ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୧ ଓ ୨କୁ ସଂଯୋଗ କରୁଥିବା ଲିଙ୍କ୍ ବିଲଡିଂ ଭୁଶୁଡିବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ କଂଗ୍ରେସ ଦାବି କରିଛି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି। ଏହା ସହ ଆହତଙ୍କ ଚିକିତ୍ସା ପାଇଁ ଟଙ୍କା ଏବଂ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ ମଧ୍ୟ ସେ କହିଛନ୍ତି।

ଅନ୍ୟପଟେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟାକୁ ନେଇ ଦୁର୍ନୀତିର ଗନ୍ଧ ବାରିଛି ବିଜେପି। ସସ୍ମିତ ପାତ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଆମେ ଦାବି କରୁଛୁ। ତାଙ୍କର ଏହି ପ୍ରତିକ୍ରିୟାକୁ ନେଇ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର କଟାକ୍ଷ କରି କହିଛନ୍ତି ଯେ ଠାକୁର ଘରେ କିଏ, ନା ମୁଁ କଦଳୀ ଖାଇନି। ଠିକାଦାର ଦିଲ୍ଲୀପ ଖଟେଇ ସହ ବିଜେଡି ଦଳର ସମ୍ପର୍କ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।



