ ସଚିବ, ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡ଼ିତ ସମସ୍ତ ତୁଙ୍ଗ ଅଧିକାରୀ ଉପସ୍ଥିତ ଅଛନ୍ତି।

ଡିଜିପି-ଆଇଜିପି ସମ୍ମିଳନୀର ଦ୍ୱିତୀୟ ଦିନରେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଦୀର୍ଘ ଆଲୋଚନା ହୋଇଛି। ଦେଶର ସୁରକ୍ଷା ପାଠ ପଢ଼ିଛନ୍ତି ଡିଜିପି। ସୁରକ୍ଷାକୁ ନେଇ ପ୍ରସ୍ତୁତ ରୋଡ଼ମ୍ୟାପ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଛନ୍ତି। ସୀମା ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନଶୃଙ୍ଖଳା ଉପରେ ଜୋର୍‌ ଦିଆଯାଇଛି। ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର, ମାଓବାଦ ମୁକାବିଲା, ତଟ ସୁରକ୍ଷା ଆଦି ଦିଗରେ ଆଲୋଚନା ହୋଇଛି। ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୁହାଁମୁହିଁ ଆଲୋଚନା କରିଥିବା ସୂଚନା ମିଳିଛି। ଆତଙ୍କବାଦ ଦମନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ଏଭଳି ଭାବେ ଦୁଇ ଦିନ ଧରି ଜାତୀୟ ସୁରକ୍ଷାକୁ ନେଇ ରାଜ୍ୟ ରାଜଧାନୀରେ ମାନସମନ୍ଥନ ଚାଲିଛି।

ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସବୁ ରାଜ୍ୟର ପୁଲିସ ମୁଖିଆ ପହଞ୍ଚି ଥିଲେ। ୮.୧୦ରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ୮.୧୫ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ୮.୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପହଞ୍ଚି ଥିଲେ। ଯୋଗ ଅଧିବେଶନ ପରେ ସୁରକ୍ଷାକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଘଣ୍ଟା ଘଣ୍ଟା ଧରି ବିଚାର ବିମର୍ଶ ଜାରି ରହିଥିଲା। ଦ୍ବିତୀୟ ଦିନ ବୈଠକର ସୀମା ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ଥିଲା। ଦେଶରୁ ଆତଙ୍କବାଦ ଓ ମାଓବାଦର ମୂଳୋତ୍ପାଟନ ନେଇ ମଧ୍ୟ ମାନସ ମନ୍ଥନ କରାଯାଇଥିଲା। ଏନେଇ ରୋଡ଼ ମ୍ୟାପ୍ ପ୍ରସ୍ତୁତ ହୋଇଛି।

ବାଂଲାଦେଶୀ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଉପକୂଳ ସୁରକ୍ଷା ଦିଗରେ ବି ବିସ୍ତୃତ ଆଲୋଚନା ହୋଇଛି। ନିଶା କାରବାର, ସାଇବର ଅପରାଧ ରୋକିବା ଦିଗରେ କଡ଼ା ପଦକ୍ଷେପ ନେବାକୁ ଯୋଜନା କରାଯାଇଛି। ଉଦ୍‌ଘାଟନୀ ଦିବସରେ ଦେଶର ପୂର୍ବ ସୀମାରେ ସୁରକ୍ଷା ଆହ୍ବାନ, ଅନୁପ୍ରବେଶ ସମସ୍ୟା, ସହରୀ ପୁଲିସ ବ୍ୟବସ୍ଥା, ଅନ୍ତର୍ଜାତୀୟ ସୀମା ସୁରକ୍ଷା ସହ ଶୂନ୍ୟ ସହନଶୀଳ ନୀତି ଉପରେ ଗୃହମନ୍ତ୍ରୀ ଶ୍ରୀ ଶାହ ଗୁରୁତ୍ବ ଦେଇଥିଲେ। ମାଓବାଦୀ କାର୍ଯ୍ୟକଳାପ ଦମନ କ୍ଷେତ୍ରରେ ବିଭିନ୍ନ ରାଜ୍ୟର ମଡେଲ୍ ଉପରେ ଆଲୋଚନା ସହ ବିତର୍କ ବି ହୋଇଥିଲା।

ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଦିନ ତମାମ ମାରାଥନ୍ ଆଲୋଚନା ହୋଇଛି। ଜାତୀୟ ସୁରକ୍ଷା ପ୍ରତି ଥିବା ଆହ୍ବାନ, ସାଇବର ଅପରାଧ ଉପରେ ଲଗାମ୍, ତଟ ସୁରକ୍ଷାରୁ ଆର୍ଥିକ ସୁରକ୍ଷା ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯାଇଛି। ଦେଶରେ ଭାରତୀୟ ନ୍ୟାୟ ସଂହିତା ପ୍ରଣୟନ କରାଯାଇଛି। ଏହାର ଅନୁପାଳନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଡିଜିପିଙ୍କ ସହ ଆଲୋଚନା କରିଛନ୍ତି। ଶେଷ ଦିନରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଏନ୍‌ଏସ୍‌ଏ ଉପସ୍ଥିତ ରହି ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ କିପରି ନିପାତ କରାଯିବ ସେନେଇ ପ୍ରସ୍ତୁତ ନକ୍ସାରେ ମୋହର ମାରିବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ସମ୍ମିଳନୀର ଅନ୍ତିମ ଦିନ।

Comments are closed.