ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
ଆରଡି: ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବକୁ ନେଇ ଏବେ ଉତ୍ସବ ମୁଖର ରାଜ୍ୟର ପ୍ରସିଦ୍ଧ ମଣିକ୍ଷେତ୍ର ଆରଡିଧାମ। ଆଉମାତ୍ର ୩ଦିନ ବାକିଥିବାରୁ ବିବାହ ମଣ୍ଡପ ନିର୍ମାଣ , ତୋରଣ ନିର୍ମାଣର, ଆଲୋକ ସଜ୍ଜା ସହ ବରପିତା ଓ କନ୍ୟା ପିତାଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ଆସନ୍ତା ଶନିବାର ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବା ସହ ରବିବାର ଧୁମଧାମରେ ସମ୍ପନ୍ନ ହେବ ଦେବ ଦମ୍ପତିଙ୍କ ବିବାହ ଉତ୍ସବ। ଏହି ବିବାହ ଉତ୍ସବ ସମ୍ପୁର୍ଣ୍ଣ ବୈଦିକ ରୀତିନୀତି ଓ ଲୋକାଚାରରେ ଅନୁଷ୍ଠିତ ହେବ। ବିଶେଷକରି ଚଳିତବର୍ଷ ବିବାହ ଉସବର ମୁଖ୍ୟ ଆକର୍ଷଣ ସାଜିଥିବା ବରାନୁଗମନ ଶୋଭାଯାତ୍ରାରେ ରାଜ୍ୟର ବହୁ ସାଂସ୍କୃତିକ ଓ ଲୋକବାଦ୍ୟ ସମେତ ପ୍ରାୟ ୪ଶହ କଳାକାର ଯୋଗ ଦେବେ ବୋଲି ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରକାଶ ପାଇଛି। ସେହିପରି ଚଳତବର୍ଷ ପାଗ ଅନୁକୂଳ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଥିବାରୁ ଯାତାୟତ, ପାନୀୟଜଳ, ସ୍ୱାସ୍ଥ୍ୟ, ପରିମଳ ଓ ଆଲୋକ ଉପରେ ବିଶେଷ ଭାବେ ଧ୍ୟାନ ଦେବା ପାଇଁ ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଗତ ସୋମବାରରୁ ଆରଡିପୀଠରୁ ବାହାରିଥିବା ନିମନ୍ତ୍ରଣ ରଥ ବିଭିନ୍ନ ଗାଁ ଓ ସହର ପରିକ୍ରମା କରୁଛି ବୋଲି ସେବାକାରୀମାନେ ପ୍ରକାଶ କରିଛନ୍ତି।