ଭଦ୍ରକ/ ଆରଡି,୨୩ : ଆଖଣ୍ଡଳମଣିଙ୍କ ଚଳିତ ଶ୍ରାବଣୀଯାତ୍ରା ଆସନ୍ତା ଜୁଲାଇ ୩ରୁ ଆରମ୍ଭ ହେବ। ଏଥିପାଇଁ ଆଜି ଭଦ୍ରକ ଜିଲା ସଂସ୍କୃତି ଭବନରେ ଉପ ଜିଲାପାଳ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ ମଲ୍ଲିକ, ଏଡିଏମ, ଜିଲାପରିଷଦ ସଭ୍ୟ ପ୍ରିନ୍ସରାକେଶ ନାୟକ, ମନ୍ଦିରର ସେବାୟତ, ପରିଚାଳନା କମିଟିର ସଭ୍ୟଙ୍କ ସହ ପୁଲିସ ଅଧିକାରୀ, ଜିଲାର ବିଭିନ୍ନ ବିଭାଗର ଅଧିକାରୀ , ବିଦ୍ୟୁତ ବିଭାଗର ଅଧିକାରୀ ଓ ସତ୍ୟସାଈ ସେବା ସଂଘଠନର ବରିଷ୍ଠ ସଭ୍ୟପ୍ରମୁଖ ଯୋଗ ଦେଇଥିଲେ।
ପୂର୍ବ ଅପେକ୍ଷା ପୀଠରେ ଶ୍ରଦ୍ଧାଳୁଭକ୍ତଙ୍କର ବୃଦ୍ଧି ପାଇଥିବାରୁ ଚଳିତ ବର୍ଷ ଶ୍ରାବଣୀଯାତ୍ରାରେ ଯେପରି ଭାବେ ଶୃଙ୍ଖଳିତ ଭାବେ କାଉଡିଆ ଭକ୍ତ ଜଳଲାଗି କରିବେ ସେଥିପାଇଁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହ ସ୍ବତନ୍ତ୍ର ବାରିକେଟ କରାଯିବ। ଏହାସହ ମହିଳା କାଉଡିଆ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତବର୍ଷ ଶ୍ରାବଣୀ ମେଳା ଜୁଲାଇ ୩ରୁ ଆରମ୍ଭ ହୋଇ ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ଦେଢମାସ ଧରି ଚାଲିବ ।
୭ଗୋଟି ସୋମବାରରେ କାଉଡିଆମାନେ ବାବାଙ୍କୁ ଜଳଲାଗି କରିବେ। ପବିତ୍ର ଶ୍ରାବଣୀଯାତ୍ରାରେ ବାବାମଣିଙ୍କୁ ଜଳଲାଗି କରିବା ପାଇଁ ପୀଠକୁ ଆସିବାକୁ ଥିବା ହଜାରହଜାର କାଉଡିଆଭକ୍ତଙ୍କ ସୁରକ୍ଷା ନିମନ୍ତେ ଜଳପଥ ଓ ସ୍ଥଳପଥର ତ୍ରିସ୍ତରୀୟ ସୁରକ୍ଷା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତାହାସହ ପୀଠରେ ଥିବା ୩ଟି ନଦୀଘାଟରେ ପାରି ହୋଇ ଆସୁଥିବା କାଉଡିଆମାନେ ଯେପରି ଭାବେ ସୁଚାର ରୂପରେ ଆସି ପାରିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି।
ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ନ ନେବା ପାଇଁ ନିର୍ଦେଶ ଦିଆଯାଇଛି। ନଦୀର ଉଭୟ ପାର୍ଶ୍ବରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀଙ୍କ ସମେତ ପୁଲିସଙ୍କୁ ମୁତୟନ କରାଯିବ। ଅନ୍ୟପଟେ ପୀଠରେ ଦେଢମାସ ଧରି ପ୍ରତି ରବିବାର ଓ ସୋମବାର ନିରିବିଛିନ୍ନ ବିଦ୍ୟୁତ ଯୋଗାଣ ସହିତ ୨୪ଘଣ୍ଟିଆ ପାନୀୟଜଳ ଯୋଗାଣ, ସ୍ବାସ୍ଥ୍ୟ, ପରିମଳ ବ୍ୟବସ୍ଥା ଯେପରି ଯୋଗାଇ ଦିଆଯିବ ବୈଠକରେ ଗୁରୁତ୍ବର ଭାବେ ଆଲୋଚନା କରାଯାଇଥିଲା। ବିଶେଷକରି ଆଗନ୍ତୁକ କାଉଡିଆ ଭକ୍ତ ଖାଲି ପାଦରେ ଆସୁଥିବାରୁ ଭଦ୍ରକ_ଆରଡି ମୁଖ୍ଯରାସ୍ତା ସହ ତିହିଡି ଆରଡି, ଆରଡି ବାଇପାସ ରାସ୍ତା ଅତ୍ଯନ୍ତ ଖରାପ ଥିବାରୁ ଯାତ୍ରା ପୂର୍ବରୁ ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଊପଜିଲାପାଳ କହିଥିଲେ। ଏପରିକି ଝଡବର୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଆଲୋକ ବ୍ୟବସ୍ଥା ସହ ଭକ୍ତଙ୍କ ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବ ବୋଲି ଆଲୋଚନା କରାଯାଥିଲା।
ଲକ୍ଷାଧିକ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିରର ଦୈନନ୍ଦିନ ନୀତିକାନ୍ତିର ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ସେବାୟତ ବିଜୟ କୁମାର ଦାଶ ସୂଚନା ଦେଇଥିଲେ। ଏହି ବୈଠକରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ଟ୍ରଷ୍ଟବୋର୍ଡସଭ୍ଯ ସରୋଜ ଦାସ, ସେବାୟତ ପ୍ରତିନିଧି ସନ୍ତୋଷ ପାଢୀ, ବରିଷ୍ଠ ସେବାୟତ ସରୋଜ ପାଢୀ, ଅରବିନ୍ଦ ପାଢୀ, ମନୋରଞନ ପାଢୀ, ଆଶିଷ ପାଢୀ, ବଙ୍କିମ ପାଢୀ, ଆର୍ତ୍ତବନ୍ଧୁ ପାଢୀ, ଶିବାନନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।



